ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର ଅଭିଜ୍ଞ ଗୋଲ୍କିପର ତଥା ପୂର୍ବତନ ଅଧିନାୟକ ପିଆର ଶ୍ରୀଜେଶ ସୋମବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ତାଙ୍କର ଶେଷ ଅନ୍ତର୍ଜାତୀୟ ଯାତ୍ରା ହେବ ବୋଲି କହିଛନ୍ତି ଶ୍ରୀଜେଶ। ୩୬ ବର୍ଷୀୟ ଶ୍ରୀଜେଶଙ୍କର ଏହା ଚତୁର୍ଥ ଅଲିମ୍ପିକ୍ସ। ତାଙ୍କ ଅଧିନାୟକତ୍ୱରେ ଭାରତ ୨୦୧୬ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲା ଏବଂ ଦଳ ଅଷ୍ଟମ ସ୍ଥାନରେ ରହିଥିଲା। ତେବେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସେ ଭାରତୀୟ ଦଳ ସହିତ ଐତିହାସିକ କାଂସ୍ୟ ପଦକ ଜିତିଥିଲେ। ଶ୍ରୀଜେଶ ଭାରତ ପାଇଁ ୩୨୮ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏହା ବ୍ୟତୀତ ସେ ଅନେକ କମନୱେଲ୍ଥ ଗେମ୍ସ ଏବଂ ବିଶ୍ୱକପରେ ମଧ୍ୟ ଭାଗ ନେଇଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୨୬ରୁ ଆରମ୍ଭ ହେବ ପ୍ୟାରିସ୍ ଅଲିମ୍ପିକ୍ସ।



