www.samajalive.in
Friday, December 5, 2025
27.1 C
Bhubaneswar

ଜବତ ଯାନବାହନ ଓ ନୀତି ସଂସ୍କାର

ଭୁବନେଶ୍ଵର:  ବାହନ ସିଏ ଯେ ବହନ କରେ। ମାଲିକର ସମସ୍ତ କ୍ରିୟାକଳାପରେ ଏଗୁଡ଼ିକ ଭାଗୀଦାର ହୋଇଥାନ୍ତି। ଅପରାଧର ତଦନ୍ତ ଏବଂ ନ୍ୟାୟିକ ପ୍ରକ୍ରିୟାରେ ଯାନବାହନଗୁଡ଼ିକୁ ପ୍ରାୟତଃ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବରେ ବ୍ୟବହାର କରାଯାଏ। ହତ୍ୟା, ଚୋରି, ଡକାୟତି, ଚୋରା ଚାଲାଣ କିମ୍ବା ସଡ଼କ ଦୁର୍ଘଟଣା ଏ ସମସ୍ତ ଘଟଣା-ଦୁର୍ଘଟଣାରେ କାର, ମୋଟର ସାଇକଲ, ଟ୍ରକ କିମ୍ବା ଅନ୍ୟାନ୍ୟ ଯାନବାହନ ଅପରାଧର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଥାନ୍ତି। ଏହି ଯାନଗୁଡ଼ିକୁ ପୁଲିସ ଜବତ କରି ପ୍ରମାଣ ଭାବରେ କୋର୍ଟରେ ହାଜର କରିଥାଏ। ତେବେ ବର୍ତ୍ତମାନ ଜବତ ଯାନବାହନଗୁଡ଼ିକର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଏକ ସମସ୍ୟା ପାଲଟିଛି, ଯାହା କେବଳ ପୁଲିସ ପ୍ରଶାସନ ପାଇଁ ନୁହେଁ ବରଂ ପରିବେଶଗତ, ସମ୍ବଳ ଏବଂ ସାମାଜିକ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତର ଆହ୍ବାନ ସୃଷ୍ଟି କରିଛି। ବର୍ଷ ବର୍ଷ ଧରି ଥାନା ଏବଂ ମାଲଖାନାରେ ଏହି ଯାନବାହନ ପଡ଼ି ପଡ଼ି କଳଙ୍କି ଧରେ; ଯାହା ପରିବେଶ ପାଇଁ ସମସ୍ୟା ସୃଷ୍ଟି କରେ ଏବଂ ବ୍ୟବସ୍ଥାର ବିଫଳତାକୁ ପ୍ରକାଶ କରେ।
ଭାରତରେ ଅପରାଧର ତଦନ୍ତ ସମୟରେ ଯାନବାହନ ଜବତ କରିବା ଏକ ସାଧାରଣ ପ୍ରକ୍ରିୟା। ଉଦାହରଣ ସ୍ୱରୂପ ଯଦି କୌଣସି ଯାନ ‘ହିଟ୍-ଏଣ୍ଡ-ରନ୍’ ମାମଲାରେ ଜଡିତ ଥାଏ ତେବେ ଏହାକୁ ଫୋରେନସିକ୍ ପରୀକ୍ଷା ପାଇଁ ଜବତ କରାଯାଏ। ଚୋରାଚାଲାଣ କିମ୍ବା ଡକାୟତି ଭଳି ମାମଲାରେ ଯାନବାହନକୁ ଅପରାଧର ଉପକରଣ ଭାବରେ ଦେଖାଯାଏ। ଫୌଜଦାରୀ ପ୍ରକ୍ରିୟା ସଂହିତା (ସିଆରପିସି) ଧାରା ୧୦୨ ଅନୁଯାୟୀ ପୁଲିସର ଅପରାଧ ସହିତ ଜଡିତ ଯାନବାହନ ଜବତ କରିବାର କ୍ଷମତା ଅଛି। ଜବତ ପରେ ମାମଲାର ବିଚାର ସମାପ୍ତ ନହେବା ପର୍ଯ୍ୟନ୍ତ ଗାଡିଗୁଡ଼ିକୁ ମାଲଖାନା କିମ୍ବା ପୁଲିସ ଷ୍ଟେସନ ପରିସରରେ ରଖାଯାଏ। ତଥାପି ଏହି ପ୍ରକ୍ରିୟାରେ ଅନେକ ତ୍ରୁଟି ରହିଛି। ସବୁଠାରୁ ବଡ଼ କଥା ହେଉଛି ଭାରତରେ ନ୍ୟାୟିକ ପ୍ରକ୍ରିୟା ପ୍ରାୟତଃ ଦୀର୍ଘ ହୋଇଥାଏ। ଅନେକ କ୍ଷେତ୍ରରେ ବିଚାର ବର୍ଷ ବର୍ଷ ଚାଲିଯାଏ। ଏହି ସମୟ ମଧ୍ୟରେ ଜବତ ଗାଡିଗୁଡ଼ିକ ଥାନାରେ ନ୍ୟାୟ ଅପେକ୍ଷାରେ ପଡ଼ିରହିଥାନ୍ତି। ଖରା, ବର୍ଷା ଏବଂ ଧୂଳିର ସଂସ୍ପର୍ଶରେ ଆସିବା ଯୋଗୁଁଁ ସେଗୁଡ଼ିକ ଧୀରେଧୀରେ ଭଙ୍ଗାରୁଜା ହୋଇ ବିଖଣ୍ଡିତ ହୋଇଯାଏ। ଜବତ ଗାଡିଗୁଡ଼ିକ ପୁଲିସ ପ୍ରଶାସନ ଠାରୁ ଆରମ୍ଭ କରି ସମାଜ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଏ। ଅନେକ କ୍ଷେତ୍ରରେ ଏହି ଗାଡିଗୁଡ଼ିକ ନି‌େ‌ର୍ଦାଷ ବ୍ୟକ୍ତିମାନଙ୍କ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ହୋଇଥାଏ, ଯାହାଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନଥାଏ। ଜଣେ ଅଟୋ-ରିକ୍ସା ଚାଳକ କିମ୍ବା ଟ୍ୟାକ୍ସି ଚାଳକଙ୍କ ପାଇଁ ତାଙ୍କ ଗାଡି ହେଉଛି ତାଙ୍କର ଜୀବିକାର ମୁଖ୍ୟ ସାଧନ। ଯେତେବେଳେ ଏପରି ଗାଡିଗୁଡ଼ିକ ଦୀର୍ଘ ସମୟ ଧରି ପୁଲିସ ହେପାଜତରେ ରହିଥାଏ ମାଲିକଙ୍କ ଆର୍ଥିକ ଅବସ୍ଥା ପ୍ରଭାବିତ ହୁଏ। ଏହା ସାମାଜିକ ଅସମାନତାକୁ ଆହୁରି ବୃଦ୍ଧି କରେ। ଅଧିକାଂଶ ଜବତ ବାହନ ନିମ୍ନ କିମ୍ବା ମଧ୍ୟବିତ୍ତ ଶ୍ରେଣୀର ମାଲିକାନାରେ ଥାଏ। ଏହା ବ୍ୟତୀତ ପୁଲିସ ଷ୍ଟେସନ ବାହାରେ ପାର୍କିଂ ହୋଇଥିବା ଗାଡିଗୁଡ଼ିକ ନିକଟସ୍ଥ ବାସିନ୍ଦାଙ୍କ ପାଇଁ ଅସୁବିଧା ସୃଷ୍ଟି କରେ। ରାସ୍ତା ଅବରୋଧ ସହିତ ପାର୍କିଂ ସମସ୍ୟା ସୃଷ୍ଟି କରେ ଏବଂ ବ୍ୟାଟେରି, ଟାୟାର କିମ୍ବା ଇଞ୍ଜିନ ପାର୍ଟସ୍ ଭଳି ଯାନର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ନିଖୋଜ ହୋଇଯାଏ।
ଏହି ସମସ୍ୟାର ସମାଧାନ ପାଇଁ ନୀତିଗତ ସଂସ୍କାର ଆବଶ୍ୟକ। ପ୍ରଥମ ପଦକ୍ଷେପ ହେଉଛି ଯାନବାହନ ଜବତ ଏବଂ ମୁକ୍ତ ପ୍ରକ୍ରିୟାକୁ ଡିଜିଟାଲ୍ ଏବଂ ସ୍ୱଚ୍ଛ କରିବା। ପ୍ରତ୍ୟେକ ଜବତ ଯାନର ରେକର୍ଡ ଏକ କେନ୍ଦ୍ରୀୟ ଡାଟାବେସ୍‌ରେ ଉଲ୍ଲେଖ କରାଯିବା ଉଚିତ, ଯେଉଁଥିରେ ଯାନର ସ୍ଥିତି, ଜବତ ତାରିଖ ଏବଂ ମାମଲାର ଅଗ୍ରଗତି ବିଷୟରେ ସୂଚନା ଥିବ। ଏହା କେବଳ ସ୍ୱଚ୍ଛତା ବୃଦ୍ଧି କରିବ ନାହିଁ ବରଂ ଏହା ମଧ୍ୟ ସୁନିଶ୍ଚିତ କରିବ ଯେ ଯାନବାହନଗୁଡ଼ିକ ଦୀର୍ଘ ସମୟ ପାଇଁ ଅଯଥାରେ ହେପାଜତରେ ରହିବ ନାହିଁ। ଦ୍ୱିତୀୟତଃ, ଫୋରେନସିକ୍ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଆବଶ୍ୟକ। ଅନେକ ପୁଲିସ ଷ୍ଟେସନରେ ଏହି ସୁବିଧା ନାହିଁ; ଯାହା ଫଳରେ ଯାନବାହନଗୁଡ଼ିକ ଦୀର୍ଘକାଳ ପଡ଼ିରହେ। କୋର୍ଟରେ ଯାନବାହନ ଫଟୋଗ୍ରାଫ୍ ଏବଂ ଥ୍ରୀ-ଡି ସ୍କାନ୍ ଭଳି ଡିଜିଟାଲ୍ ପ୍ରମାଣ ଗ୍ରହଣ କରିବା ପାଇଁ ନିୟମ ରହିବା ଉଚିତ। ଏହା ଯାନଗୁଡ଼ିକର ଦୀର୍ଘକାଳୀନ ସଂରକ୍ଷଣର ଆବଶ୍ୟକତାକୁ ହ୍ରାସ କରିବ। ଯେତେବେଳେ ଯାନବାହନଗୁଡ଼ିକୁ ପ୍ରମାଣ ଭାବରେ ବ୍ୟବହାର ପାଇଁ ଆବଶ୍ୟକ ହୁଏ ନାହିଁ ସେମାନଙ୍କର ନିଲାମ କିମ୍ବା ବିକଳ୍ପ ବ୍ୟବହାରକୁ ତ୍ୱରାନ୍ୱିତ କରିବା ଆବଶ୍ୟକ। ଏକ ଅନ୍‌ଲାଇନ ନିଲାମ ପୋର୍ଟାଲ୍ ଯେଉଁଠାରେ ଯାନବାହନର ସ୍ଥିତି ଏବଂ ନିଲାମ ପ୍ରକ୍ରିୟା ସାର୍ବଜନୀନ କରି ଏହି ସମସ୍ୟାର ସମାଧାନ କରିହେବ। କିଛି କ୍ଷେତ୍ରରେ ଜବତ ଯାନଗୁଡ଼ିକୁ ସରକାରୀ ବ୍ୟବହାର ପାଇଁ ପୁନଃଉପଯୋଗୀ କରାଯାଇପାରିବ। ପରିବେଶ ଦୃଷ୍ଟିକୋଣରୁ ନଷ୍ଟ ହେଉଥିବା ଯାନଗୁଡ଼ିକୁ ପୁନଃଚକ୍ରଣ ପାଇଁ ପଠାଯିବା ଉଚିତ। ଭାରତରେ ଯାନବାହାନ ପୁନଃଚକ୍ରଣ ଶିଳ୍ପ ଏ ପର୍ଯ୍ୟନ୍ତ ପ୍ରାଥମିକ ପର୍ଯ୍ୟାୟରେ ଅଛି। ଏହାକୁ ପ୍ରୋତ୍ସାହିତ କରିବା ଦ୍ୱାରା କେବଳ ପରିବେଶକୁ ଲାଭ ମିଳିବ ନାହିଁ ବରଂ ଆର୍ଥିକ ସୁଯୋଗ ମଧ୍ୟ ସୃଷ୍ଟି ହେବ। ନୀତିଗତ ସଂସ୍କାର ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନ ଏକାସଙ୍ଗେ କାର୍ଯ୍ୟକାରୀ ହେଲେ ଏହି ସମସ୍ୟାର ସମାଧାନ ହୋଇପାରିବ। ଯାନବାହନକୁ ପ୍ରମାଣ ଭାବରେ ବ୍ୟବହାର କରିବାର ପ୍ରକ୍ରିୟାକୁ ଅଧିକ ଦକ୍ଷ, ସ୍ୱଚ୍ଛ ଏବଂ ସମୟୋଚିତ କରିବାକୁ ପଡ଼ିବ। କେବଳ ଏକ ସାମଗ୍ରିକ ଆଭିମୁଖ୍ୟ ହିଁ ସମସ୍ୟାର ସମାଧାନ କରିପାରିବ। ଏହା ମଧ୍ୟ ସୁନିଶ୍ଚିତ କରିବା ଉଚିତ ଯେ ଅପରାଧରେ ଜଡିତ ଯାନବାହନ ନ୍ୟାୟ ପ୍ରକ୍ରିୟାରେ ସାହାଯ୍ୟ କରିବା ସହିତ ସମାଜ ଏବଂ ପରିବେଶ ଉପରେ ବୋଝ ନ ହେଉ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories