୫ଟି ଭିନ୍ନ ଦିଗରୁ ହେବ ଉଦ୍ଧାର କାର୍ଯ୍ୟ

ଉତ୍ତରକାଶୀ ସୁଡ଼ଙ୍ଗ ଭୁଶୁଡ଼ିବା ଘଟଣା

ଉତ୍ତରକାଶୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡି ପଡିଥିବା ନିର୍ମାଣାଧୀନ ସିଲ୍‌କୟାରା ସୁଡ଼ଙ୍ଗରୁ ଶ୍ରମିକଙ୍କୁ ଉଦ୍ଧାର ନିମନ୍ତେ ଚାଲିଥିବା ଅଭିଯାନ ବିଳମ୍ବିତ ହେବାରେ ଲାଗିଛି। ରବିବାର ଉଦ୍ଧାର କାର୍ଯ୍ୟ ୮ମ ଦିନରେ ପହଞ୍ଚିଥିବାବେଳେ ଶ୍ରମିକଙ୍କ ଉଦ୍ଧାର ନେଇ ଅନିଶ୍ଚିତତା ଲାଗି ରହିଛି। ସୁଡଙ୍ଗ ମଧ୍ୟ ଭାଗରେ ଫସି ରହିଥିବା ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଭିନ୍ନ ଭିନ୍ନ ୫ଟି ଦିଗରୁ ଉଦ୍ଧାର କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୫ଟି ଦିଗରୁ ଯେଉଁ ଉଦ୍ଧାର କାର୍ଯ୍ୟ କରାଯିବ ତାହା ୫ଟି ଭିନ୍ନ ଭିନ୍ନ ଏଜେନ୍ସି ପକ୍ଷରୁ କରାଯିବ। ପିଏମଓ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଶ୍ରମିକଙ୍କୁ ଉଦ୍ଧାର ଲାଗି ଗୋଟିଏ ଯୋଜନା ପରିବର୍ତ୍ତେ ଏକକାଳୀନ ୫ଟି ଯୋଜନା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ଏପରି ନିଷ୍ପତ୍ତି ନିଆଯାଇଛି। ଏହାଦ୍ବାରା ଫସି ରହିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବା ନିଶ୍ଚିତ ହୋଇପାରିବ। ଉଦ୍ଧାର ପାଇଁ ଯେଉଁ ୫ଟି ପ୍ଲାନ ହେବ ତାର ଦାୟିତ୍ବ ୫ଟି ଭିନ୍ନ ଭିନ୍ନ ଏଜେନ୍ସି ପକ୍ଷରୁ କାର୍ଯ୍ୟକାରୀ କରାଯିବ।
ହାଇଡ୍ରୋଇଲେକ୍ଟ୍ରିକ୍ ପାୱାର କମ୍ପାନୀ ଓ ଏସ୍‌ଜେଭିଏନ୍‌ ସୁଡଙ୍ଗର ସମ୍ମୁଖ ପାର୍ଶ୍ବରେ ଉଦ୍ଧାର କାର୍ଯ୍ୟ କରିବେ। ସମ୍ମୁଖ ଭାଗରେ ସୁଡଙ୍ଗର ଉପରୁ ଭୂଲମ୍ବ ଭାବେ ୧ମିଟର ବ୍ୟାସ ବିଶିଷ୍ଟ ୧୨୦ ମିଟର ଗାତ କରାଯିବ। ପରେ ଏହି ଗାତ ଦେଇ ଶ୍ରମିକଙ୍କୁ ଉଦ୍ଧାର କରାଯିବାର ବ୍ୟବସ୍ଥା ହେବ। ସେହିପରି ନବଯୁଗ ଇଞ୍ଜିନିୟରିଂ ଦ୍ବିତୀୟ ଫ୍ରଣ୍ଟରେ ଉଦ୍ଧାର କାର୍ଯ୍ୟ କରିବେ। ଏହା ଧସିଯାଇଥିବା ମାଟି ପଥରକୁ ବାହାର କରିବ। ତେହରି ହାଇଡ୍ରୋ ଡେଭଲପମେଣ୍ଟ କର୍ପୋରେସନ ତୃତୀୟ ପାର୍ଶ୍ବରେ ଉଦ୍ଧାର କାର୍ଯ୍ୟ କରିବ। ଏହା ସୁଡଙ୍ଗର ବିପରୀତ (ପଛ) ପାର୍ଶ୍ବରୁ ଉଦ୍ଧାର କାର୍ଯ୍ୟ କରିବ। ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ କର୍ପୋରେସନ ୪ର୍ଥ ଫ୍ରଣ୍ଟରେ ଉଦ୍ଧାର କାର୍ଯ୍ୟ କରିବ। ଏହା ସମାନ୍ତରାଳ ଭାବେ ଡ୍ରିଲିଂ କରିବ। ଏହି ଡ୍ରିଲିଂ ମାଧ୍ୟମରେ ପାଇପ ଭର୍ତ୍ତି କରାଯାଇ ଶ୍ରମିକଙ୍କୁ ଉଦ୍ଧାର କରାଯିବ। ରେଳ ବିକାଶ ନିଗମ ଲିମିଟେଡ (ଆରଭିଏନଏଲ୍‌) ଦ୍ବାରା ଅନ୍ୟ ଏକ ଦିଗରେ ଉଦ୍ଧାର କାର୍ଯ୍ୟ କରିବାକୁ ଦାୟିତ୍ବ ଦିଆଯାଇଛି। ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ସଚିବ ଅନୁରାଗ ଜୈନ କହିଛନ୍ତି ଯେ ୫ଟି ଆକ୍ସନ ପ୍ଲାନ ଅନୁଯାୟୀ ଉଦ୍ଧାର କାର୍ଯ୍ୟ କରିବାକୁ ଗୁରୁତ୍ବ ଦିଆଯାଉଛି। ସମସ୍ତ ପ୍ରକାର ବିକଳ୍ପକୁ ଉପଯୋଗ କରି ଶ୍ରମିକଙ୍କୁ ଉଦ୍ଧାର କରାଯିବ। ସୁଡଙ୍ଗର ସମ୍ମୁଖ, ପଛ, ଉପର, ବାମ ଓ ଡାହାଣ ପାର୍ଶ୍ବରୁ ଉଦ୍ଧାର କାର୍ଯ୍ୟ କରାଯିବ।
ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ ରବିବାର ଉତ୍ତରାଖଣ୍ଡରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଗଡକରୀ କହିଛନ୍ତି ଯେ ଆମେରିକୀୟ ଔଗର ଡ୍ରିଲିଂ ମେସିନ ଯଦି ଠିକ୍‌ରେ କାମ କରେ ତେବେ ୨-୩ ଦିନ ମଧ୍ୟରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ। ତେବେ ବର୍ତ୍ତମାନ ସମୟରେ ଶ୍ରମିକଙ୍କ ଜୀବନ ରକ୍ଷାକୁ ଗୁରୁତ୍ବ ଦିଆଯାଉଛି। ସେମାନଙ୍କୁ ସୁଡଙ୍ଗ ମଧ୍ୟରେ ବଞ୍ଚାଇ ରଖିବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ବର୍ତ୍ତମାନ ଦୁଇଟି ଔଗର ମେସିନ ଉଦ୍ଧାର କାର୍ଯ୍ୟରେ ଲାଗିଛି। ଏହା ସହିତ ଘଟଣାସ୍ଥଳକୁ ସ୍ବତନ୍ତ୍ର ପ୍ରକାର ମେସିନ ଆଣିବା ଲାଗି ବିଆରଓ ପକ୍ଷରୁ ରାସ୍ତା ତିଆରି କରାଯାଉଛି। ଏପରିକି ରବିବାର ସୁଦ୍ଧା ଏହି ରାସ୍ତା ତିଆରି ଶେଷ କରିବାକୁ ବିଆରଓ ଲକ୍ଷ୍ୟ ରଖିଛି। ଏହି ରାସ୍ତା ତିଆରି ହେବା ପରେ ଶ୍ରମିକଙ୍କ ଉଦ୍ଧାର ଲାଗି ଆଉ ଏକ ଆଶା ସୃଷ୍ଟି ହେବ। ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଥିବାରୁ ସେମାନଙ୍କ ସାଥୀ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୁଡଙ୍ଗ ଭୁଶୁଡିବା ଲାଗି ସେମାନେ ନିର୍ମାଣ କମ୍ପାନୀକୁ ଦାୟୀ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି କୌଣସି ସମସ୍ତ ପ୍ରକାର ବିକଳ୍ପ ଆପଣାଯାଉଛି। ଏପରିକି ବିଦେଶୀ ଏଜେନ୍ସିର ସହାୟତା ନିଆଯାଉଛି। ସୁଡଙ୍ଗର ଉପର ଭାଗରୁ ଭୂଲମ୍ବ କରି ଡ୍ରିଲିଂ କରିବା ଲାଗି ସ୍ଥାନ ଚିହ୍ନଟ କରାଯାଇଛି। ଉତ୍ତରକାଶୀ ଜିଲା ଜଙ୍ଗଲ ଅଧିକାରୀ (ଡିଏଫଓ) ଡିପି ବାଲୁନି କହିଛନ୍ତି ଯେ ଭୂଲମ୍ବ ଭାବେ ୩୦୦ରୁ ୩୫୦ଫୁଟ ଡ୍ରିଲିଂ କରାଗଲେ ଶ୍ରମିକଙ୍କ ନିକଟରେ ପହଞ୍ଚି ହେବ। ଏଥିପାଇଁ ବଡ ଡ୍ରିଲିଂ ମେସିନକୁ ପାହାଡ ଉପରକୁ ନେବା ଲାଗି ଉଦ୍ୟମ କରାଯାଉଛି। ସୂଚନାଯୋଗ୍ୟ ବ୍ରହ୍ମଖାଲ- ଯମୁନୋତ୍ରୀ ଜାତୀୟ ରାଜପଥର ସିଲ୍‌କୟାରା ଓ ଦଣ୍ଡାଲଗାଓଁ ମଧ୍ୟରେ ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ ନଭେମ୍ବର ୧୨ ତାରିଖ ସକାଳେ ଭୁଶୁଡ଼ି ପଡ଼ିଥିଲା। ସୁଡଙ୍ଗ ଭୁଶୁଡି ପଡିବା ପରେ ଏହାର ମଧ୍ୟ ଭାଗରେ କାମ କରୁଥିବା ୪୧ଜଣ ଶ୍ରମିକ ଫସି ରହିଛନ୍ତି। ଫସି ରହିଥିବା ଶ୍ରମିକଙ୍କ ନିକଟକୁ ପ୍ରତି ଦୁଇ ଘଣ୍ଟାରେ ଖାଦ୍ୟ, ଜଳ, ଅମ୍ଲଜାନ ଓ ଔଷଧ ପଠାଯାଉଛି। ଏପରିକି ​‌େ​‌ସମାନଙ୍କୁ ମାନସିକ ଭାବେ ଦୃଢ କରିବା ଲାଗି ଶ୍ରମିକଙ୍କ ସହିତ ନିୟମିତ ଆଲୋଚନା କରାଯାଉଛି।

Comments are closed.