ବାହରାଇଚ : ଉତ୍ତର ପ୍ରଦେଶ ବାହାରଚିରେ ଥମୁନି ଗଧିଆ ଆତଙ୍କ। ସୋମବାର ଜଣେ ମହିଳାଙ୍କୁ ଗୁରୁତର ଆହତ କରିଥିବାବେଳେ ଆଜି ଘରେ ପଶି ଜଣେ ୫ ବର୍ଷର ଶିଶୁକୁ ଲହୁଲୁହାଣ କରିଥିବା ସୂଚନା ମିଳିଛି। ଗତ ଦୁଇ ମାସରେ ୯ଜଣଙ୍କୁ ମାରି ସାରିଲେଣି ଗଧିଆ ପଲ। ଗଧିଆ ଆକ୍ରମଣରେ ୧୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ବାହରାଇଚ ଗାଁର ପ୍ରାୟ ୩୫ଟି ଗାଁରେ ଗଧିଆଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଯାହାକୁ ନେଇ ସମଗ୍ର ରାଜ୍ୟରେ କୋକୁଆଭୟ ପରିସ୍ଥିତି ସୃଷ୍ଟି ହୋଇଛି। ବନ ବିଭାଗ ଏଯାବତ୍ ୪ ଗଧିଆଙ୍କୁ ଧରିଥିବାବେଳେ ଆଉ ଦୁଇ ଗଧିଆଙ୍କୁ ଖୋଜାଖୋଜି ଜାରି ରଖିଛି। ସେପଟେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାକୁ ନେଇ ସୋମବାର ବନ ବିଭାଗ ଏବଂ ପୁଲିସ୍ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ବାହରାଇଚ ଜିଲ୍ଲାର ଡିଏମ୍ ଏବଂ ଏସପିଙ୍କ ସହ ବୈଠକ କରି ସମସ୍ତ ଅଧିକାରୀଙ୍କୁ କଠୋର ନିର୍ଦ୍ଦେଶ ଦେଇଛନ୍ତି।



