www.samajalive.in
Thursday, December 11, 2025
14.1 C
Bhubaneswar

୨୧ ବର୍ଷ ହେଲା ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର; ଜରିପାଲ ତଳେ ଜୀବନ

ଉତ୍ତରଭୁବନେଶ୍ୱର: ନିର୍ବାଚନ ଆସିଲେ ପାଦତଳେ ମୁଣ୍ଡିଆ ମାରି ନେତାଏ ଭୋଟ ନେଇଥାନ୍ତି। ଅନେକ ପ୍ରତିଶ୍ରୁତି ଦେଇ ଜିତିବା ପରେ ଭୁଲିଯା’ନ୍ତି ଦେଇଥିବା ପ୍ରତିଶ୍ରୁତି। ଏମିତି ଏକ ଅଭିଯୋଗ ବିଏମ୍‌ସି ୪ନଂ ୱାର୍ଡ ନୂଆ ପାଟଣା ଗ୍ରାମର କୁସୁମ ମଲ୍ଲିକ(୯୦) ତାଙ୍କ ପୁଅ ବାବୁଲି ମଲ୍ଲିକ(୫୮) ଏବଂ ମିଟୁ ମଲ୍ଲିକ କରିଛନ୍ତି। ସେମାନଙ୍କ ପରିବାରର ଚାଳ ଛପର ଘର ଓ ମାଟି କାନ୍ଥ ଗତ ୧୯୯୯ ମହାବାତ୍ୟା ସମୟରେ ଧରାଶାୟୀ ହୋଇଥିଲା। ସୌଭାଗ୍ୟବଶତଃ ପରିବାର ଲୋକେ ସିନା ବଞ୍ଚି ଯାଇଥିଲେ ହେଲେ ଗୃହ ହରାଇ ୨୧ ବର୍ଷ ହେଲା ଚିରା ଦଦରା ଜରିପାଲ ତଳେ ଜୀବନ କାଟୁଥିବା କହିଛନ୍ତି।

ବୃଦ୍ଧା କୁସୁମ ଏବଂ ୫୮ବର୍ଷର ପୁଅ ବାବୁଲି ଓ ପିଲା ଛୁଆ ସମସ୍ତେ ଗୋଟିଏ ଜରିପାଲ ତଳେ ଆଜିପର୍ଯ୍ୟନ୍ତ ଜୀବନ କାଟୁଥିବା ବେଳେ ଯେଉଁଠି ରୋଷେଇ ସେଇଠି ଖଟ। ଏପରି ଦୟନୀୟ ଭାବେ ଜୀବନ କାଟୁଥିବା ବେଳେ ଆଜିପର୍ଯ୍ୟନ୍ତ ତାଙ୍କୁ କେହି ସରକାରଙ୍କ ଯୋଜନାରେ ଘରଟିଏ ଯୋଗାଇ ଦେଇ ନାହାନ୍ତି ବୋଲି ଦୁଃଖରେ କହିଛନ୍ତି ବୃଦ୍ଧା କୁସୁମ। ଗୃହ ପାଇବା ପାଇଁ ହକ୍‌ଦାର ଥିଲେ ବି ବିଏମ୍‌ସିକୁ ଯାଇ ଥକି ଗଲେଣି। ସମସ୍ତ କାଗଜପତ୍ର ଜମା କରିଛନ୍ତି ହେଲେ ଘର ମିଳିବା ଦୂରର କଥା କାହାରି ଦେଖା ମିଳୁନି ବୋଲି କହିଛନ୍ତି କୁସୁମ। ନାତୁଣୀ ବୋହୂ ଏକ ଘରୋଇ ସଂସ୍ଥାରୁ ୫୦ହଜାର ଟଙ୍କା ସୁଧକୁ ଆଣି ସିମେଣ୍ଟ ଇଟାରେ ଘର ଉଠାଇଥିଲେବି ତାହା ମଧ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ଅଞ୍ଚଳର ଘର ପିଛା ତିନି ତିନିଟା ଘର ଯୋଗାଉଥିବାବେଳେ ବିଏମ୍‌ସି ଅଞ୍ଚଳରେ ଅତ୍ୟନ୍ତ ଦୁଃଖପୂର୍ଣ୍ଣ ଜୀବନ କାଟୁଥିବା ମୁଣ୍ଡ ଗୁଞ୍ଜିବାକୁ ରାହା ଖୋଜୁଥିବା ଲୋକଙ୍କୁ ସରକାର ଭୁଲିଯାଉଛନ୍ତି କିପରି? ଦିନ ମଜୁରିଆ ଭା​‌​‌ବେ ବାବୁଲି କାର୍ଯ୍ୟ କରି ଆସୁଥିବାବେଳେ ଗତ କିଛି ଦିନ ହେଲା ତାଙ୍କର ଏକ ଗୋଡ଼ ଆଘାତପ୍ରାପ୍ତ ହୋଇ ଖରାପ ହେବାରୁ ସେ ଏବେ ଆଉ କାମ କରି ପାରୁ ନାହାନ୍ତି । ସରକାରଙ୍କ ପକ୍ଷରୁ ୮୦ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ହଜାରେ ଟଙ୍କା ଭତ୍ତା ମିଳୁଥିବାବେଳେ କୁସୁମ ୯୦ବର୍ଷ ଅତିକ୍ରାନ୍ତ କରିଥିଲେବି ତାଙ୍କୁ ମାତ୍ର ୫ଶହ ଟଙ୍କା ମିଳୁଥିବା ସମୁଦ୍ରକୁ ଶଙ୍ଖେ ହୋଇଛି ବୋଲି ଅଭିଯୋଗ କରିଛନ୍ତି। ସେହିପରି ତାଙ୍କ ଘର ପାଖ ମିଟୁ ମଲ୍ଲିକ ଏବଂ ତାଙ୍କର ୪ଜଣ ଝିଅ ଓ ପତ୍ନୀ ଛିଣ୍ଡା ଜରିପାଲ ତଳେ ମୁଣ୍ଡ ଗୁଞ୍ଜିଥିବାବେଳେ ପରିବାର ପ୍ରତିପୋଷଣ କଷ୍ଟଦାୟକ ବୋଲି କହିଛନ୍ତି। ଏବେ ସେ ବାତ ରୋଗରେ ଆକ୍ରାନ୍ତ ହୋଇ କାମଧନ୍ଦା କରି ପାରୁନଥିବା ବେଳେ ଘରେ ଚୁଲି ଜଳିବା ଅସମ୍ଭବ ହୋଇ ପଡ଼ିଛି ବୋଲି କହିଛନ୍ତି। ସେମାନଙ୍କ ଦୁଃଖ ସମୟରେ ସରକାରଙ୍କ ପ୍ରତିଶ୍ରୁତି ଓ ଯୋଜନା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି। ତେଣୁ ଏହି ଦୁଇ ପରିବାରକୁ ସରକାରଙ୍କ ଯୋଜନାରେ ଯୁଦ୍ଧକାଳୀନ ଭିତ୍ତିରେ ପକ୍କା ଘର ଯୋଗାଇ ଦିଆଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories