ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କ ଭାରତ ଗସ୍ତକୁ ବାତିଲ କରିଛନ୍ତି। ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ ବୋରିସ୍ ଜନସନ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାର ଥିଲା । ମାତ୍ର ବ୍ରିଟେନରେକରୋନାଙ୍କ ନୂଆ ଷ୍ଟ୍ରେନ୍ ଯୋଗୁଁ ସେ ଭାରତ ଗସ୍ତକୁ ବାତିଲ କରିଛନ୍ତି। ଏହା ସହ ଏଥିପାଇଁ ସେ ଦୁଃଖପ୍ରକାଶ ମଧ୍ୟ କରିଛନ୍ତି ।
ବ୍ରିଟେନ ପ୍ରଶାସନ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଛନ୍ତି ଏବଂ ଭାରତ ଗସ୍ତକୁ ବାତିଲ କରିଥିବାରୁ ଦୁଃଖପ୍ରକାଶ କରିଛନ୍ତି । ବ୍ରିଟେନରେ ନୂତନ କରୋନାଭାଇରସ୍ ସଂକ୍ରମଣର ଗତି ତୀବ୍ର ହୋଇଛି । ଏହି ସ୍ଥିତିରେ ତାଙ୍କର ବ୍ରିଟେନରେ ରହିବା ଅତ୍ୟନ୍ତ ଜରୁରୀ ବୋଲି ସେ ବିଚାର କରୁଛନ୍ତି । ଏହି ସମୟରେ ସେ ଭାରତ ଯିବା ଉଚିତ୍ ମଣୁନାହାନ୍ତି ବୋଲି ବୋରିସ ଜନସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିବା ସହ ଏହି ଗସ୍ତ ବାତିଲ କରୁଥିବାରୁ ଦୁଃଖିତ ବୋଲି କହିଛନ୍ତି ।

କରୋନା ସଂକ୍ରମଣର ନୂତନ ଷ୍ଟ୍ରେନ୍ ଯୋଗୁଁ ବ୍ରିଟେନରେ ପୁଣି ଥରେ ତାଲାବନ୍ଦ ଆରମ୍ଭ ହୋଇଛି । ସୋମବାର ରାତିରେ ନିଜ ଦେଶବାସୀଙ୍କୁ ସମ୍ବୋଧନ କରି କରି ବୋରିସ୍ କହିଛନ୍ତି ଯେ ଏହା ଦେଶ ପାଇଁ ଏକ କଷ୍ଟକର ସମୟ। ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଏହି ସମୟରେ ଲୋକମାନଙ୍କୁ ଘରେ ରହିବାକୁ ପଡିବ, ସେମାନେ କେବଳ ଆବଶ୍ୟକ କାମ ପାଇଁ ଘରୁ ବାହାରି ପାରିବେ।
ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ ଦୀର୍ଘ ବ୍ୟବଧାନ ପରେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଭାରତର ଗଣତନ୍ତ୍ର ଦିବସ ଉତ୍ସବରେ ଅତିଥି ହେବାକୁ ଯାଉଥିଲେ । ମାତ୍ର ତାଙ୍କ ଦେଶରେ କରୋନାର ନୂଆ ଷ୍ଟ୍ରେନ୍ ନୂତନ ସଂକଟ ସୃଷ୍ଟି କରିଛି । ତେଣୁ ସେ ଭାରତଗସ୍ତ ବାତିଲ କରିଛନ୍ତି । ଏହା ସତ୍ବେ ଭାରତ-ବ୍ରିଟେନ୍ ମଧ୍ୟରେ ସମ୍ପର୍କ ସୁଦୃଢ଼ ରହିବ ଓ ବ୍ରିଟେନର ଅସମୟରେ ଭାରତ ଦୃଢ଼ ଭାବରେ ସେମାନଙ୍କ ସହ ଠିଆ ହେବ। ଏଠାରେ ସୂଚନାଯୋଗ୍ୟ ଯେ ୧୯୯୩ ମସିହାରେ ଶେଷ ଥର ପାଇଁ ବ୍ରିଟେନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜନ୍ ମେଜର ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବରେ ଭାରତ ଆସିଥିଲେ।



