www.samajalive.in
Monday, December 8, 2025
27.1 C
Bhubaneswar

ଅଧିକୃତ ଅଞ୍ଚଳବାସୀଙ୍କୁ ରୁଷର ପାସପୋର୍ଟ ପ୍ରଦାନ

କିଭ୍‍ : ୟୁକ୍ରେନରେ ରୁଷ ସୈନ୍ୟଙ୍କ ଦ୍ୱାରା ଅଧିକୃତ ଅଞ୍ଚଳରେ ସ୍ଥାନୀୟ ଜନସାଧାରଣଙ୍କୁ ରୁଷୀୟ ପାସପୋର୍ଟ ଯୋଗାଣ ଆରମ୍ଭ ହୋଇଛି। ୟୁକ୍ରେନ ଦକ୍ଷିଣ ଭାଗରେ ରୁଷ ସୈନ୍ୟଙ୍କ ଦଖଲରେ ଥିବା ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧିପାଇଥିବାବେଳେ ରୁଷ ସୈନ୍ୟ ତାହାର ମୁକାବିଲା କରିବା ସହିତ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସେବା ପ୍ରଦାନ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ଦକ୍ଷିଣ ଭାଗରେ ମସ୍କୋ ତାହାର ପୂର୍ଣ୍ଣ ଆଧିପତ୍ୟ ଜାହିର କରିବା ଲକ୍ଷ୍ୟରେ ସେଠାକାର ଜନସାଧାରଣଙ୍କୁ ନିଜ ଦେଶର ପାସପୋର୍ଟ ପ୍ରଦାନ କରିବା ସହିତ ରୁଷୀୟ ମୁଦ୍ରା ରୁବଲ ପ୍ରଚଳନ କରିଛି ଏବଂ ୟୁକ୍ରେନର ସେଲ୍‍ଫୋନ ନେଟୱର୍କକୁ ବିଛିନ୍ନ କରିଦେଇଛି। କିଛି ସପ୍ତାହ ହେଲା ୟୁକ୍ରେନ ସରକାରଙ୍କ ପକ୍ଷରୁ ରୁଷର ଏଭଳି ଅପଚେଷ୍ଟା ସମ୍ପର୍କରେ ଜନସାଧାରଣଙ୍କୁ ସତର୍କ କରାଇ ଦିଆଯାଇଥିଲା। ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଏହା ରାଷ୍ଟ୍ରର ସାର୍ବଭୌମତା ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ଖୋଲା ଉଲ୍ଳଂଘନ ହେଉଛି। ରୁଷ ପକ୍ଷରୁ କିଭ୍‍ ବାସିନ୍ଦାଙ୍କୁ ମଧ୍ୟ ପାସପୋର୍ଟ ଯୋଗାଇଦେବାକୁ ମସ୍କୋ ଯୋଜନା କରିଥିବା ସମ୍ପର୍କରେ ପ୍ରମାଣ ରହିଥିବା ୟୁକ୍ରେନ ସୈନ୍ୟବାହିନୀ ପକ୍ଷରୁ ଦାବି କରାଯାଇଛି। ପ୍ରାୟ ଦେଢମାସ ତଳେ ୟୁକ୍ରେନ ସୈନ୍ୟମାନେ ରୁଷ ସୈନ୍ୟଙ୍କୁ କିଭ୍‍ରୁ ପଛକୁ ହଟିବାକୁ ବାଧ୍ୟ କରିବା ସମୟରେ ପୂର୍ବତନ ସୋଭିଏତ୍‍ ୟୁନିୟନର କିଛି ପାସପୋର୍ଟ ଫର୍ମ ମାକାରିଭ ସହର ନିକଟରେ ଥିବା ଏକ ପରିତ୍ୟକ୍ତ ଘରୁ ଜବତ ହୋଇଥିଲା। ରୁଷ ଅଧିକୃତ ଅଞ୍ଚଳରେ ବାସ କରୁଥିବା ୟୁକ୍ରେନ ଜନସାଧାରଣ ରୁଷ ପାସପୋର୍ଟ ପାଇଁ ଆବେଦନ ନକରିବାକୁ ୟୁକ୍ରେନ ଅଧିକାରୀଙ୍କ ପକ୍ଷରୁ ନିବେଦନ କରାଯାଇଛି। ତେବେ ରୁଷ ସେମାନଙ୍କୁ ନିଯୁକ୍ତି ପ୍ରଦାନ ଅଥବା ବଳପୂର୍ବକ ସେମାନଙ୍କ କାଗଜପତ୍ର ପରିବର୍ତ୍ତନ କରିବାକୁ ବାଧ୍ୟ କରିପାରେ ବୋଲି ୟୁକ୍ରେନ ଆଶଙ୍କା କରୁଛି। ରୁଷ ଅଧିକୃତ ଅଞ୍ଚଳରୁ ପଳାୟନ କରୁଥିବା ୟୁକ୍ରେନ ନାଗରିକ ଉକ୍ତ ଅଞ୍ଚଳର ଶୋଚନୀୟ ପରିସ୍ଥିତି ସମ୍ପର୍କରେ ଲୋମହର୍ଷଣକାରୀ ବିବୃତି ଦେଉଛନ୍ତି। ଆତ୍ମ ନିର୍ବାସନରେ ଥିବା ଖେରସନ ମେୟର କହିଛନ୍ତି ଯେ ଉକ୍ତ ପ୍ରାଦେଶିକ ରାଜଧାନୀ ସମ୍ପ୍ରତି ରୁଷ ସୈନ୍ୟଙ୍କ ଦଖଲରେ ରହିଥିବାବେଳେ ହଜାର ହଜାର ସ୍ଥାନୀୟ ଜନସାଧାରଣ ସେମାନଙ୍କ କର୍ମନିଯୁକ୍ତି ହରାଇଛନ୍ତି। ଏପରିକି ଛୋଟମୋଟ ଖାଇବା ଦୋକାନ, କଫି ସପ୍‍ ଆଦି ବନ୍ଦ ହୋଇଯାଇଛି। ସେଠାରେ ୟୁକ୍ରେନ ସେଲ୍‍ଫୋନ ନେଟୱର୍କ ଉପଲବ୍ଧ ହେଉନାହିଁ। ୟୁକ୍ରେନର ବନ୍ଦର ସହର ମାରିଉପୋଲରେ ମୌଳିକ ସ୍ୱାସ୍ଥ୍ୟସେବା ମଧ୍ୟ ମିଳୁନାହିଁ। ସେଠାରେ ସ୍ୱଚ୍ଛ ଜଳର ଘୋର ଅଭାବ ସହିତ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି।
ରୁଷ ଦାବି କରିଛି ଯେ ଏହା ୟୁକ୍ରେନରେ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ଜମାଥିବା ଏକ ବିଶାଳ ଡିପୋକୁ ବିସ୍ଫୋରଣରେ ଧ୍ୱଂସ କରିଦେଇଛି। ରୁଷ ସୈନ୍ୟମାନେ କାଲିବର କ୍ରୁଜ କ୍ଷେପଣାସ୍ତ୍ର ଆକ୍ରମଣ କରି ୟୁକ୍ରେନର ତେର୍ନୋପିଲ ଅଞ୍ଚଳରେ ମହଜୁଦ ଥିବା ଆମେରିକା ଓ ୟୁରୋପୀୟ ରାଷ୍ଟ୍ରର ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିଦେଇଛନ୍ତି। ଏଥିସହିତ ରୁଷ ସୈନ୍ୟ ପୂର୍ବ ୟୁକ୍ରେନର ଡନେସ୍କ ଏବଂ ଖାର୍କିଭ ଅଞ୍ଚଳରେ ତିନିଟି ୟୁକ୍ରେନୀୟ ଏସୟୁ-୨୫ ଲଢୁଆ ଜେଟ୍‍କୁ ଆକ୍ରମଣ କରି ଖସାଇ ଦେଇଥିବା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ୟୁରୋପୀୟ ୟୁନିୟନରେ ୟୁକ୍ରେନ ସାମିଲ ହେବା ପ୍ରସଙ୍ଗ ଉପରେ ଇୟୁର ମୁଖ୍ୟ ସବୁଜ ସଙ୍କେତ ଦେଇଛନ୍ତି। କିଭ୍‍ରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବା ଅବସରରେ ଇୟୁ ମୁଖ୍ୟ ଉର୍ସୁଲା ଭନ୍‍ ଡେର ଲିୟେନ କହିଛନ୍ତି, ୟୁକ୍ରେନର ପ୍ରାର୍ଥୀତ୍ୱ ସମ୍ପର୍କରେ ଆସନ୍ତା ସପ୍ତାହରେ ସ୍ପଷ୍ଟ ସଙ୍କେତ ମିଳିଯିବ। ରୁଷ ସହିତ ଘନିଷ୍ଠ ସମ୍ପର୍କ ରହିଥିବାରୁ ୟୁକ୍ରେନ ଦ୍ୱାରା କଟକଣା ଲଗାଯାଇଥିବା ୟୁକ୍ରେନର କୋଟିପତି ଦିମିତ୍ରୋ ଫିରତାସ୍‍ କହିଛନ୍ତି, ତାଙ୍କର ରାସାୟନିକ କାରଖାନାରେ ସେ ଶତାଧିକ ୟୁକ୍ରେନ ନାଗରିକଙ୍କୁ ଆଶ୍ରୟ ଦେଇଛନ୍ତି। ଦିମିତ୍ରୋ କହିଛନ୍ତି, ଏହି ଯୁଦ୍ଧ ସମ୍ପୂର୍ଣ୍ଣ ଭାବରେ ନିରର୍ଥକ ଏବଂ ଏହା କୌଣସି ଦିଗରୁ ଠିକ୍‍ ବୋଲି କୁହାଯାଇପାରିବ ନାହିଁ। ଏହା କେବଳ ଉଭୟ ପକ୍ଷ ପାଇଁ ଯନ୍ତ୍ରଣା ଆଣିଦେଉଛି। ଇତିମଧ୍ୟରେ ଉତ୍ତର କୋରିଆ ନେତା କିମ୍‍ ଜଙ୍ଗ-ଉନ୍‍ ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ପ୍ରତି ନିଜର ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ରୁଷ ଜନସାଧାରଣ ସମସ୍ତ ଆନ୍ତର୍ଜାତିକ କଟକଣା, ଚାଲେଞ୍ଜ ସତ୍ତ୍ବେ ସେମାନଙ୍କ ରାଷ୍ଟ୍ରର ଗାରିମା ଏବଂ ନିରାପତ୍ତାକୁ ଅକ୍ଷୁଣ୍ଣ ରଖିବା ଦିଗରେ ସାହସର ସହିତ ଲଢେଇ କରୁଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ ଏହା ଏବେ ମଧ୍ୟ ସେଭରଡନେସ୍କରେ ଥିବା ଆଜୋତ କାରଖାନାକୁ ନିଜ ନିୟନ୍ତ୍ରଣରେ ରଖିଛି, ଯେଉଁଠି ଶତାଧିକ ସାଧାରଣ ନାଗରିକ ଆଶ୍ରୟ ନେଇଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories