www.samajalive.in
Tuesday, November 18, 2025
16.1 C
Bhubaneswar

କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି : ହଟିଲା ଓଡ଼ିଆ ଫଳକ, ନବୀନଙ୍କ ସ୍ଥାନରେ ଜଗନଙ୍କ ପୋଷ୍ଟର

ପଟ୍ଟାଙ୍ଗି : କୋଟିଆ ସୀମାନ୍ତ ଗାଁ ଗୁଡ଼ିକରେ ପୁଣିଥରେ ଆନ୍ଧ୍ରର ଦାଦାଗିରି ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଲଗାଯାଇଥିବା ଓଡ଼ିଆ ଫଳକ ଗୁଡ଼ିକ ହଟାଇ ଦିଆଯାଇଥିବାବେଳେ ସମ୍ପୃକ୍ତ ଗାଁ ଗୁଡ଼ିକରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ମରାଯାଇଥିବା ତେଲୁଗୁ ଫଳକ ଶୋଭା ପାଉଛି। ଗୁରୁତ୍ବପୂର୍ଣ୍ଣ ବିଭିନ୍ନ ସ୍ଥାନରେ ଲାଗିଥିବା ନବୀନ ପଟ୍ଟନାୟକଙ୍କ ପୋଷ୍ଟରକୁ ହଟାଇ ସେଠାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଫଟୋ ଥିବା ବଡ଼ ବଡ଼ ତେଲୁଗୁ ପୋଷ୍ଟର ଦେଖିବାକୁ ମିଳୁଛି। ଏହା ଜଣାପଡ଼ିବା ପରେ ଏବେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମାଡକାର, ଡୋଳିଆମ୍ବ, ଫଗୁଣସିନେରି ,ଫାଟୁସିନେରୀ, ହରମାଣ୍ଡାଙ୍ଗି, ନାରେଡିବାଲସା ଭଳି ଆନ୍ଧ୍ର ସୀମାକୁ ସ୍ପର୍ଶ କରୁଥିବା ବହୁ ଗ୍ରାମ ପୁଞ୍ଜରେ ଓଡ଼ିଆରେ ଲେଖାଯାଇଥିବା ନାମ ଫଳକ ଆଉ ଦେଖିବାକୁ ମିଳୁନାହିଁ। ଫାଟୁସିନେରୀ ଗାଁରେ ଲାଗିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟର ଚିରି ଦିଆଯାଇଛି। ଅନ୍ୟପକ୍ଷରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ବଡ଼ ବଡ଼ ପୋଷ୍ଟର ମାଡ଼କାର, ଡୋଳିଆମ୍ବ, ଫଗୁଣସିନେରୀ, ଫାଟୁସିନେରୀ, ହର ମାଣ୍ଡାଙ୍ଗି, ନାରେଡିବାଲସା ଆଦି ସ୍ଥାନରେ ଶୋଭା ବର୍ଦ୍ଧନ କରୁଛି। ଆନ୍ଧ୍ର ସରକାର ବିବାଦୀୟ ଗ୍ରାମପୁଞ୍ଜ ବାସିନ୍ଦାଙ୍କ ପାଇଁ ରେସନ , ବାର୍ଦ୍ଧକ୍ୟ ଭତ୍ତା, ଜମିପଟ୍ଟାଧାରୀଙ୍କୁ ରଇତିବରଷା ସହାୟତା, ଶିକ୍ଷା ଯୋଜନାରେ ଅଗ୍ରୀମ ଭତ୍ତା ସହ କିଛି ଗ୍ରାମକୁ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ କରି ଲୋକଙ୍କୁ ନିଜ ଅକ୍ତିଆରେ ରଖିପାରିଛି। ଆନ୍ଧ୍ର ପ୍ରଶାସନ ଲୋକଙ୍କ ନିକଟରେ ପହଞ୍ଚି ସଚେତନତାର ବାର୍ତ୍ତା ପହଞ୍ଚାଉଥିବାରୁ ଓଡ଼ିଶାର ସମସ୍ତ ସୁବିଧା ସତ୍ତ୍ବେ ସୀମାନ୍ତ ବାସିନ୍ଦା ଆନ୍ଧ୍ର ପାର୍ଶ୍ବକୁ ଢଳୁଥିବା ଲକ୍ଷ୍ୟ କରାଯାଉଛି। ସୂଚନାଯୋଗ୍ୟ ଯେ କୋରାପୁଟ ଜିଲାର ଆନ୍ଧ୍ର ଓଡ଼ିଶା ସୀମାନ୍ତ ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପ୍ୟାକେଜ ମାଧ୍ୟମରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସାଙ୍ଗକୁ ଜୀବନ ଜୀବିକା କ୍ଷେତ୍ରରେ ସ୍ବାବଲମ୍ବୀ ହୋଇ ନିଜ ନିଜର ଆର୍ଥିକ ରାଶି ବୃଦ୍ଧି କରିବା ପାଇଁ ବିଭିନ୍ନ ଯୋଜନା ଓ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି।
ଜଣାଯାଏ ଯେ କୋଟିଆ ପଞ୍ଚାୟତର ୨୭ଖଣ୍ଡ ଗ୍ରାମପୁଞ୍ଜରୁ ୨୧ ଖଣ୍ଡ ଗ୍ରାମ ସର୍ଭେ ନ ହୋଇ ବିବାଦ ଘେରରେ ରହିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଆନ୍ଧ୍ରର ଜବରଦଖଲ ଓ ଅନୁପ୍ରବେଶ ବିରୋଧରେ ଗତ ୧୯୬୩ରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହ ଦେଓ ସର୍ବୋଚ୍ଚ ଅଦାଲତରେ ମାମଲା ଦାୟର କରିଥିବା ବେଳେ ମାମଲା ବିଚାରଧୀନ ରହିଛି। ଅପରପକ୍ଷରେ ସର୍ବୋଚ୍ଚ ଅଦାଲତ ସ୍ଥିତାବସ୍ଥା ଜାରି ରଖିବାକୁ ଉଭୟ ରାଜ୍ୟକୁ ନିର୍ଦେଶ ଦେଇଥିଲେ ହେଁ ଆନ୍ଧ୍ର ପ୍ରଶାସନ ଏହାକୁ ଭୃକ୍ଷେପ ନ କରି ସୀମାନ୍ତରେ ଅବାଧ ଅନୁପ୍ରବେଶ ଜାରି ରଖିଛି। ପଞ୍ଚାୟତର ୨୭ଖଣ୍ଡ ଗ୍ରାମପୁଞ୍ଜରୁ ୭ଖଣ୍ଡ ରାଜସ୍ବ ଗ୍ରାମରେ ଖୋଲାଖୋଲି ଭାବେ ଅନୁପ୍ରବେଶ କରୁ ନ ଥିଲେ ମଧ୍ୟ ସମ୍ପୃକ୍ତ ଗାଁ ଗୁଡ଼ିକରେ ଲୁଚାଛପାରେ ଆନ୍ଧ୍ର ସରକାରଙ୍କ ଗୁଣଗାନ କରି ନିରୀହ ଗ୍ରାମବାସୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ଅକ୍ତିଆରକୁ ନେବା ପ୍ରୟାସ ଜାରି ରଖିଛି। ବର୍ତ୍ତମାନ ପରିସ୍ଥିତିରେ ଆନ୍ଧ୍ର ପ୍ରଶାସନ କେବଳ ବିବାଦୀୟ କୋଟିଆ ପଞ୍ଚାୟତ ଗ୍ରାମପୁଞ୍ଜ ଉପରେ ନଜର ରଖିନାହିଁ, ବରଂ ବିସ୍ତାରବାଦୀ ନୀତିରେ ନିଜ ନୂତନ ଜିଲାର ପରିସୀମା ବଢ଼ାଇବା ପାଇଁ ସୀମାର ବହୁ ନିର୍ବୀବାଦୀୟ ଗ୍ରାମକୁ ମଧ୍ୟ ନିଜ ଦଖଲକୁ ନେବାକୁ ଷଡ଼ଯନ୍ତ୍ର ଚଲାଇଛି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଗତ ୧୦ତାରିଖରେ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଗାଲିଗବଡର ଗ୍ରାମରେ ଆନ୍ଧ୍ରପ୍ରଦେଶ ପ୍ରଶାସନ ପକ୍ଷରୁ ମାଟି, ଜଳ ଓ ଖଣିଜ ସମ୍ପଦ ଉପରେ ବରିଷ୍ଠ ବୈଜ୍ଞାନିକ ୱାଇ.ଭି ଶିବରାମଙ୍କ ନେତୃତ୍ବରେ ୬ଜଣିଆ ଟିମ୍‌ର ସର୍ବେକ୍ଷଣ। ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା ସତ୍ତ୍ବେ ସେ ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ା ଅତିରିକ୍ତ ଜିଲାପାଳ ରାମେଶ୍ବର ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ଘଟଣା କ’ଣ ହୋଇଛି ବୁଝାଯିବ ବୋଲି କହିଛନ୍ତି ା ଅନ୍ୟପକ୍ଷରେ ଏ ନେଇ କୋରାପୁଟ ଜିଲାପାଳ ଅବ୍ଦାଲ ଏମ. ଅଖତରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି, ଏଥିରେ କୌଣସି ନୂତନତ୍ତ୍ବ ନାହିଁ, ଏସବୁ ପୁରୁଣା ପୋଷ୍ଟର ଗତ ବର୍ଷକ ତଳୁ ଲଗାଯାଇଛି, ଆମର ଓଡ଼ିଆ ଫଳକ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ହଟାଯିବା ନେଇ କୌଣସି ଖବର ନାହିଁ କିମ୍ବା କୌଣସି ନୂତନ ପୋଷ୍ଟର ଲଗାଯାଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories