ନୂଆଦିଲ୍ଲୀ,୭ା: ପାକିସ୍ତାନ ବିପକ୍ଷରେ ଗ୍ରହଣ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ ସିନ୍ଦୂର’ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ୭ ଜଣ ସାଂସଦଙ୍କ ନେତୃତ୍ବରେ ସଂସଦୀୟ ପ୍ରତିନିଧି ଦଳ ବିଭିନ୍ନ ରାଷ୍ଟ୍ର ଗସ୍ତ କରିଥିଲେ। ଏମାନଙ୍କ ମଧ୍ୟରୁ ଶନିବାର ଆଉ ଦୁଇଟି ଦଳ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଭେଟି ସେମାନଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି। ଏନସିପି ସାଂସଦ ସୁପ୍ରିୟା ସୁଲେ ଏବଂ ଶିବସେନା (ସିନ୍ଦେ ଗୋଷ୍ଠୀ) ସାଂସଦ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଏହି ଦୁଇଟି ପ୍ରତିନିଧି ଦଳ ଭାରତ ଫେରିଆସିଛନ୍ତି। ସୁପ୍ରିୟାଙ୍କ ଦଳ ଦକ୍ଷିଣ ଆଫ୍ରିକା, ଇଥିଓପିଆ ଓ ଇଜିପ୍ଟ ଗସ୍ତ କରିଥିବାବେଳେ ସିନ୍ଦେଙ୍କ ଦଳ ୟୁଏଇ (ସଂଯୁକ୍ତ ଆରବ ଏମିରେଟ୍ସ), କଙ୍ଗୋ, ସିଏରା ଲିଓନ ଏବଂ ଲାଇବେରିଆ ଗସ୍ତ କରିଥିଲେ। ସୁପ୍ରିୟାଙ୍କ ଦଳ ଗସ୍ତ କରିଥିବା ଦେଶ ମଧ୍ୟରୁ ଅଧିକାଂଶ ମତବ୍ୟକ୍ତ କରିଛନ୍ତି ଯେ ଆତଙ୍କବାଦ ପ୍ରସଙ୍ଗରେ ଭାରତ ପାକିସ୍ତାନ ସହ ଆଲୋଚନା କରିବା ଉଚିତ ହୋଇଥାନ୍ତା। ଆଉ କେତେକ ରାଷ୍ଟ୍ର କହିଛନ୍ତି ଯେ ପାଲେଷ୍ଟାଇନ ଉପରେ ଇସ୍ରାଏଲ ଆକ୍ରମଣ ଜାରି ରଖିଥିବାବେଳେ ଭାରତ କାହିଁକି ପାଲେଷ୍ଟାଇନକୁ ସମର୍ଥନ କରୁନାହିଁ। ଜବାବରେ ପ୍ରତିନିଧି ଦଳ ସେମାନଙ୍କୁ କହିଥିଲେ ଯେ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାରୁ ଏଭଳି ଆଲୋଚନା କୌଣସି ମୂଲ୍ୟ ରଖେ ନାହିଁ। ପାକିସ୍ତାନର କୌଣସି କଥା କିମ୍ବା ପ୍ରତିଶ୍ରୁତି ବିଶ୍ବସଯୋଗ୍ୟ ହେଉନଥିବାରୁ ଏଭଳି ଆଲୋଚନା ଫଳପ୍ରଦ ହେବ ନାହିଁ ବୋଲି ପ୍ରତିନିଧି ଦଳ ପ୍ରତିପକ୍ଷ ରାଷ୍ଟ୍ରନେତାଙ୍କୁ ବୁଝାଇଛନ୍ତି। ଏହି ଦଳ ଗସ୍ତ କରିଥିବା ରାଷ୍ଟ୍ର ମଧ୍ୟରୁ ଅଧିକାଂଶ ମୁସଲମାନ ବହୁଳ ହୋଇଥିବାରୁ ସେମାନେ ପାକିସ୍ତାନକୁ ସମର୍ଥନ ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ଏଭଳି ରାଷ୍ଟ୍ରଙ୍କ ସହ ଆଉ ଆଲୋଚନା କରିବା ବୃଥା ବୋଲି ପ୍ରତିନିଧି ମଣ୍ଡଳ ବିଦେଶ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।
ଅପରପକ୍ଷରେ ସିନ୍ଦେଙ୍କ ଦଳ ଗସ୍ତ କରିଥିବା ରାଷ୍ଟ୍ରଗୁଡିକ ଭାରତ ପ୍ରତି ସହାନୁଭୂତି ଜଣାଇଥିବା ସେମାନେ ରିପୋର୍ଟ କରିଛନ୍ତି। ସିଏରା ଲିଓନ ଓ ଲାଇବେରିଆ ପ୍ରତିନିଧିଙ୍କ ସହ ଆଲୋଚନାର ଆରମ୍ଭ ହେବା ପୂର୍ବରୁ ବିଦେଶୀ ପ୍ରତିନିଧିମାନେ ପହଲଗାଓଁ ଆକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରବ ପ୍ରାର୍ଥନା କରିଥିଲେ। ଏପରି କି ଲାଇବେରିଆ ପାର୍ଲାମେଣ୍ଟରେ ଏଭଳି ଆଲୋଚନା ଅନୁଷ୍ଠିତ ହୋଇଥିବାବେଳେ ସିନ୍ଦେଙ୍କୁ ବକ୍ତବ୍ୟ ରଖିବାକୁ ମଞ୍ଚକୁ ଆମନ୍ତ୍ରଣ କରାଯାଇଥିଲା। ଭାରତ ସହ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିବାକୁ ଏହି ରାଷ୍ଟ୍ରଗୁଡିକ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି। ଭାରତୀୟ ପ୍ରତିନିଧି ମଣ୍ଡଳଙ୍କ ଗସ୍ତକୁ ନେଇ ଜୟଶଙ୍କର ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାତଟି ମଧ୍ୟରୁ ପାଞ୍ଚଟି ପ୍ରତିନିଧିମଣ୍ଡଳ ସ୍ବଦେଶ ଫେରିଆସିଛନ୍ତି। ରବି ଶଙ୍କର ପ୍ରସାଦ ଓ ଶଶୀ ଥରୁରଙ୍କ ନେତୃତ୍ବାଧୀନ ଅବଶିଷ୍ଟ ଦୁଇଟି ଦଳ ଆସନ୍ତା ସପ୍ତାହରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି।
ସ୍ବଦେଶ ଫେରିଲେ ୨ ସଂସଦୀୟ ପ୍ରତିନିଧି ଦଳ
Popular Categories



