କେନ୍ଦ୍ର ବିପକ୍ଷରେ ମମତାଙ୍କ ରଣହୁଙ୍କାର

0

କଲକାତା: କଲକାତାର ବ୍ରିଗେଡ଼ ପ୍ୟାରେଡ଼ ଗ୍ରାଉଣ୍ଡରେ ଆସନ୍ନ ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ କଂଗ୍ରେସ ମୁଖିଆ ମମତା ବାନାର୍ଜୀ ରାଜନୈତିକ ପିଚ ପ୍ରସ୍ତୁତ କରିଛନ୍ତି। ଶନିବାର କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ପଡ଼ିଆରେ ମମତା ରଣହୁଙ୍କାର ଦେଇଛନ୍ତି। ଏଥିପାଇଁ ବିପକ୍ଷ ଦଳକୁ ଏକଜୁଟ କରିଛନ୍ତି ତୃଣମୂଳ ନେତ୍ରୀ ମମତା ବାନାର୍ଜୀ। ୨୦ଟି ବିପକ୍ଷ ରାଜନୈତିକ ଦଳକୁ ଏକତ୍ରିତ କରି ମମତା ୨୦୧୯ସାଧାରଣ ନିର୍ବାଚନରେ ବିଜେପିକୁ କଡ଼ା ଚ୍ୟାଲେଞ୍ଜ କରିଛନ୍ତି।
ଏହି ର୍ୟାଲିରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଡିଏମକେ ମୁଖ୍ୟ ଏମ କେ ଷ୍ଟାଲିନ, ପୂର୍ବ ବିଜେପି ନେତା ଅରୁଣ ସୌରୀ, ଶରଦ ଯାଦବ, ଅରବିନ୍ଦ କେଜରିୱାଲ ପ୍ରମୁଖ ସାମିଲ ହୋଇଛନ୍ତି। ଏପରିକି ମମତାଙ୍କ ଏଭଳି ପ୍ରୟାସକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ସମର୍ଥନ କରିଛନ୍ତି। ର୍ୟାଲିର ଦିନେ ପୂର୍ବରୁ ରାହୁଲ ମମତାଙ୍କୁ ଚିଠି ଲେଖି ସମର୍ଥନ ଜଣାଇଛନ୍ତି। ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା, ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତ ରାଜନୈତିକ ଦଳ ଏକତ୍ରିତ ହୋଇ କେନ୍ଦ୍ର ସରକାର ବିରୋଧରେ ଲଢେଇ ସୁଦୃଢ କରିବାକୁ ରାହୁଲ ତାଙ୍କ ଚିଠିରେ ପରାମର୍ଶ ଦେଇଛନ୍ତି। କଂଗ୍ରେସ ପକ୍ଷରୁ ସାଂସଦ ମଲ୍ଲିକାର୍ଜୁନ ଖାର୍‍ଗେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏପରିକି ଉତ୍ତରପ୍ରଦେଶର ପ୍ରମୁଖ ଆଞ୍ଚଳିକ ଦଳ ବହୁଜନ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ହେବାର କାର୍ଯ୍ୟକ୍ରମ ରହିଛି। ଶନିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆପ୍‍ ସଂସ୍ଥାପକ ଅରବିନ୍ଦ କେଜରିୱାଲ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ, ଆନ୍ଦ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସମେତ ପୂର୍ବ ମୁଖ୍ୟମନ୍ତ୍ରୀ ଏଚଡି ଦେବଗୌଡ଼ା, ଫାରୁକ ଅବଦୁଲ୍ଲା, ଓମର ଅବଦୁଲ୍ଲା ପ୍ରମୁଖ ମଞ୍ଚାସୀନ ହେବାର କାର୍ଯ୍ୟକ୍ରମ ରହିଛି। ଅପରପକ୍ଷରେ ୨୦୧୯ ସାଧାରଣ ନିର୍ବାଚନରେ ଆଞ୍ଚଳିକ ଦଳଗୁଡ଼ିକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ମମତା ଆଶାପ୍ରକାଶ କରିବା ସହ ବିଜେପି ସହ ରାଜନୈତିକ ରଣାଙ୍ଗନରେ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା କ୍ଷେତ୍ରରେ ରୂପରେଖ ପ୍ରସ୍ତୁତ କରିବାରେ ମମତାଙ୍କ ଏଭଳି ଆୟୋଜନ ସହାୟକ ହେବ ବୋଲି କୁହାଯାଉଛି।

Leave A Reply