www.samajalive.in
Monday, December 8, 2025
13.1 C
Bhubaneswar

ଦୁଗ୍ଧଚାଷୀଙ୍କ ମୁଣ୍ଡରେ କରୋନା ଚଡକ, ୨ ଦିନରେ ଥରେ କ୍ଷୀର ସଂଗ୍ରହ କରୁଛି ଓମଫେଡ୍‍

ଟିଟିଲାଗଡ଼: ବିଗତ ୨ ବର୍ଷ ହେଲା କରୋନା ମହାମାରୀ ଟିଟିଲାଗଡ ଅଞ୍ଚଳର ଦୁଗ୍ଧଚାଷୀଙ୍କୁ ତଳିତଳାନ୍ତ କରିଥିବା ଅଭିଯୋଗ ହୋଇଛି। ଚାଷୀ ଓମଫେଡ ସହ ଅନୁବନ୍ଧିତ ହୋଇଥିବା ବେଳେ ସେମାନଙ୍କ କ୍ଷୀର ଓମଫେଡ କ୍ରୟ କରୁ ନଥିବା ଅଭିଯୋଗ ହୋଇଛି। ଏନେଇ ବିଶେଷ କରି ଗାଈ ଋଣ ଆଣି ନିଜ ପରିବାରର ପେଟପାଟଣା ନେଇ ଆଶାନ୍ୱିତ ଦୁଗ୍ଧ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ସରକାରଙ୍କ ଦ୍ୱାରା ମରୁଡି ପ୍ରପୀଡିତ ତଥା ଦାଦନଗଡ ଭାବରେ ପରିଚିତ ଟିଟିଲାଗଡ ଅଞ୍ଚଳରେ ବିକଳ୍ପ ଆୟର ପନ୍ଥା ଭାବରେ ଗୋପାଳନ ନେଇ ଚାଷୀଙ୍କୁ ପ୍ରୋତ୍ସାହିତ ସହ ବ୍ଲକ ଅନ୍ତର୍ଗତ କତରକେଲା ଗ୍ରାମରେ ଓମଫେଡ ପକ୍ଷରୁ ୨୦୧୯ ଜାନୁଆରି ୨୯ରେ ଦୁଗ୍ଧ ଶୀତିକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ପୂର୍ବରୁ କଳାହାଣ୍ଡି ଜିଲା ତୁଣ୍ଡଲା କେନ୍ଦ୍ରକୁ ଚାଷୀ ନିଜ କ୍ଷୀର ବିକ୍ରୟ କରୁଥିଲେ। ତେବେ କତରକେଲା ଠାରେ ଶୀତଳିକରଣ କେନ୍ଦ୍ର ପ୍ରତିଷ୍ଠା ହେବା ପରେ ଟିଟିଲାଗଡ ତଥା ପଡୋଶୀ କଳାହାଣ୍ଡି ଜିଲା ଅଞ୍ଚଳର ପ୍ରାୟ ୫ଶହ ଚାଷୀ ଜୟ ଜଗନ୍ନାଥ ସମବାୟ ସମିତି, କତରକେଲା ଜରିଆରେ ଦୁଗ୍ଧ ବିକ୍ରୀ କରି ଦି ପଇସା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି। କତରକେଲା କେନ୍ଦ୍ରରେ ଚାଷୀ ଦୁଗ୍ଧ ଜମା କଲେ ଭବାନୀପାଟଣାରୁ ଟ୍ୟାଙ୍କର ଆସି କ୍ଷୀର ସଂଗ୍ରହ କରିଥାଏ। ହେଲେ ଗତ ୨ ବର୍ଷ ହେଲା କରୋନା ମହାମାରୀ ଆଳ ଦେଖାଇ ମନଇଚ୍ଛା ୨ ଦିନରେ ଥରେ ଦୁଗ୍ଧ ସଂଗ୍ରହ କରାଯାଉଥିବା ଅଭିଯୋଗ ହୋଇଛି। ଗତ ବର୍ଷ ମହମାରୀ କଟକଣା ଯୋଗୁଁ ଦୋକାନ ବଜାର ବନ୍ଦ ଆଳରେ ମାସ ମାସ ଧରି ଓମଫେଡ ପକ୍ଷରୁ ଚାଷୀଙ୍କୁ ଦୁଗ୍ଧ ସଂଗ୍ରହ ସପ୍ତାହକୁ ଦୁଇ ବା ୩ ଦିନରେ ଥର ସଂଗ୍ରହ କରାଯାଇଥିଲା। ଏନେଇ ଚାଷୀ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଥିଲେ। ବର୍ତ୍ତମାନ ଚଳିତ ମାସ ୫ରୁ ଓମଫେଡ ପକ୍ଷରୁ ୨ ଦିନରେ ଥରେ କତରକେଲା କେନ୍ଦ୍ରରୁ କ୍ଷୀର ସଂଗ୍ରହ କରାଯାଉଛି। ଫଳରେ ଅନେକ ଚାଷୀ କ୍ଷୀର ବିକ୍ରୟ କରି ନପାରି ମାଗଣାରେ ବାଣ୍ଟିବା ଭଳି ପରିସ୍ଥିତି ସୃଷ୍ଟି କରିଛି। ଏପରିକି ନିଜ ପରିବାର ପୋଷଣ ତ ବହୁ ଦୂରର କଥା ଗାଈଙ୍କ ସ୍ୱାସ୍ଥ୍ୟ ରକ୍ଷା ନେଇ ଆବଶ୍ୟକ ଗୋଖାଦ୍ୟ କିଣିବାରେ ମଧ୍ୟ ଅନେକ ଚାଷୀ ଅସକ୍ଷମ ହୋଇପଡିଥିବା ଦୁଗ୍ଧ ଚାଷୀ ପିତାମ୍ବର ବେହେରା ଅଭିଯୋଗ କରିଛନ୍ତି।

- Advertisement -

ଶୀତଳିକରଣ କେନ୍ଦ୍ର ପ୍ରତିଷ୍ଠା ପରେ ଅନେକ ଚାଷୀ ଗୋପାଳନ ନେଇ ଉତ୍ସାହିତ ହୋଇପଡିଥିବା ବେଳେ କେନ୍ଦ୍ରର କ୍ଷମତା ବୃଦ୍ଧି କରିବାକୁ ଦୀର୍ଘ ବର୍ଷର ଦାବି ମୁତାବକ ଓମଫେଡ ଅଧିକାରୀ କିମ୍ବା ରାଜ୍ୟ ସରକାର କୌଣସି ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି। ଏନେଇ ଚାଷୀ ସେମାନଙ୍କ ଉତ୍ପାଦିତ ଦୁଗ୍ଧରୁ ଖୁବ କମ ପରିମାଣ ହିଁ ଓମଫେଡକୁ ବିକ୍ରୟ କରିବାରେ ସକ୍ଷମ ହେଉଥିବା ଅଭିଯୋଗ ହୋଇଛି। କୋଟିପତି ଲୋକ ଅଣ୍ଡା ଫାର୍ମ କରିଥିବା ବେଳେ ସେମାନଙ୍କ ଉତ୍ପାଦନ ଅଧିକ ସଂଖ୍ୟାରେ ବିକ୍ରୟ ପାଇଁ ସରକାରୀ ଯୋଜନାର ସୁଅ ଛୁଟୁଛି। ହେଲେ ଗରିବ ଚାଷୀ ଗୋପାଳନ କରିଥିବା ବେଳେ ତା’ର ଉତ୍ପାଦିତ କ୍ଷୀର ରାସ୍ତାରେ ଢାଳି ଦେଉଥିବା, ମାଗଣାରେ ବାଣ୍ଟିଦେଉଥିବା ଭଳି ସ୍ଥିତିରେ ସରକାର ନିରବଦ୍ରଷ୍ଟା ସାଜିବସିଥିବା ଅଭିଯୋଗ ହୋଇଛି। ରାଜ୍ୟ ତଥା ଦେଶରେ ଘରୋଇ ଉଦ୍ୟମରେ କ୍ଷୀରରୁ ପାଉଡର ପ୍ରସ୍ତୁତି ଉଦ୍ୟୋଗ ପ୍ରତିଷ୍ଠା ହୋଇଛି। ହେଲେ ସରକାରଙ୍କ ଧଳା ହାତୀ ଓମଫେଡ ଏଭଳି ଉଦ୍ୟୋଗ ପ୍ରତିଷ୍ଠା ସହ ଗରିବ ଦୁଗ୍ଧ ଚାଷୀଙ୍କ କଲ୍ୟାଣ ପାଇଁ କୌଣସି ଯୋଜନା ନଥିବା ହାସ୍ୟାସ୍ପଦ ଓ ନିନ୍ଦନୀୟ ବୋଲି ବରିଷ୍ଠ ଚାଷୀ ନେତା ବାଲକୃଷ୍ଣ ଷାଣ୍ଢ କହିଛନ୍ତି। କ୍ଷୀର ଯଦି ବିକ୍ରୀ ହେବ ନାହିଁ ତେବେ ଚାଷୀ ଗୋଖାଦ୍ୟ କିଭଳି କ୍ରୟ କରିବେ, ଋଣ କିଭଳି ପରିଶୋଧ କରିବେ, ଚାଷୀ ପରିବାର କଣ ଖାଇ ବଞ୍ଚି ବୋଲି ଶ୍ରୀ ଷାଣ୍ଢ ପ୍ରଶ୍ନ କରିଛନ୍ତି। ଏକ୍ଷେତ୍ରରେ ଚାଷୀଙ୍କ ଗାଈ ସୁଧ ଋଣ ସମ୍ପୁର୍ଣ୍ଣ ଛାଡ, ଗୋଖାଦ୍ୟ ମାଗଣା ଦିଆଯାଉ ନଚେତ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କାନରେ ଡିଜିଟାଲ ଟ୍ୟାଗ ଲଗାଇଥିବା ଗାଈ ଫେରସ୍ତ ନିଅନ୍ତୁ ବୋଲି ସେ କହିଛନ୍ତି।

ବଲାଙ୍ଗିର-କଳାହାଣ୍ଡି-ନୂଆପଡା ଜିଲା ଆଞ୍ଚଳିକ ଦୁଗ୍ଧ ସଂଘ ସାଧାରଣ ପରିଚାଳକ ଡା. ସରୋଜ ସାହୁଙ୍କୁ ଯୋଗାଯୋଗ କରିବାରୁ ତାଲା ବନ୍ଦ ଯୋଗୁଁ ସବୁ ଦୋକାନ ବଜାର ବନ୍ଦ, କ୍ଷୀରର ବିକ୍ରୟ ନାହିଁ। ଚାଷୀଙ୍କ ଠାରୁ କ୍ଷୀର ନେଇ ଫିଙ୍ଗି ତ ହେବ ନାହିଁ ବୋଲି କହିଛନ୍ତି। କ୍ଷୀର ପ୍ୟାକେଟ କିମ୍ବା କ୍ଷୀରରୁ ପାଉଡର ପ୍ରସ୍ତୁତ କରି ବିଦ୍ୟାଳୟ ତଥା ଅଙ୍ଗନବାଡି କେନ୍ଦ୍ରର ଶିଶୁ, ଗର୍ଭବତି ମହିଳାଙ୍କୁ ପ୍ରଦାନ କଲେ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ପଚାରିବାରୁ ଆମ ହାତରେ ଖଡା ସିଝିବ ନାହିଁ, ସବୁ କିଛି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି ବୋଲି ଡା.ସାହୁ କହିଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories