www.samajalive.in
Monday, December 8, 2025
14.1 C
Bhubaneswar

କରୋନା ମହାମାରି କରାଳ ଛାୟାରେ ଟିଟିଲାଗଡ଼: ଦ୍ୱିତୀୟ କରୋନା ମୃତ୍ୟୁ, ଆଜି ୧୦ କୋଭିଡ ଯୋଦ୍ଧା ସଂକ୍ରମିତ

ଟିଟିଲାଗଡ଼:ଟିଟିଲାଗଡ ପୌରାଞ୍ଚଳରେ ଗତ ଅଗଷ୍ଟ ମଧ୍ୟଭାଗରୁ କରୋନା ନିଜ କାୟା ଦୃତ ଗତିରେ ବିସ୍ତାର କରିବାକୁ ଲାଗିଛି। ସେପ୍ଟେମ୍ବରରେ ପ୍ରତ୍ୟେହ ପ୍ରାୟ ଦୁଇ ଅଙ୍କ ଛୁଇଁବା ହଇଚଇ ସୃଷ୍ଟି କରିଛି। ପ୍ରାୟତଃ ସହରର ସମସ୍ତ ପଡା, ଗଳିକନ୍ଦିରେ କରୋନା ପହଞ୍ଚିସାରିଛି। ନୂଆଖାଇ ପୁର୍ବରୁ ଏନେଇ ସହରର କିଛି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ ଭାବରେ ସିଲ କରାଯାଇଥିଲା। ତେବେ ପରବର୍ତ୍ତି ପର୍ଯ୍ୟାୟରେ ସମସ୍ତ ସହରକୁ ଖୋଲା କରିଦିଆଯାଇଛି। ଏହାକୁ ତାଳ ଦେଇ ଟିଟିଲାଗଡ ଉପଖଣ୍ଡ ଅଞ୍ଚଳରେ ମଧ୍ୟ କରୋନା ମହାମାରି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଟିଟିଲାଗଡ ଉପଜିଲାପାଳ ସୌମେଶ ଉପାଧ୍ୟାୟ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଏବଂ ରବିବାର ଉପଖଣ୍ଡ ଅଞ୍ଚଳ ସମ୍ପୂର୍ଣ୍ଣ ସଟଡାଉନ ପାଇଁ ଅଗଷ୍ଟ ୨୮ରେ ନିର୍ଦ୍ଦେଶ ଜାରି କରିଥିଲେ। ତେବେ ତା’ ପରଦିନ ଏହି ନିର୍ଦ୍ଦେଶ ପ୍ରତ୍ୟାହାର କରି ନିଆଯାଇଛି। ଏନେଇ ଜରୁରି ସେବା ସମେତ ସମସ୍ତ ଘରୋଇ ଯାନବାହାନ ଚଳାଚଳ, ଦୋକାନ ବଜାର, ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ପୂର୍ବଭଳି ଖୋଲିଯାଇଛି।
ଟିଟିଲାଗଡ ସହରରେ ଅଦ୍ୟାବଧି ୧୧୭୦ ଜଣଙ୍କ ଆନ୍ଟିଜେନ ପରିକ୍ଷାରେ ୧୯୧ ପୋଜିଟିଭ ଚିହ୍ନଟ ହୋଇଛନ୍ତି। ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ୧୦ କୋଭିଡ ଯୋଦ୍ଧା ସଂକ୍ରମିତ ହେବା ଚିନ୍ତାର କାରଣ ସାଜିଛି। ଏପରିକି ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ରୋଗୀ ସଂକ୍ରମିତ ଚିହ୍ନଟ ହେବା ନେଇ ଆତଙ୍କ ଖେଳିଯାଇଛି। ଏସମ୍ପର୍କରେ ଡାକ୍ତରଖାନାକୁ ଆସୁଥିବା ପ୍ରସୁତି ମହିଳା ତଥା ଅନ୍ୟ ରୋଗୀଙ୍କୁ ଭର୍ତ୍ତି ପୂର୍ବରୁ ପ୍ରଥମେ କୋଭିଡ ଟେଷ୍ଟ ନିଶ୍ଚିତ କରିବାକୁ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ମୁକେଶ ଜୈନ ବଲାଙ୍ଗିର ଜିଲା ଚିକିତ୍ସା ଅଧିକାରୀ ଏବଂ ଟିଟିଲାଗଡ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଜି ଫୋନ ଯୋଗେ ଆଲୋଚନା ସହ ଦାବି କରିଛନ୍ତି। ତେବେ ଜ୍ୱର ତଥା ଶର୍ଦ୍ଦିକାଶରେ ପୀଡିତ ରୋଗୀଙ୍କୁ ପ୍ରଥମେ ଆଇସୋଲେସନ ୱାର୍ଡରେ ଭର୍ତି କରିବା ବ୍ୟବସ୍ଥା ଆରମ୍ଭ ହୋଇଥିବା ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡା. କୃଷ୍ଣଚନ୍ଦ୍ର ପାଳ ସୁଚନା ଦେଇଛନ୍ତି।
କରୋନା ଲକ୍ଷଣ ଥିବା ରୋଗୀଙ୍କ ଆଉଟଡୋର ସେବା ମଧ୍ୟ ଅନ୍ୟତ୍ର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ନିଜ ଘରେ ଆଇସୋଲେସନରେ ରହିଥିବା ଜଣେ ସଂକ୍ରମିତଙ୍କୁ ଗତକାଲି ଗୁରୁତର ଅବସ୍ଥାରେ ଟିଟିଲାଗଡ କରୋନା କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ହାଇ ସୁଗର ରହିଥିବା ଜଣାଯାଇଛି। ପୂର୍ବରୁ ଜଣେ ସିକ୍‌ଲିନ୍‌ ପୀଡିତ ରୋଗୀଙ୍କ ମୃତ୍ୟୁ ସମେତ ଟିଟିଲାଗଡରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଦୁଇରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଅଧିକାରୀ ଡା. ପାଳ ସ୍ପଷ୍ଟ କରିଛନ୍ତି।
ଅନ୍ୟପଟରେ ପ୍ରଶାସନ ପକ୍ଷରୁ କରୋନା ସଂକ୍ରମିତଙ୍କୁ ନିଜ ଘରେ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ସେମାନଙ୍କ ସମ୍ପର୍କିୟ ବାହାରେ ବୁଲୁଥିବା ନାରୀ ଶକ୍ତି ନେତ୍ରୀ ଅଞ୍ଜଳି ବେହେରା ଆଜି ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡା. ପାଳଙ୍କ ସୂଚନା ଦେଇଛନ୍ତି। ସହରର ପରିସ୍ଥିତି ଅଚାନକ ବିପଦ ଆଡକୁ ଠେଲି ହୋଇଯଉଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଶ୍ରୀମତି ବେହେରା ଅଭିଯୋଗ କରିିଛନ୍ତି। ଟିଟିଲାଗଡ ହାଇସ୍କୁଲ ପଡାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଘୋଷଣା କରାଯାଇଥିବା ବେଳେ ସେ ସଂକ୍ରମିତ କିଏ ତାହା ସ୍ବାସ୍ଥ୍ୟକର୍ମୀ ଜାଣିପାରୁନଥିବା କହିଛନ୍ତି। ସେହିପରି ସହରରେ କୌଣସି କଚୋରି ପଡା ନଥିବା ବେଳେ ସେହି ପଡାରେ ଅନେକ ସଂକ୍ରମିତ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ସହରରେ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବୃଦ୍ଧି ପାଉଥିବା ବେଳେ ସଂକ୍ରମିତଙ୍କ ତଥ୍ୟ ନେଇ ପ୍ରଶାସନର ସୂଚନା ଦେଇ ଲୋକେ ଦ୍ବନ୍ଦ୍ବରେ ପଡୁଛନ୍ତି। ସହରରେ କରୋନା ଜନିତ ମୃତ୍ୟୁ ଘଟୁଥିବା ବେଳେ ଏନେଇ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଟିଟିଲାଗଡ ନାଗିରକ କମିଟି ସଭାପତି ରାଧାକାନ୍ତ ପାଢୀ ଦାବି କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories