ତିଗିରିଆ: କଟକ ଜିଲ୍ଲା ତିଗିରିଆ ବ୍ଲକରେ ପୁଲିସର ଅପରେସନ “ପ୍ରହାର ” ଦେଖିବାକୁ ମିଳିଛି। କଟକ ଜିଲ୍ଲା ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ତିଗିରିଆ ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟଙ୍କ ନେତୃତ୍ୱରେ ଚୋରା ଦେଶୀ ମଦ ଭାଟି ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ପୋଚ, ଦେଶୀ ମଦ, ରନ୍ଧନ ସାମଗ୍ରୀ ଓ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି। ଏହି ଚୋରା କାରବାରରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଗିରଫ ପରେ ଅଦାଲତ ଚାଲାଣ ହୋଇଛି। ଥାନା ଅଧିକାରୀଙ୍କ ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ପୁଲିସ ପାଟ୍ରୋଲିଂ ସମୟରେ ଏହି ଥାନା ଅନ୍ତର୍ଗତ ହରିଡାପଶି ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତି ସଂକ୍ରାନ୍ତରେ ଖବର ପାଇ ଥାନା ପୁଲିସ ଚଢାଉ କରିଥିଲା। ଜଙ୍ଗଲ ମଧ୍ୟରେ ମଦ ପ୍ରସ୍ତୁତି ସ୍ଥାନରୁ ୧ ହଜାର ଲିଟର ଗୁଡ଼ ପୋଚ, ୯ଟି ୩୦ ଲିଟର ବିଶିଷ୍ଟ ପ୍ଲାଷ୍ଟିକ ଜାରକିନରେ ଭର୍ତ୍ତି ହୋଇ ରହିଥିବା ସଦ୍ୟ ପ୍ରସ୍ତୁତ ୨୭୦ ଲିଟର ଦେଶୀ ମଦ, ଅନ୍ୟାନ୍ୟ ରନ୍ଧନ ସାମଗ୍ରୀ ଏବଂ ଉପକରଣକୁ ଜବତ କରାଯାଇଥିଲା। ମଦ ରନ୍ଧା ପାଇଁ ବ୍ୟବହୃତ ବିପୁଳ ପରିମାଣର କାଠ ଗଡ଼ ମଧ୍ୟ ଜବତ କରାଯାଇଛି। ଏଥିରେ ସଂପୃକ୍ତ ଅଭିଯୁକ୍ତ ହରିଡାପଶି ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ପୁଅ କାହ୍ନୁ ବେହେରା ( ୨୪) କୁ ଗିରଫ କରାଯାଇ ଅଦାଲତ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ସମୁଦାୟ ଜଣେ ପୁଲିସ ନିରୀକ୍ଷକ, ଜଣେ ଉପନୀରିକ୍ଷକ, ଦୁଇ ଜଣ ସହ-ଉପନିରୀକ୍ଷକ, ୧୪ ଜଣ ଆରକ୍ଷୀ ଏବଂ ଦୁଇ ଜଣ ଗୃହରକ୍ଷୀ ଅଂଶ ଗ୍ରହଣ କରିଥିଲେ ।
୧୫ ସେପ୍ଟେମ୍ବରରେ ବୁଧ ମହାଚଳନ ପରେ ରାଜଯୋଗ ; ଏହି ରାଶି ହଠାତ୍ ହେବେ ଧନୀ..



