ସାରଣ : ପଶୁ ଚୋରି ସନ୍ଦେହରେ ତିନି ଜଣ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଅଭିଯୋଗ ହୋଇଛି । ବିହାରର ସାରଣ ଅନ୍ତର୍ଗତ ବନିୟାପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଏସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ ବନିୟାପୁର ଥାନା ଅନ୍ତର୍ଗତ ନନ୍ଦଲାଲ ଟୋଲା ଗାଁରେ ୪ ଜଣ ଚୋର ଏକ ପିକଅପ୍ ଭ୍ୟାନ୍ ନେଇ ଗାଁରେ ପଶିଥିଲେ । ଗ୍ରାମରେ ଥିବା ଜଣଙ୍କ ଗୁହାଳ ଘରେ ପଶି ଗୃହ ପାଳିତ ପଶୁଙ୍କୁ ଖୋଲି ନେବାକୁ ଚେଷ୍ଟା କରିବା ସମୟରେ ଘର ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା । ଘରଲୋକ ୪ ଜଣ ଚୋରକୁ କାବୁ କରିବା ସହ ନିସ୍ତୁକ ପିଟିଥିଲେ । ଏହା ସହ ସେମାନଙ୍କ ପଡୋଶୀ ଓ ଅନ୍ୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଚୋରମାନଙ୍କୁ ନିର୍ଦ୍ଦୁମ ଛେଚିଥିଲେ । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ବନିୟାପୁର ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା। ସେଠାରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ସହ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।



