www.samajalive.in
Saturday, December 6, 2025
26.1 C
Bhubaneswar

ତାଲିମପ୍ରାପ୍ତ ଭାରୀଯାନ ଚାଳକ ଅଭାବ: ୩ ଜିଲାରେ ଖୋଲିବ ଡ୍ରାଇଭିଂ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ

ଭୁବନେଶ୍ବର: ରାଜ୍ୟରେ ଅଧିକ ସଂଖ୍ୟକ ଗାଡ଼ିଚାଳନା ପ୍ରଶିକ୍ଷଣ ପ୍ରତିଷ୍ଠାନ ନଥିବାରୁ ତାଲିମପ୍ରାପ୍ତ ଭାରୀଯାନ ଚାଳକଙ୍କ ସଂଖ୍ୟା ଖୁବ୍‌ କମ୍‌ ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅଧିକରୁ ଅଧିକ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ (ଆଇଡିଟିଆର) ପ୍ରତିଷ୍ଠା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଏବେ ୪ଟି ଆଇଡିଟିଆର ରହିଥିବା ବେଳେ ଅନୁଗୋଳ, ସମ୍ବଲପୁର ଏବଂ କୋରାପୁଟ ଜିଲାରେ ଆଇଡିଟିଆର ପ୍ରତିଷ୍ଠା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ମର୍ମରେ ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀ ସମ୍ପୃକ୍ତ ଜିଲାର ଜିଲାପାଳଙ୍କୁ ପତ୍ର ଲେଖି ଏ ସମ୍ପର୍କରେ ଅବଗତ କରିଛନ୍ତି।

ସୂଚନା ଅନୁଯାୟୀ, ଯାଜପୁରର ଛତିଆ, ବ୍ରହ୍ମପୁର, କେନ୍ଦୁଝର ଏବଂ ସୁନ୍ଦରଗଡ଼ର ବଣାଇରେ ବର୍ତ୍ତମାନ ଆଇଡିଟିଆର କାର୍ଯ୍ୟକ୍ଷମ ରହିଛି। ଏଠାରୁ ପ୍ରଶିକ୍ଷିତ ଚାଳକ ଦୁର୍ଘଟଣାମୁକ୍ତ ରେକର୍ଡ ବଜାୟ ରଖୁଛନ୍ତି। ଆଗାମୀ ଦିନରେ ଅନୁଗୋଳ, ସମ୍ବଲପୁର ଏବଂ କୋରାପୁଟ‌େ‌ର ଆଇଡିଟିଆର ସ୍ଥାପନ କରାଯିବାକୁ ନିଷ୍ପତ୍ତି ହୋଇଛି। ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ଜରିଆରେ ଆଇଡିଟିଆର ପ୍ରତିଷ୍ଠା ପାଇଁ ଅନୁମତି ଦେବାକୁ ଯୋଜନା ଏବଂ ସଂଯୋଜନ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ଡିଏମ୍‌ଏଫ୍‌ ନିୟମ, ଅନ୍ୟ ମାର୍ଗଦର୍ଶିକା ଅନୁଯାୟୀ ଅନୁଗୋଳ, କୋରାପୁଟ ଏବଂ ସମ୍ବଲପୁର ଡିଏମ୍‌ଏଫ୍‌ ଟ୍ରଷ୍ଟକୁ ପ୍ରସ୍ତାବ ପଠାଇବାକୁ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ତିନି ଜିଲାର ଡିଏମ୍‌ଏଫ୍‌ ଟ୍ରଷ୍ଟକୁ ଏ ସଂକ୍ରାନ୍ତ ବିସ୍ତୃତ ପ୍ରସ୍ତାବ ଦେବା ପାଇଁ ପରିବହନ ଆୟୁକ୍ତଙ୍କୁ କୁହାଯାଇଛି। ପରିବହନ ଆୟୁକ୍ତଙ୍କଠାରୁ ପ୍ରସ୍ତାବ ପାଇବା ପରେ ତୁରନ୍ତ ପାଣ୍ଠି ମଞ୍ଜୁର କରିବାକୁ ସମ୍ପୃକ୍ତ ୩ଟି ଜିଲାର ଜିଲାପାଳ ଏବଂ ଡିଏମ୍‌ଏଫ୍‌ ଟ୍ରଷ୍ଟ ଅଧ୍ୟକ୍ଷ ତଥା ପରିଚାଳନା ଟ୍ରଷ୍ଟିଙ୍କୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଗୋଟିଏ ଆଇଡିିଟିଆର ପ୍ରତିଷ୍ଠା ପାଇଁ ପ୍ରାୟ ୨୫ କୋଟି ଟଙ୍କା ଖର୍ଚ୍ଚ ହେବ।

- Advertisement -

ଆଇଡିଟିଆର ସ୍ଥାପନ ପାଇଁ ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ନିମନ୍ତେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍କିମ୍‌ ଅଣାଯାଇଛି। ଏହି ସ୍କିମ୍‌ର ମାର୍ଗଦର୍ଶିକା ଅନୁସାରେ ପ୍ରତି ଆଇଡିଟିଆର ପାଇଁ ମନ୍ତ୍ରଣାଳୟ ୧୭.୨୫ କୋଟି ଟଙ୍କା ସହାୟତା ପ୍ରଦାନ କରିବ। ଅନୁଗୋଳ, ସମ୍ବଲପୁର ଏବଂ କୋରାପୁଟରେ ଆଇଡିଟିଆର ପ୍ରତିଷ୍ଠା ବାବଦକୁ ଆର୍ଥିକ ସହାୟତା ପାଇଁ ପରିବହନ ବିଭାଗ ପକ୍ଷରୁ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଛି। ଡିଏମ୍‌ଏଫ୍‌ରୁ ଆବଶ୍ୟକ ପାଣ୍ଠି ମଞ୍ଜୁର କରି ୩ ଜିଲାରେ ଆଇଡିଟିଆର ନିର୍ମାଣ ଆରମ୍ଭ କରିବାକୁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟରୁ ପାଣ୍ଠି ମିଳିବା ପରେ ସମ୍ପୃକ୍ତ ଡିଏମ୍‌ଏଫ୍‌କୁ ଅର୍ଥ ଫେରାଇ ଦିଆଯିବ। ଅତିରିକ୍ତ ୭ରୁ ୮ କୋଟି ଟଙ୍କା କେବଳ ଡିଏମ୍‌ଏଫ୍‌ ପାଣ୍ଠିରୁ ବହନ କରାଯିବ ବୋଲି ଜଣାପଡ଼ିଛି। ଘୋଷଣା କରାଯାଇଥିବା ୩ ଜିଲା ବ୍ୟତୀତ ଭୁବନେଶ୍ବର ଏବଂ କଳାହାଣ୍ଡିରେ ମଧ୍ୟ ଆଇଡିଟିଆର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ରହିଛି। ସେହିପରି ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ୩୫ରୁ ଅଧିକ ସ୍ଥାନରେ ସ୍ବୟଂକ୍ରିୟ ଟେଷ୍ଟିଂ ଷ୍ଟେସନ ସ୍ଥାପନ ଦିଗରେ କାର୍ଯ୍ୟ ଜାରି ରଖିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories