www.samajalive.in
Monday, December 8, 2025
27.1 C
Bhubaneswar

ନେତା, ମନ୍ତ୍ରୀଙ୍କ ମଧ୍ୟରେ ଛାନିଆ ପଶିଛି-ଏହା ହେଉଛି ଓଡ଼ିଶା ଇତିହାସରେ ସବୁଠୁ ବଡ଼ ଚଢ଼ଉ

ଓଡ଼ିଶା ଇତିହାସରେ ସବୁଠୁ ବଡ଼ ଚଢ଼ଉ
ଭୁବନେଶ୍ବର/ବଲାଙ୍ଗୀର/ସମ୍ବଲପୁର, : ପୁଳା ପୁଳା ଟଙ୍କା। ଗଣି ଗଣି ଆୟକର ଅଧିକାରୀ ହାଲିଆ। ଟଙ୍କା ଗଣିବା ମେସିନ ମଗାଗଲା ହେଲେବି ସରୁନି ଟଙ୍କା ଗଣା। ସମସ୍ତ ଟଙ୍କା ଗଣିବା ଲାଗି ଆଉ ଦୁଇ ଦିନ ଲାଗିବା ଆଶଙ୍କା ରହିଛି। ତୃତୀୟ ଦିନରେ ବି ଚଢ଼ଉ ଜାରି ରଖିଛି ଆୟକର ବିଭାଗ (ଆଇଟି)। ଇତିମଧ୍ୟରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡ଼ି) ଏହି ଘଟଣାର ତଦନ୍ତ କରିବ ବୋଲି ଜଣାପଡ଼ିଛି। ଭୁବନେଶ୍ବର, କଲକାତା ଓ ରାଞ୍ଚି ସମେତ ୩ଟି ରାଜ୍ୟର ୨୫ଟି ସ୍ଥାନରେ ଚଢ଼ଉ ଚାଲିଛି। ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼, ବୌଦ୍ଧ ଜିଲାରେ ଖାନ ତଲାସି କରାଯାଉଛି। ଓଡ଼ିଶା ଇତିହାସରେ ଏହା ସବୁଠାରୁ ବଡ଼ ଆୟକର ଚଢ଼ଉ। ‌ମଦ ବ୍ୟବସାୟୀଙ୍କ ଘରୁ ତିନି ଦିନରେ ୪୦୦ କୋଟିରୁ ଅଧିକ ଟଙ୍କା ଜବତ

ହୋଇଥିବା ଏକ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। କେଉଁଠୁ ଆସିଲା ଏତେ ଟଙ୍କା ? ସେନେଇ ଖୋଳତାଡ଼ କରୁଛି ଆୟକର ବିଭାଗ। ଏହି ଚଢ଼ଉ ବ୍ୟାପକ କରିବାକୁ ବିଭାଗ ନକ୍ସା ପ୍ରସ୍ତୁତ କରୁଛି। ବଲାଙ୍ଗୀରରୁ ୧୩ କୋଟି ଓ ଟିଟିଲାଗଡ଼ରୁ ପୁଣି ୮ କୋଟି ମିଳିଛି। ବଲାଙ୍ଗୀର ପରେ ଏବେ ସମ୍ବଲପୁର ଏସ୍‌ବିଆଇରେ ଟଙ୍କା ଗଣା ଚାଲିଛି। ଆୟକର ବିଭାଗ ହାତରେ କେବଳ ଟଙ୍କା ନୁହେଁ ମଦ ବ୍ୟବସାୟୀଙ୍କର ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ପଡ଼ିଛି। ଏହି ଦସ୍ତାବିଜ ମଧ୍ୟରେ ଏକ ଡାଏରୀ ବ୍ୟବସାୟୀଙ୍କ ଅର୍ଥ କାରବାରର ହିସାବ ରହିଛି। କାହାକୁ କେତେ ଟଙ୍କା ଦେଉଥିଲେ, ଆଉ କାହାଠାରୁ କେତେ ଟଙ୍କା ଆଣୁଥିଲେ, ସେସବୁ ଲେଖା ରହିଛି। ଅନ୍ୟପଟେ ମହୁଲ କିଣାରେ ଟିକସ ଫାଙ୍କିବା ସନ୍ଦେହ କରି ଆଇଟି ବଲାଙ୍ଗୀର ଅବକାରୀ ବିଭାଗକୁ ସଂସ୍ଥାର ୪ବର୍ଷର ମିନିମମ୍‌ ଗ୍ୟାରେଣ୍ଟି କୁଟା (ଏମ୍‌ଜିକ୍ୟୁ) ମାଗିଛି। ଏହି ତଥ୍ୟା ଆଇଟିକୁ ଦିଆଯିବ ବୋଲି ବଲାଙ୍ଗୀର ଅବକାରୀ ଅଧୀକ୍ଷକ ସୀତାକାନ୍ତ ମୁଦୁଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

- Advertisement -

ମଦ ବ୍ୟବସାୟୀଙ୍କ ଡାଏରୀ ଆୟକର ବିଭାଗ ହାତରେ ଲାଗିବା ପରେ ନେତା, ମନ୍ତ୍ରୀଙ୍କ ମଧ୍ୟରେ ଛାନିଆ ପଶିଛି। ଏହି କାରବାରରେ ଝାଡ଼ଖଣ୍ଡର ଜଣେ ସାଂସଦଙ୍କ ସମ୍ପୃକ୍ତି ପଦାକୁ ଆସିବା ପରେ ରାଜନୈତିକ ମହଲରେ ଉଷ୍ଣତା ଦେଖା ଦେଇଛି। ପରସ୍ପରକୁ ଦୋଷ ଲଦାଲଦି ମଧ୍ୟ ଆରମ୍ଭ ହୋଇଯାଇଛି। ଚଢ଼ଉ ଶେଷ ହେବା ପରେ ଏହି କାରବାରରେ ସମ୍ପୃକ୍ତ ବ୍ୟକ୍ତି ନାମ ପଦାକୁ ଆସିବ ବୋଲି ଆଶଙ୍କା ରହିଛି। ବିଭାଗ କେବଳ ମଦ କାରଖାନ‌ା ଓ ଦୋକାନରେ ଚଢ଼ଉ କରିଥିବାବେଳେ ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କମ୍ପାନୀର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ରହିଛି। ଏସବୁ ସ୍ଥାନରେ ଆୟକର ବିଭାଗ ଚଢ଼ଉ କରିନଥିବା ଜଣାପଡ଼ିଛି। କେବଳ ଭୁବନେଶ୍ବରରେ ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କମ୍ପାନୀର ୪ଟିରୁ ଅଧିକ ସେଲୁନ ରହିଛି। ସେହିପରି ଟିଟିଲାଗଡ଼ରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଚାଲିଥିବା ସୂଚନା ମିଳିଛି। ସମସ୍ତ ସ୍ଥାନରେ ଚଢ଼ଉ ଲାଗି ବିଭାଗ ଯୋଜନା ଚଳାଇଛି। ଏହି ବ୍ୟବସାୟୀଙ୍କର ବଲାଙ୍ଗୀରରେ କେବଳ ୪୬ଟି ମଦ କାରଖାନା ଓ ଦୋକାନ ଥିବା ଜଣାପଡ଼ିଛି।
ଆୟକର ଫାଙ୍କିବା ଅଭିଯୋଗରେ ଆଇଟି ବିଭାଗ ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ ସଂସ୍ଥା ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କମ୍ପାନୀରେ ଗତ ବୁଧବାର ଚଢ଼ଉ କରିଥିଲା। ତୃତୀୟ ଦିନରେ ବି ବିଭାଗ ଚଢ଼ଉ ଜାରି ରଖିଛି। ସମ୍ବଲପୁର ଧନୁପାଲିରେ ଥିବା ମଦ ଗୋଦାମ, ବଡ଼ ବଜାରରେ ଥିବା କାର୍ଯ୍ୟାଳୟରେ ବିଭାଗ ଖାନତଲାସି ଜାରି ରଖିଛି। ଝାଡ଼ଖଣ୍ଡ, ରାଞ୍ଚି ଓ ବିହାରର ମଧ୍ୟ କେତେକ ସ୍ଥାନରେ ଥିବା ଏହି ମଦ କମ୍ପାନୀ କାର୍ଯ୍ୟାଳୟରେ ଚଢ଼ଉ କରାଯାଇ କୋଟି କୋଟି ଟଙ୍କା ଜବତ ହୋଇଥିବା ସୂଚନା ରହିଛି। ଏହି କମ୍ପାନୀରେ ରାଜନେତାଙ୍କ ଭାଗୀଦାରି ଥିବା ଜଣାପଡ଼ିବା ପରେ ସ୍ଥାନୀୟ ଆୟକର ବିଭାଗ କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ସେହିପରି ଟଙ୍କା ଗଣା ଯାଉଥିବା ବ୍ୟାଙ୍କକୁ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ରଖିଛି। ସାହୁ ବ୍ରଦର୍ସ ମଦ କମ୍ପାନୀରେ ଆଉ କାହାର ସମ୍ପର୍କ ରହିଛି, ସେନେଇ ଆୟକର ବିଭାଗ ଖୋଳତାଡ଼ ଚଳାଇଛି। ଅନ୍ୟପଟେ ତଥ୍ୟ ପ୍ରମାଣ ନଷ୍ଟ ଲାଗି ଉପରୋକ୍ତ ମଦ ବ୍ୟବସାୟୀ ଉଦ୍ୟମ ଆରମ୍ଭ କରିଛନ୍ତି। ବୃହତ୍ତମ ସ୍ପିରିଟ୍‌ କାରଖାନା କୁହାଯାଉଥିବା ବୌଦ୍ଧ ଡିଷ୍ଟିଲାରି(ବିଡିପିଏଲ) ପଛପଟ ପାଚେରି ବାହାରେ ବସ୍ତା ବସ୍ତା ୫୦୦ ଟଙ୍କିଆ ନୋଟ୍‌ ଫିଙ୍ଗାଯାଇଛି। ସମସ୍ତ ନୋଟ୍‌ ଦୁଇଫାଳ କରି ଚିରା ହୋଇଛି। ସ୍ଥାନୀୟ ଲୋକେ ଏହି ଚିରା ଟଙ୍କା ବୋହି ନେଇଛନ୍ତି। ଏଥି ସହିତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ପଡ଼ିଥିବା ଦେଖାଯାଇଛି।

ଏ ସମ୍ପର୍କରେ ଏକ ଦୈନିକ ହିନ୍ଦୀ ଖବର କାଗଜରେ ପ୍ରକାଶିତ ଖବରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ଯେ, ଦେଶବାସୀ ଏହି ନୋଟ୍‌ର ପାହାଡ଼କୁ ଦେଖନ୍ତୁ ଏବଂ ସେମାନଙ୍କ ନେତାଙ୍କ ସଚ୍ଚୋଟତାର ଭାଷଣ ଶୁଣନ୍ତୁ। ଲୋକଙ୍କଠାରୁ ଯିଏ ଲୁଟିଛି, ତାକୁ ଗୋଟି ଗୋଟି କରି ଫେରାଇବାକୁ ପଡ଼ିବ। ଏହା ମୋଦୀଙ୍କ ଗ୍ୟାରେଣ୍ଟି।
ଓଡ଼ିଶା ଇତିହାସରେ ସବୁଠୁ…

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories