ଭୁବନେଶ୍ବର: ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଅନୁମୋଦନ କରିଥିବା ଦରଠାରୁ ୟୁନିଟ୍ ପିଛା ୩୬ ପଇସା ଅଧିକ ଆଦାୟ କରିଛନ୍ତି ବିତରଣ କମ୍ପାନୀ। ଟାଟାର ୪ ବିତରଣ କମ୍ପାନୀର କାର୍ଯ୍ୟଦକ୍ଷତା ସମୀକ୍ଷା ରିପୋର୍ଟ ୨୦୨୪-୨୫ରୁ ଏହା ଜଣାପଡ଼ିଛି। ବିତରଣ କମ୍ପାନୀଗୁଡ଼ିକ ୨୯,୫୭୯ ନିୟୁତ ୟୁନିଟ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବିକ୍ରି କରି ୟୁନିଟ ପିଛା ହାରାହାରି ୬ ଟଙ୍କା ୩ ପଇସା ହିସାବରେ ୧୭,୮୩୬ କୋଟି ଟଙ୍କା ଆଦାୟ କରିଛନ୍ତି। ଏହା ଆୟୋଗ ଅନୁମୋଦନ କରିଥିବା ହାରାହାରି ଦରଠାରୁ ୩୬ ପଇସା ଅଧିକ।
ଓଇଆରସି ଅଧିନିୟମ ଅନୁସାରେ, ୨୦୨୬-୨୭ ବର୍ଷ ପାଇଁ ବିଦ୍ୟୁତ୍ ମୂଲ୍ୟ ନିର୍ଣ୍ଣୟ ପୂର୍ବରୁ ଆୟୋଗ ବିଦ୍ୟୁତ୍ କମ୍ପାନୀଗୁଡ଼ିକର କାର୍ଯ୍ୟଦକ୍ଷତା ସମୀକ୍ଷା କରି ଅଂଶୀଦାରଙ୍କ ଅବଗତି ନିମନ୍ତେ ପ୍ରକାଶ କରିବେ। ଆୟୋଗ ଟାଟାର ୪ଟି ବିତରଣ କମ୍ପାନୀ ଓ ଗ୍ରିଡ୍କୋର କାର୍ଯ୍ୟଦକ୍ଷତା ସମୀକ୍ଷା ରିପୋର୍ଟ ପ୍ରକାଶ କରିଥିବାବେଳେ ଓପିଟିସିଏଲ, ଏସଏଲଡିସି, ଓଏଚପିସି ଓ ଓପିଜିସିର ରିପୋର୍ଟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନି। ଟାଟାର ସମୀକ୍ଷା ରିପୋର୍ଟ ଅନୁସାରେ, ବୈଷୟିକ ଓ ବାଣିଜ୍ୟ କ୍ଷତି ହ୍ରାସ ଲକ୍ଷ୍ୟ ୧୮.୭୯% ଅନୁମୋଦନ ହୋଇଥିବାବେଳେ ଟାଟା ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରି କ୍ଷତିକୁ ୧୬.୭୦%କୁ କମାଇ ଦେଇଛି। ଉପଭୋକ୍ତାଙ୍କ ମିଟର ସ୍ଥାପନ କ୍ଷେତ୍ରରେ ଟାଟା ୯୯% ସଫଳ ହୋଇଥିବାବେଳେ ସ୍ମାର୍ଟ ମିଟର ସ୍ଥାପନ ମାତ୍ର ୧୩% ହୋଇଛି। ଅର୍ଥାତ୍ ୧୨ ଲକ୍ଷ ୬୭ ହଜାର ଉପଭୋକ୍ତା ସ୍ମାର୍ଟ ମିଟର ବସାଇଛନ୍ତି। ଫିଡର ଓ ଟ୍ରାନ୍ସଫର୍ମର ମିଟରିଂ କାର୍ଯ୍ୟରେ
ଟାଟାର ପ୍ରଦର୍ଶନ ଦୁର୍ବଳ ରହିଛି।
ଓଡ଼ିଶା ବିଦ୍ୟୁତ୍ ସେବାରେ ନିୟୋଜିତ ସମୁଦାୟ ୨, ୬୫୯ଟି (୧୪୭୩୩ ଏମଭିଏ) ପାୱାର ଟ୍ରାନ୍ସଫର୍ମର ମଧ୍ୟରୁ ମାତ୍ର ୧, ୬୩୦ଟି (୬୧%) ମିଟରିଂ ହୋଇଛି। ୯୭୮ଟି ୩୩କେଭି ଫିଡର ମଧ୍ୟରୁ ମାତ୍ର ୭୫% ଅର୍ଥାତ ୭୩୮ଟି ମିଟରିଂ ହୋଇଛି। ପ୍ରାୟ ୨ ଲକ୍ଷ ଟ୍ରାନ୍ସଫର୍ମର କ୍ଷମତା ୬୩ କେଭିଏରୁ କମ୍ ଥିବାରୁ ଆୟୋଗ ନାପସନ୍ଦ କରି ସେଗୁଡ଼ିକୁ ୧୦୦ କେଭିଏ କିମ୍ବା ତଦୁର୍ଦ୍ଧ୍ବ କ୍ଷମତାକୁ ବୃଦ୍ଧି କରିବା ପାଇଁ ନିର୍ଦେଶ ଦେଇଛନ୍ତି। ବିଦ୍ୟୁତ୍ ବ୍ୟାହତ ସମସ୍ୟା ଉତ୍ତର ଓଡ଼ିଶାରେ (ଟିପିଏନଓଡିଏଲ) ସବୁଠାରୁ ଅଧିକ ହୋଇଛି। ୨୦୨୪-୨୫ ବର୍ଷରେ ଓଡ଼ିଶାର ବିଦ୍ୟୁତ୍ ବ୍ୟାହତ ସମସ୍ୟା ମାସକୁ ହାରାହାରି ୩୧ ଥର ଓ ୨୩ ଘଣ୍ଟା ହୋଇଥିବାବେଳେ ଉତ୍ତର ଓଡ଼ିଶାରେ ୪୪ ଥର ଓ ୨୭ ଘଣ୍ଟା ହୋଇଛି। ବିଦ୍ୟୁତ୍ ଦୁର୍ଘଟଣାରେ ମୋଟ ୧୭୪ଟି ଜୀବନ ଯାଇଛି। ସେଥିରୁ ୮୬ ଜଣ ମଣିଷ ହୋଇଥିବାବେଳେ ୮୮ ଜଣ ପଶୁ।
ଗ୍ରିଡ୍କୋର କାର୍ଯ୍ୟଦକ୍ଷତା ସମୀକ୍ଷା ରିପୋର୍ଟ ଅନୁସାରେ, ୨୦୨୪-୨୫ରେ ଗ୍ରିଡ୍କୋ ୪୨, ୪୮୭ ନିୟୁତ ୟୁନିଟ୍ ବ୍ୟବସାୟ କରି ୧୪, ୫୧୧ କୋଟି ଟଙ୍କା ଆୟ କରିଥିବାବେଳେ ସମୁଦାୟ ବ୍ୟୟ କରିଛି ୧୪, ୧୬୩ କୋଟିଟଙ୍କା। ଅର୍ଥାତ ବିଦ୍ୟୁତ୍ ବ୍ୟବସାୟରୁ ଗ୍ରିଡ୍କୋ ୩୪୭ କୋଟି ଟଙ୍କା ଲାଭ କରିଛି। ଟାଟା ବିତରଣ କମ୍ପାନୀଗୁଡ଼ିକୁ ଗ୍ରିଡ୍କୋ ୟୁନିଟ୍ ପିଛା ୩ ଟଙ୍କା ୩୬ ପଇସା ହିସାବରେ ୩୫, ୧୦୪ ନିୟୁତ ୟୁନିଟ୍ ବିଦ୍ୟୁତ୍ ବିକ୍ରୟ କରିଥିବାବେଳେ ଖୋଲା ବଜାରରେ ୟୁନିଟ୍ ପିଛା ୪ ଟଙ୍କା ୩୪ ପଇସା ହିସାବରେ ୬, ୨୮୨ ୟୁନିଟ୍ ବିକ୍ରୟ ହୋଇଛି। ଅବଶିଷ୍ଟ ୧୧୦୧ ୟୁନିଟ ପରିବହନ କ୍ଷତି ହୋଇଛି।
ଏସମ୍ପର୍କରେ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି, ୨୦୨୪-୨୫ରେ ଗ୍ରିଡ୍କୋର ବ୍ୟବସାୟିକ ଲାଭ ୩୪୭ କୋଟି ଟଙ୍କା ହୋଇଛି। ଟାଟା ବିତରଣ କମ୍ପାନୀଗୁଡ଼ିକ ଧାର୍ଯ୍ୟ ଟାରିଫ ଠାରୁ ୟୁନିଟ ପିଛା ୩୬ ପଇସା ହିସାବରେ ଉପଭୋକ୍ତାଙ୍କଠାରୁ ଅଧିକ ୧, ୦୬୫ କୋଟି ଟଙ୍କା ଆଦାୟ କରିଛନ୍ତି। ଆସନ୍ତା ବର୍ଷ ୨୦୨୬-୨୭ ପାଇଁ ଖୁଚୁରା ବିଦ୍ୟୁତ୍ ମୂଲ୍ୟ (ଟାରିଫ) ବୃଦ୍ଧି ହେବା ସମ୍ଭାବନା ଖୁବ୍ କମ୍ ରହିଛି। ଉପଭୋକ୍ତାଙ୍କଠାରୁ ଅଧିକ ଆଦାୟ ହୋଇଥିବା ରାଜସ୍ବକୁ ସୁଧ ସହ ଫେରସ୍ତ କରିବାକୁ ଆୟୋଗ ସମ୍ମୁଖରେ ସେ ଯୁକ୍ତି ରଖିବେ।



