www.samajalive.in
Monday, December 8, 2025
13.1 C
Bhubaneswar

୧୦୦ ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ପୃଷ୍ଟିକର ‘ତିଥି ଭୋଜନ’

ଭୁବନେଶ୍ବର: ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପାଳନ ହେଉଛି ‘ଶିକ୍ଷା ସପ୍ତାହ’ ।କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ଜାତୀୟ ଶିକ୍ଷାନୀତି-୨୦୨୦ର ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁକୁ ନେଇ ଏହି ‘ଶିକ୍ଷା ସପ୍ତାହ’ ପାଳନ କରାଯାଉଛି । ଏନେଇ ରବିବାର ଓ ସୋମବାର ଦୁଇ ଦିନ ଧରି ସମସ୍ତ ବିଦ୍ୟାଳୟରେ “ଗୋଷ୍ଠୀ ସମ୍ପୃକ୍ତି ଦିବସ” ପାଳନ କରାଯାଉଛି । ସ୍କୁଲର ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ଓ ଗୋଷ୍ଠୀ ସହଭାଗିତାରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଉନ୍ନତିକରଣ କରାଯାଇପାରିଛି।

ବିଦ୍ୟାଳୟ ପରିଚାଳନା କମିଟି ଓ ସ୍ଥାନୀୟ ସମ୍ପ୍ରଦାୟଙ୍କ ସହଯୋଗରେ “ସ୍ବେଚ୍ଛାସେବୀ ହୁଅନ୍ତୁ ଅଭିଯାନ” ଉଭୟ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ସର୍ବାଙ୍ଗୀନ ବିକାଶ କରିବା ଦିଗରେ କାର୍ଯ୍ୟ କରିବ। “ବିଦ୍ୟାଞ୍ଜଳୀ” କାର୍ଯ୍ୟକ୍ରମ ମାଧ୍ୟମରେ ଗୋଷ୍ଠୀ ସହଭାଗିତାକୁ ପ୍ରାଧାନ୍ୟ ଦିଆଯାଉଛି । ସୂଚନାଯୋଗ୍ୟ ଯେ, ୨୦୨୧ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ବିଦ୍ୟାଞ୍ଜଳିଳୀ” ନାମକ ଏକ ବିଦ୍ୟାଳୟ ସ୍ବେଚ୍ଛାସେବୀ ପରିଚାଳନା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। “ବିଦ୍ୟାଞ୍ଜଳୀ ପୋର୍ଟାଲ” ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ, ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ, ସରକାରୀ କର୍ମଚାରୀ, ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଆଦି ଏଥିରେ ସାମିଲ ହୋଇପାରିବେ। ଏହାର କାର୍ଯ୍ୟକାରିତାକୁ ଜାତୀୟ ନୋଡ଼ାଲ ଅଧିକାରୀ, ରାଜ୍ୟ ନୋଡ଼ାଲ ଅଧିକାରୀ, ଜିଲ୍ଲା ନୋଡ଼ାଲ ଅଧିକାରୀ ଓ ଆଞ୍ଚଳିକ ନୋଡ଼ାଲ ଅଧିକାରୀ ତଦାରଖ କରିବେ।

- Advertisement -

ଏହି ସମ୍ପ୍ରଦାୟ ସହଭାଗିତାକୁ ସଫଳ କରିବା ପାଇଁ “ତିଥି ଭୋଜନ” ଭଳି ଏକ ଅଭିନବ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି । ଏହି ଯୋଜନା ଅନୁସାରେ ଆଗାମୀ ୧୦୦ ଦିନ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ତିଥି ଭୋଜନର ବ୍ୟବସ୍ଥା କରିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ‘ତିଥି ଭୋଜନ’ ପ୍ରଦାନ କରାଯିବ। ‘ତିଥି ଭୋଜନ’ ପ୍ରଚଳିତ ହେବ ୧୦୦ ଦିନ ମଧ୍ୟରୁ ଯେକୌଣସି ଗୋଟିଏ ଦିନ କମ୍ୟୁନିଟି ସଦସ୍ୟ କିମ୍ବା ସିଭିଲ୍ ସୋସାଇଟି ପକ୍ଷରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୃଷ୍ଟିକର ଖାଦ୍ୟ ଦିଆଯିବ। ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ପୋଷଣ ଓ ସ୍ବାସ୍ଥ୍ୟକର ଖାଦ୍ୟ ପ୍ରଦାନ କରାଯିବ।  ଜାତୀୟସ୍ତରୀୟ କୌଣସି ବରପୁତ୍ରଙ୍କ ଜନ୍ମତିଥିରେ ‘ତିଥି ଭୋଜନ’ର ଆୟୋଜନ କରାଯାଇ ପାରିବ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ବାସ୍ଥ୍ୟକର ଖାଦ୍ୟକୁ ପ୍ରୋତ୍ସାହିତ କରିବା ଏବଂ ସ୍ବଚ୍ଛତା ଅଭ୍ୟାସ ଜାରି ରଖିବାକୁ ପ୍ରାଥମିକତା ଦିଆଯିବ।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡ୍‌ଲାଇନ୍ ଅନୁଯାୟୀ କମ୍ୟୁନିଟି ସଦସ୍ୟ ଯଥା ଏନ୍‌ଜିଓ, ଶିଳ୍ପ ସଂସ୍ଥା, ବାଣିଜ୍ୟ ପ୍ରତିଷ୍ଠାନ, ଟ୍ରେଡ୍ ସଂସ୍ଥାଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ସାମଗ୍ରୀ ଦେଇପାରିବେ। ସ୍ଥାନୀୟ ଭାବେ ମିଳୁଥିବା ପନିପରିବା, ଛୁଇଁ କିମ୍ବା ଶିମ୍ଭ ଜାତୀୟ ଖାଦ୍ୟ, ଡାଲି, ମିଲେଟ୍‌ ଆଦିକୁ ଅନ୍ତର୍ଭୁକ୍ତ କରାଯାଇପାରିବ। ପରିମଳର ସ୍ବଚ୍ଛତା ବଜାୟ ରଖିବା ସହ ସ୍ୱଚ୍ଛ ପାନୀୟ ଜଳ ଉପଲବ୍ଧ କରାଯିବା ସହ ଜଙ୍କଫୁଡ୍‌କୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ଦିଆଯିବା ପୂର୍ବରୁ ଶିକ୍ଷକ/ପାଚିକା ତାହାକୁ ଚାଖିବେ। ହାତ ଧୋଇବା, ସ୍ବଚ୍ଛତା, ସୁରକ୍ଷା ଉପରେ ଗୁରୁତ୍ବ ଦେଇ ଖାଦ୍ୟ ପରଷିବାକୁ କୁହାଯାଇଛି। ତିଥି ଭୋଜନ ପ୍ରଦାନ ପୂର୍ବରୁ ସ୍କୁଲ ପରିଚାଳନା କମିଟି( ଏସ୍ଏମ୍‌ସି) ବୈଠକ ବସିବା ସହ କେଉଁ ଖାଦ୍ୟ ଦିଆଯିବ ଏବଂ କିଏ ଦେବ ତାହା ସ୍ଥିର କରାଯିବ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories