www.samajalive.in
Thursday, December 11, 2025
15.1 C
Bhubaneswar

ଅବହେଳିତ ରତ୍ନଗିରି ଗୁମ୍ଫା; ପର୍ଯ୍ୟଟନସ୍ଥଳ ମାନ୍ୟତା ଅପେକ୍ଷାରେ

ନୟାଗଡ଼: ଭୁବନଶ୍ୱରଠାରେ ଖଣ୍ଡଗିରି ପାହାଡ ସମେତ ରାଜ୍ୟର ବିଭିନ୍ନସ୍ଥାନରେ ଥିବା ଐତିହାସିକ ଓ ରାଜରାଜୁଡା ଅମଳର ଗୁମ୍ଫାଗୁଡିକୁ ପର୍ଯ୍ୟଟନ ବିଭାଗ ସଂରକ୍ଷଣ ପାଇଁ ଯୋଜନା କରିଛନ୍ତି। ଏହାସତ୍ତ୍ବେ ବହୁ ପ୍ରାଚୀନ ଗୁମ୍ଫା ଲୋକଲୋଚନକୁ ଆସିପାରୁ ନାହିଁ। ଏହି ଗୁମ୍ଫାଗୁଡିକ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଏଭଳି ଏକ ପ୍ରାଚୀନ ଗୁମ୍ଫା ହେଉଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ପଞ୍ଚାୟତର ପଶ୍ଚିମ ଭାଗ ତଥା ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଗାୟାଗଣ୍ଡା ପଞ୍ଚାୟତର ପୂର୍ବଭାଗରେ ଅବସ୍ଥିତ ରତ୍ନଗିରି ଗୁମ୍ଫା। ଗୁମ୍ଫାଟି ପୌରାଣିକ କିମ୍ବଦନ୍ତୀ ଅନୁସାରେ ସତ୍ୟଯୁଗରେ ମହିଷାସୁର ଡରରେ ଦେବତାମାନେ ଏଠାରେ ଆତ୍ମଗୋପନ କରିଥିଲେ। ଦୁର୍ଗତିନାଶିନୀ ମା’ଦୁର୍ଗା ରତ୍ନଗିରିରୁ ପ୍ରକଟ ହୋଇ ମହିଷାସୁରର ବିନାଶ କରିଥିବା କଥା ଲୋକଙ୍କ ମୁଖରୁ ଶୁଣିବାକୁ ମିଳେ। ତ୍ରେତୟାଯୁଗରେ ଏହି ଗୁମ୍ଫା ଦେଇ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ପଞ୍ଚବଟିକୁ ଯାଇଥିଲେ ବୋଲି କୁହାଯାଏ। ପ୍ରତିବର୍ଷ ମାଘ ପୂର୍ଣ୍ଣମୀରେ ଏଠାରେ ଅଖଣ୍ଡ ନାମଯଜ୍ଞ ହୁଏ।

ବାହାଡାଝୋଲାଠାରୁ ନୂଆଗାଁ ପୂର୍ତ୍ତ ରାସ୍ତାରେ ୭ କିଲୋମିଟର ଯିବାପରେ କାସ୍ତାପଲ୍ଲୀଠାରୁ ପଶ୍ଚିମକୁ ଭଣ୍ଡାରୀବାରୀ, ଡେଙ୍ଗାବାରି ଦେଇ, ୧୦ କି.ମି. ବଣଜଙ୍ଗଲ ଘେରା ବିପଦସଙ୍କୁଳ ଘାଟି ରାସ୍ତା ଅତିକ୍ରମ କରିବା ପରେ ରତ୍ନଗିରି ପାହାଡ ପଡେ। ନୈସର୍ଗିକ ଶୋଭା ବିମଣ୍ଡିତ ସୁଉଚ୍ଚ ରତ୍ନଗିରି ପାହାଡର ଶିଖରରୁ ବହି ଆସୁଥିବା ଚିରସ୍ରୋତା ଝରଣାଟି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପାହାଡର ପ୍ରାୟ ଏକ ହଜାର ଫୁଟ ଉପରେ ରହିଛି ଅଗସ୍ତି ଗୁମ୍ଫା। ଏଠାରେ ରହିଛି ଯଜ୍ଞକୁଣ୍ଡ। ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ରତାଦେଈ ଦୁର୍ଗା ରୂପରେ ଏଠାରେ ପୂଜା ପାଉଛନ୍ତି। ଏହାର ଉଭୟପାଶ୍ୱର୍ରେ ରହିଛି କଳା ମୁଗୁନି ପଥର ଆଚ୍ଛାଦିତ ଦୁଇଟି ପାହାଡ। ଏହି ଉଭୟ ପାହାଡକୁ ଆଚ୍ଛାଦନ କରି ରହିଛି ବିରାଟ ପ୍ରସ୍ତର। ଏହାର ତଳ ଭାଗଟି ସମ୍ପୂର୍ଣ୍ଣ ଖୋଲା। ଏଠାରେ ବର୍ଷ ସାରା ଖରା କିମ୍ବା ବର୍ଷା ପଡେ ନାହିଁ। ସାଧୁସନ୍ଥମାନେ ଏଠି ରାତ୍ରିଯାପନ କରିଥାନ୍ତି। ଏହା ନିକଟରେ ରହିଛି ବଡଦାଣ୍ଡ। ଏହାର ଉଭୟପାଖରେ ରହିଛି ସୁଉଚ୍ଚ ପର୍ବତମାଳା। ପ୍ରାୟ ୩୦ ଫୁଟ ଓସାର ଏବଂ ୨୦୦ ଫୁଟ ଲମ୍ବ ବିଶିଷ୍ଟ ବଡଦାଣ୍ଡଟି ରତ୍ନଗିରିର ଶୋଭାକୁ ଦ୍ୱିଗୁଣିତ କରୁଛି। ଏହାର ପଛପଟେ ରହିଛି ଏକ ବିରାଟ ସୁଡଙ୍ଗ। ଏହାର ପ୍ରବେଶଦ୍ୱାର ଛୋଟ; କିନ୍ତୁ କିଛି ବାଟ ଅତିକ୍ରମ କଲା ପରେ ସୁଡଙ୍ଗଟି କ୍ରମଶଃ ପ୍ରଶସ୍ତ ଥିବା ଦେଖିବାକୁ ମିଳେ। ଗୁମ୍ଫା ଭିତରକୁ ପ୍ରାୟ ୨୦୦ ମିଟର ପରେ ଶତାଧିକ ଲୋକ ବସିବା ଭଳି ଏକ ପ୍ରଶସ୍ତ କୋଠରି ଯାହାକି ମୁକ୍ତିମଣ୍ଡପ ଏବଂ ଦେବସଭା ନାମରେ ପରିଚିତ। ତ୍ରେତୟାଯୁଗରେ ପ୍ରଭୁ ଶ୍ରୀରାମ ବନବାସ ସମୟରେ ଏହି ବାଟଦେଇ ପଞ୍ଚବଟିକୁ ଯିବା ବେଳେ ଏଠାରେ ରାତ୍ରିଯାପନ କରିଥିବା ଲୋକଙ୍କ ମୁଖରୁ ଶୁଣିବାକୁ ମିଳେ। ଏହା ମଧ୍ୟରେ ରହିଛି ଗୁପ୍ତ ଗଙ୍ଗା। ଏହାକୁ ସେବନ କରି ଭକ୍ତ ଆନନ୍ଦରେ ବିଭୋର ହୋଇଯାନ୍ତି। ଏତଦ୍ବ୍ୟତୀତ ଏଠାରେ ସ୍ୱର୍ଗଦ୍ୱାର, ଲକ୍ଷ୍ମୀ-ନାରାୟଣ ଗୁମ୍ଫା, ବଜରଙ୍ଗ ଗୁମ୍ଫା, ଗଙ୍ଗାମାତା ମଠ, ନୃସିଂହ ମଠ, ସାଧୁସନ୍ଥଙ୍କ ଗୁପ୍ତ ଆଶ୍ରମ, ଗୁହାରିଆ ଗୁମ୍ଫା ଭଳି ଅନେକ ସ୍ଥାନ ରହିଛି। ଶୀତଋତୁ ଆସିଲେ ଏଠାରେ ପ୍ରତିଦିନ ପର୍ଯ୍ୟଟକଙ୍କ ଭିଡ ସାଙ୍ଗକୁ ଭୋଜିଭାତର ଆସର ଦେଖିବାକୁ ମିଳେ। ଏଭଳି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ରତ୍ନଗିରି ଗୁମ୍ଫାଟି ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇ ଗମନାଗମନ ଓ ଅନ୍ୟାନ୍ୟ ସୁବିଧା କରିବାକୁ ବୁଦ୍ଧିଜୀବୀ ଏବଂ ଅଞ୍ଚଳବାସୀ ଦାବି କରିଛନ୍ତି ା

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories