ପାରମ୍ପାରିକ ସୁଫି କଲାମ ସହିତ ବଙ୍ଗଳା ସଙ୍ଗୀତ ନଜରୁଲ ଗୀତିରେ ଶ୍ରୋତା ବିଭୋର
ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ‘ସମର୍ପଣ’
ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଓ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ‘ସମର୍ପଣ’ର ଦ୍ୱିତୀୟ ସଂଧ୍ୟାରେ ଦେଖିବାକୁ ମିଳିଥିଲା ପାରମ୍ପାରିକ ସୁଫି କଲାମ୍ ଏବଂ କାଜି ନଜୁରୁଲ୍ ଇସଲାମ୍ଙ୍କ ଦ୍ୱାରା ରଚିତ ନଜରୁଲ ଗୀତି, ଯାହା ଶ୍ରୋତାଙ୍କୁ ବିଭୋର କରିଥିଲା। ସଂଧ୍ୟାର ପ୍ରଥମ ପରିବେଷଣ ଥିଲା ଜନାବ୍ ରାଜବ୍ ଅଲ୍ଲୀ ଭାରତୀଙ୍କ ଦ୍ୱାରା ପାରମ୍ପାରିକ ସୁଫି କଲାମ୍ ପରିବେଷଣ। ସୁଫି କଲାମ ଏକ ଭକ୍ତି ଗୀତର ଏକ ରୂପ, ଯାହା ଆତ୍ମାଙ୍କ ଉନ୍ନତି ପାଇଁ ସାମା ମେହଫିଲରେ ଗାନ କରାଯାଏ। ଏହାର ଏକ ଦୀର୍ଘ ପରମ୍ପରା ରହିଆସିଛି ଯାହା କୱାଲି, କାଫି, ତରାନା, ଖାୟଲ ଏବଂ ଅନ୍ୟାନ୍ୟ ଧାରା ସହିତ ମିଶ୍ରିତ। ତାଙ୍କର ପ୍ରଥମ କଲାମ ଥିଲା ଇସ୍କ ମେ ନେହି ମିଲତା ଏବଂ ପରେ ପରେ ମନୱା ହୋ ୟା ଫକିର, ସଇୟାଁ ମୋରା ମୁଁ ସେ ବୋଲେ ନା, କି ଜାଣା ନା କୋଇ ରେ ବାବା, ସାଁସୋ କି ମାଲା ମେ ସିମରୁନ୍ ମେ ତେରା ନାମ୍, ମୁଝେ ଖେର୍ ମାଙ୍ଗା ଆଦି ପରିବେଷଣ କରିଥିଲେ। ଜନାବ୍ ରାଜବ ଅଲ୍ଲି ଭାରତୀଙ୍କ ଗଜଲ ଏବଂ ସୁଫି ସଙ୍ଗୀତର ଚମତ୍କାର ଗାୟନ ଦର୍ଶକମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା। ତାଙ୍କ ସହ ଗିଟାରରେ ଶ୍ରୀ ହିତେଶ ମିଶ୍ର ଏବଂ ତବଲାରେ କୁମାର ଜେନା ଯୋଗ ଦେଇଥିଲେ।
ସଂଧ୍ୟାର ଶେଷ ପରିବେଷଣ ଥିଲା ଡ଼କ୍ଟର ସୋହିନୀ ବସୁଙ୍କ ଦ୍ୱାରା ନାଜରୁଲ ଗୀତି। ନାଜରୁଲ ଗୀତି କବି କାଜୀ ନାଜରୁଲ ଇସଲାମଙ୍କ ଦ୍ୱାରା ଲିଖିତ ଏବଂ ରଚିତ ଗୀତଗୁଡ଼ିକୁ ସାଧାରଣ ଲୋକମାନଙ୍କ ଚିନ୍ତାଧାରା ଉପରେ ଲେଖିବା ବ୍ୟତୀତ ସେ ଦାର୍ଶନିକ, ଆଧ୍ୟାତ୍ମିକ ଏବଂ ରୋମାଣ୍ଟିକ ବିଷୟବସ୍ତୁ ଉପରେ ଗୀତ ମଧ୍ୟ ଲେଖିଥିଲେ। ତାଙ୍କର ରଚିତ ଗୀତ ବାଙ୍ଗଲାଦେଶ ଓ ଭାରତରେ ଲୋକମାନଙ୍କ ଦ୍ୱାରା ବେଶ ପରିଚିତ। ଡକ୍ଟର ବସୁଙ୍କ ଦ୍ୱାରା ପରିବେସିତ ନାଜରୁଲ ଗୀତି ଦର୍ଶକମାନଙ୍କୁ ଏକ ଆଧ୍ୟାତ୍ମିକ ଓ ରୋମାଣ୍ଟିକ ମିଜାଜକୁ ନେଇଯାଇଥିଲା। ତାଙ୍କ ସହ ତବଲାରେ ଡ଼କ୍ଟର ତାପଶ ପାଲ, ହାରମୋନିୟମରେ ପିଣ୍ଟୁ ରୟ, ଗିଟାରରେ ଭବତୋଶ ମହାନ୍ତି ଏବଂ ତାନପୁରାରେ ଚନ୍ଦନ ଭଟ୍ଟାଚାର୍ଯ୍ୟ ଥିଲେ।
ସଂଧ୍ୟାର ଅତିଥିମାନେ ଥିଲେ ଆଇସିସିଆରର ନିର୍ଦ୍ଦେଶିକା ମୀନାକ୍ଷୀ ମିଶ୍ର, ଏଲ୍ଆଇସିର କାର୍ଯ୍ୟନିର୍ବାହି ନିର୍ଦେଶକ ସିନ୍ଧୁବାଲା ଚୌଧୁରୀ ଏବଂ ଭୁବନେଶ୍ୱର ମ୍ୟୁଜିକ୍ ସର୍କଲର ସଭାପତି ଅରବିନ୍ଦ ବେହେରା। କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ମୀରା ପଣ୍ଡା।
Comments are closed.