ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ କେଶଡ଼ିହା ଗ୍ରାମପଞ୍ଚାୟତ ପୁରୁଣାପାଣି ଗ୍ରାମରେ ରବିବାର ବଜ୍ରପାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ବଜ୍ରାଘାତରେ ମୃତ୍ୟୁ ଘଟି ଥିବା ଯୁବକ ଜଣଙ୍କ ହେଲେ ଜାମୁନଣ୍ଡା ଗ୍ରାମର ମହେନ୍ଦ୍ର ସାମାଡ଼ ।
ସୂଚନା ଅନୁଯାୟୀ, ଜାମୁନଣ୍ଡା ଗ୍ରାମର ମହେନ୍ଦ୍ର ତାଙ୍କର ସମ୍ପର୍କୀୟ କେଶଡିହା ଗ୍ରାମର ଲଷ୍ମୀଧର ସାମାଡ଼ଙ୍କ ଘରକୁ ଯାଇଥିଲେ। ଅପରାହ୍ନ ସମୟରେ ବର୍ଷା ଆସିଯିବାରୁ ଲଷ୍ମୀଧର ଘର ନିକଟରେ ଥିବା ମାଟି ଇଟା ଭାଟି ପାଖକୁ ଚାଲିଯାଇଥିଲେ। ସେଠାରେ ମହେନ୍ଦ୍ର ଓ ଲଷ୍ମୀଧରଙ୍କ ପରିବାରର ନନ୍ଦିଆ ସାମାଡ଼(୧୭), ରବୀନ୍ଦ୍ର ସାମାଡ଼(୧୮), ଶୁଭାଶିନୀ ସାମାଡ଼(୧୨) ଇଟା ଗୁଡିକୁ ସଜାଡୁ ଥିବା ସମୟରେ ହଠାତ ସେଠାରେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଘଟଣାସ୍ଥଳରେ ସମସ୍ତ ୪ ଜଣ ସଂଜ୍ଞାହୀନ ହୋଇ ପଡିଯାଇଥିଲେ। ଖବର ପାଇ ଘଟଣାସ୍ଥଳରୁ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମହେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ଓ ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାଯାଇଛି।



