କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ପ୍ରାଥମିକ ବିଦ୍ୟାଳୟର ସମସ୍ତ ବର୍ଗର କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଗୋଷ୍ଠି ଶିକ୍ଷାଅଧିକାରୀ ବିଜୟ କୁମାର ସେଠୀଙ୍କୁ ୩ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ସଂଘ ଆନୁକୂଲ୍ୟରେ ବ୍ଲକ ଶିକ୍ଷକ ସଂଘର ସଭାପତି ବିଶ୍ୱନାଥ କାଡ୍ରାକାଙ୍କ ନିର୍ଦେଶ କ୍ରମେ ସମସ୍ତ ବର୍ଗର କାର୍ଯ୍ୟରତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ଏକତ୍ରିତ ହୋଇ ସେହି ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଦେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।
ସେଠାରେ ଗୋଷ୍ଠୀ ଶିକ୍ଷାଅଧିକାରୀ ଆଲୋକ ପ୍ରଧାନଙ୍କ ଅନୁପସ୍ଥିତରେ ଅତିରିକ୍ତ ଗୋଷ୍ଠି ଶିକ୍ଷାଅଧିକାରୀ ବିଜୟ କୁମାର ସେଠୀଙ୍କୁ ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷାସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇଂକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହ ଏକ୍ସ କ୍ୟାଡର ଶିକ୍ଷକଙ୍କୁ କ୍ୟାଡରଭୁକ୍ତ କରିବା, ବହୁ ଭାଷାଭାଷୀ ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ଆଦି ଦାବି କରାଯାଇଛି।ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ପାଇଁ ମଧ୍ୟ ଦାବି କରାଯାଇଛି । ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ(ମୂଳ ବେତନ ଲେଭେଲ ୯ ଗ୍ରେଡ ପେ ୪୨୦୦ଟଙ୍କା ଅନୁଯାୟୀ) ପ୍ରଦାନ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।
ତୁରନ୍ତ ସମୂହ ଦାବି ପୂରଣ କରା ନ ଗଲେ ଚଳିତ ଅଗଷ୍ଟ ମାସ ୧୬ ତାରିଖଠାରୁ ସମୂହ ଛୁଟିରେ ରହି କାର୍ଯ୍ୟ ବନ୍ଦ କରି ଆନ୍ଦୋଳନରେ ସାମିଲ ହେବୁ ବୋଲି ଶିକ୍ଷକମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଦାବି ପତ୍ର ପ୍ରଦାନ ସମୟରେ ସଂପାଦକ ନୟନ କୁମାର ଦାସ, ଶିବରାମ କାଡ୍ରାକା, ଦେବେନ୍ଦ୍ର କୁମାର ବଛା, ପ୍ରସାଦ ଗୌଡ଼, ବସନ୍ତ କୁମାର ପାଢୀ, ଶୁଭଲକ୍ଷ୍ମୀ ବିଶ୍ୱାଳ, ମଞ୍ଜୁଳା ସେମିଳି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶୋଭାଯାତ୍ରାରେ ପ୍ରାୟ ୪ଶହ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହାଇଥିଲେ।



