ବୁର୍ଲା : ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ଫଳରେ ମୋଟ୍ ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରର ବାମ ପଟର ୧୩ଟି ଓ ଡାହାଣ ପଟର ୭ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ଛଡାଯାଉଛି।
ଆଜି ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳ ପତନ ୬୨୧.୬୦ ଫୁଟ୍ ରହିଥିବା ଜଣାପଡିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୫୦ ହଜାର ୮୨୧ ଘନଫୁଟ୍ ଜଳ ପ୍ରବେଶ କରୁଛି । ପାୱାର ଚାନେଲ ଓ ସ୍ପିଲୱେ ଦେଇ ପ୍ରତି ସେକେଣ୍ଡରେ ୩ ଲକ୍ଷ ୫୨ ହଜାର ୦୫୧ ଘନଫୁଟ ଜଳ ମହାନଦୀକୁ ଛଡାଯାଉଛି । ବନ୍ଧର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଜଳ ଭଣ୍ଡାରର ଉପର ମୁଣ୍ଡରେ ୭.୧୧ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ବେଳେ ତଳ ମୁଣ୍ଡରେ ୧.୯୪ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ ।
ଆଜି ପୂର୍ବାହ୍ନ ୯ଟା ସୁଦ୍ଧା ମୋଟ୍ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ସ୍ଥିତିକୁ ଦୃଷ୍ଟିରେ ରଖି ମଧ୍ୟାହ୍ନରେ ୫ଟି ସ୍ଲୁଇସ୍ ଗେଟ୍ ଏବଂ ପରେ ଅପରାହ୍ନ ୫ଟାରେ ଆଉ ୩ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି।
ବଢୁଛି ଜଳସ୍ତର : ୨୦ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ
Popular Categories



