ବଲାଙ୍ଗି: ପୁଇଁନ୍ତଲା ବ୍ଲକର ୧୭ ନମ୍ବର ଜିଲା ପରିଷଦ ପାଇଁ ବିଜେଡି ଦଳରୁ ପ୍ରାର୍ଥୀ ହୋଇଛନ୍ତି ଲିପିକା ପଧାନ। ଶ୍ରୀମତୀ ପଧାନଙ୍କ ପାଇଁ ତାଙ୍କ ଶିକ୍ଷକ ସ୍ୱାମୀ ତରଣୀସେନ ପଧାନ ସାମାଜିକ ଗଣମାଧ୍ୟମ ସହ ବ୍ୟକ୍ତିଗତ ଭାବେ ପ୍ରଚାରରେ ସାମିଲ ହେଉଥିବା ବିଷୟରେ ବଲାଙ୍ଗିର ଉପ ଜିଲାପାଳ ଲମ୍ବୋଦର ଧରୁଆଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଣିଥିଲେ ଜିଲା ପରିଷଦରେ ପ୍ରାର୍ଥୀ ହୋଇଥିବା ଅନ୍ୟତମ ଆଶାୟୀ। ଆବଶ୍ୟକ ତଥ୍ୟ ଓ ପ୍ରମାଣ ମଧ୍ୟ ଉପ ଜିଲାପାଳଙ୍କୁ ଦେଇଥିଲେ। ସରକାରୀ କର୍ମଚାରୀମାନେ ନିର୍ବାଚନ ପ୍ରଚାରରେ ସାମିଲ ହୋଇପାରିବେ ନାହିଁ। ଯଦି ସାମିଲ ହେବେ ତାହା ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ଧରାଯିବ ବୋଲି କହିଥିଲେ ରାଜ୍ୟ ନିର୍ବାଚନ ଆୟୋଗ।
ତେବେ ଲୁକାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ପଧାନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଉପ ଜିଲାପାଳ ଶ୍ରୀ ଧରୁଆ ଜିଲାପାଳ ଚଞ୍ଚଳ ରାଣାଙ୍କୁ ଦେଇଥିବା ରିପୋର୍ଟରେ ଦର୍ଶାଇଥିଲେ। ସେହି ଅନୁସାରେ ସହକାରୀ ଶିକ୍ଷକ ଶ୍ରୀ ପଧାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ନିଲମ୍ବନ କରିବାକୁ ଜିଲା ଶିକ୍ଷାଧିକାରୀ(ଡିଇଓ)ଙ୍କୁ ଜିଲାପାଳ ଶ୍ରୀ ରାଣା ଚିଠି କରିଛନ୍ତି।



