ଚେନ୍ନଇ : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ସୋମବାର ୩୦ ଏପ୍ରିଲ ପର୍ଯ୍ୟନ୍ତ ତାଲା ବନ୍ଦ ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ସୋମବାର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଲକଡ଼ାଉନ୍ ଅବଧି ୩୦ ଏପ୍ରିଲ୍ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି।
ତେବେ ଲକ୍ ଡ଼ାଉନ୍ ବା ତାଲାବନ୍ଦ ଅବଧି ବୃଦ୍ଧି କରିବାରେ ତାମିଲନାଡୁ ଦେଶର ସପ୍ତମ ରାଜ୍ୟ ହୋଇଛି। ଏହାପୂର୍ବରୁ ମହାରାଷ୍ଟ୍ର, ପଞ୍ଜାବ, ଓଡିଶା, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନା ୩୦ ଏପ୍ରିଲ ପର୍ୟ୍ୟନ୍ତ ଲକଡାଉନ୍ ଅବଧିକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ।
ଗତ ଶନିବାର ୧୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଡିଓ କନଫରେନ୍ସିଂ ଆଲୋଚନା ବିଷୟକୁ ନେଇ ପାଲାନିସ୍ୱାମୀ କହିଛନ୍ତି ଯେ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ଲକଡ଼ାଉନ୍ ଅବଧି ବୃଦ୍ଧିକୁ ସମର୍ଥନ କରିଛନ୍ତି।
ଉଲ୍ଲେଖ ଯୋଗ୍ୟ, କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୩୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୭୯୬ଟି ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ସହିତ, କରୋନା ଭାଇରସ୍ ପଜିଟିଭ୍ ସଂଖ୍ୟା ୯ହଜାର ୧୫୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୮୫୬ ଜଣ ସୁସ୍ଥ ହୋଇଯାଇଛନ୍ତି କିମ୍ବା ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ନାଗାଲାଣ୍ଡରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।



