ନୂଆଦିଲ୍ଲୀ: ଦୀପାବଳିରେ ବାଣ ବିକ୍ରିକୁ ନେଇ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । କେତେକ ସର୍ତ୍ତକୁ ପାଳନ କରି ଦୀପାବଳିରେ ବାଣ ବିକ୍ରି କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ବାୟୁ ପ୍ରଦୂଷଣ ଉପରେ ପ୍ରଭାବ ପକାଉଥିବା ବାଣଗୁଡ଼ିକୁ ନିୟନ୍ତ୍ରିତ ଭାବେ ବ୍ୟବହାର କରି ପ୍ରଦୂଷଣ ରୋକିବା ଦିଗରେ ଜତ୍ନବାନ ହେବାକୁ ଦେଶବାସୀଙ୍କୁ ପରାମର୍ଶ ଦେବା ସହ ବାଣ ବିକ୍ରି ଓ କ୍ରୟକୁ ସବୁଜ ସଙ୍କେତ ଦେଇଛନ୍ତି।
ସୁପ୍ରିମକୋର୍ଟର ଏହି ନିର୍ଦେଶ ପରେ ଚଳିତ ବର୍ଷ ଦୀପାବଳି ସନ୍ଧ୍ୟାରେ ବାଣର ଶବ୍ଦ ଓ ଆଲୋକ ଆକାଶରେ ଦୃଶ୍ୟମାନ ହେଲେ ମଧ୍ୟ ଦେଶବାସୀ ଉତ୍ସବ ପାଳନ ଅବସରରେ ପ୍ରଦୂଷଣ ପ୍ରତି ଜତ୍ନବାନ ହେବେ ବୋଲି ଆଶା କରାଯାଉଛି।
ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦେଶବାସୀଙ୍କୁ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦେଶ ଦେଇଛନ୍ତି । ସେହିପରି ନୂଆ ବର୍ଷ ଦିନ ରାତି ୧୧ଟା ୪୫ରୁ ୧୨ଟା ୧୫ମି ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ବ୍ୟତୀତ ଅନଲାଇନ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସୁପ୍ରିମକୋର୍ଟ ।
ବିଗତ ବର୍ଷ ମଧ୍ୟ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ଓ ଏନସିଆରରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇ ଥିଲେ। ଏପରିକି ଦିଲ୍ଳୀ ଓ ଏନସିଆରରେ ବାଣ ବିକ୍ରି ଉପରେ ମଧ୍ୟ ପ୍ରତିବନ୍ଧକ ଲଗା ଯାଇଥିଲା। ଅବଶ୍ୟ ୧୨ସେପ୍ଟେମ୍ବର ୨୦୧୭ରେ ସୁପ୍ରିମ କୋର୍ଟ ପ୍ରତିବନ୍ଧକକୁ ସଂଶୋଧନ କରି ବାଣ ବିକ୍ରିର ଲାଇସେନ୍ସକୁ ୫୦ ପ୍ରତିଶତ କମ୍ କରି ପ୍ରଦାନ କରିବାକୁ ଅନୁମତି ପ୍ରଦାନ କରିଥିଲେ।
ଦୀପାବଳିରେ କେବଳ ୨ଘଣ୍ଟା ଫୁଟିବ ବାଣ: ସୁପ୍ରିମକୋର୍ଟ
Popular Categories



