ନୂଆଦିଲ୍ଲୀ: ଜ୍ଞାନବାପି ପରିସରରେ ବୈଜ୍ଞାନିକ ସର୍ବେକ୍ଷଣକୁ ସବୁଜ ସଙ୍କେତ ଦେଇଛନ୍ତି ସୁପ୍ରିମକୋର୍ଟ। ଜ୍ଞାନବାପି ମସ୍ଜିଦ୍ ପରିସରରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ(ଏଏସ୍ଆଇ) ଟିମ୍ର ବୈଜ୍ଞାନିକ ସର୍ଭେ ଉପରେ ରୋକ୍ ଲାଗଇବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହି ସର୍ଭେକୁ ଅନୁମତି ଦେଇଥିବା ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମୁସଲିମ୍ ପକ୍ଷ। ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଏଏସଆଇକୁ ଜ୍ଞାନବାପିରେ ସର୍ଭେ କରିବାକୁ ଅନୁମତି ଦେଇଥିଲେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, କୌଣସି ଖନନ ବିନା ଏବଂ ସଂରଚନାରେ କୌଣସି କ୍ଷତି ନକରି ସମଗ୍ର ସର୍ଭେ ଶେଷ କରାଯିବ ବୋଲି ଏଏସ୍ଆଇ ସ୍ପଷ୍ଟ କରିଛି।
ଏଠାରେ ସୂଚନାଯୋଗ୍ୟ, ଆଜି ସକାଳ ୭ଟା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବାପି ମସ୍ଜିଦ୍ ପରିସରରେ ଏଏସ୍ଆଇ ଟିମ୍ ବୈଜ୍ଞାନିକ ସର୍ଭେ ଆରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ, ଜୁଲାଇ ୨୪ରେ ସୁପ୍ରିମକୋର୍ଟ ଏହି ସର୍ଭେ ଉପରେ ରୋକ ଲଗାଇବା ସହ ମୁସଲମାନ ପକ୍ଷଙ୍କୁ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମୁସଲମାନ ପକ୍ଷ ହାଇକୋର୍ଟରେ ଆବେଦନ କରିଥିଲେ। ସର୍ତ୍ତ ସହ ପୁନର୍ବାର ସର୍ଭେ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ମୁସଲମାନ ପକ୍ଷ ଏହି ସର୍ଭେ ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।



