ସମାଜ ଡିଜିଟାଲ ଡେସ୍କ: ୨ୟ ବିଶ୍ଵଯୁଦ୍ଧ ସମୟରେ ସମୁଦ୍ରରେ ବୁଡ଼ିଯାଇଥିବା ଏକ ବୁଡ଼ାଜାହାଜ ଠାବ ହୋଇଛି। ୧୯୪୩ରେ ଏହି ବୁଡ଼ାଜାହାଜ ଇଂଲଣ୍ଡର ୬୪ ଜଣ ସୈନ୍ୟଙ୍କୁ ନେଇ ଯାଉଥିବାବେଳେ ରହସ୍ୟମୟ ଭାବେ ବୁଡ଼ିଯାଇଥିଲା। ଏହି ବ୍ରିଟିଶ ବୁଡ଼ାଜାହାଜର ନାମ ଏଚଏମଏସ ଟ୍ରୁପର। ଗ୍ରୀସର କାଲୋମୋସ ଦ୍ଵୀପ ନିକଟ ଏଜିଅନ ସାଗରରେ ୭୭୦ ଫୁଟ ଗଭୀର ସମୁଦ୍ରରେ ଏହି ଜାହାଜର ସନ୍ଧାନ ମିଳିଛି।
ଏହି ବୁଡ଼ାଜାହାଜକୁ ଏନ୯୧ ବି କୁହାଯାଉଥିଲା। ବୁଡ଼ାଜାହାଜଟି ଏକ ଗୁପ୍ତ ଅଭିଯାନରେ ୧୯୪୩ ଅକ୍ଟୋବର ମାସରେ ବାହାରିଥିଲା। ୩ଟି ଗ୍ରୀକ୍ ପ୍ରତିରୋଧ ଏଜେଣ୍ଟଙ୍କୁ କାଲାମୋସ ଦ୍ଵୀପରେ ପହଞ୍ଚାଇବାକୁ ବୁଡ଼ାଜାହାଜଟି ଯାଇଥିଲା। ହେଲେ ସେହି ସମୟରେ ଏଜିୟନ ସାଗରରେ ପଇଁତରା ମାରିବାକୁ ବୁଡ଼ାଜାହାଜକୁ ନିର୍ଦେଶ ଆସିଥିଲା। କିନ୍ତୁ ବୁଡ଼ାଜାହାଜର କ୍ୟାପଟେନଙ୍କୁ ଜଣା ନ ଥିଲା ଯେ ଜର୍ମାନୀ ସୈନ୍ୟମାନେ ସମୁଦ୍ରରେ ବାରୁଦ ସୁଡ଼ଙ୍ଗ ବିଛାଇଥିଲେ। ୧୭ ଅକ୍ଟୋବର ୧୯୪୩ରେ ବୁଡ଼ାଜାହାଜଟି ନିଖୋଜ ହୋଇଯାଇଥିଲା। ବର୍ତ୍ତମାନ ଏଜିଅନ ଦ୍ଵୀପର ଉତ୍ତର ଭାଗରେ ଏହାକୁ ଠାବ କରାଯାଇଛି। ଅଣ୍ଡରଓ୍ବାଟର ରିକଭରି କମ୍ପାନୀ ପ୍ଲାନେଟ ବ୍ଲୁ ଏହାକୁ ଠାବ କରିଛି। ଏହାର ମାଲିକ କୋସ୍ତାସ ଗ୍ରୀକଙ୍କ ଟିମ୍ ୧୪ ଥର ବିଫଳ ହେବା ପରେ ବୁଡ଼ାଜାହାଜଟିକୁ ଖୋଜିବାରେ ସଫଳ ହୋଇଛନ୍ତି।



