ଭୁବନେଶ୍ବର: ରାଜ୍ୟରେ ଶିଳ୍ପ ନିବେଶକୁ ଆକର୍ଷିତ କରି ବ୍ୟବସାୟ କରିବାର ସୁଗମତା ଏବଂ ଉତ୍ତରଦାୟିତ୍ବ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସୋମବାର ବିଧାନସଭାରେ ରାଜ୍ୟ ସରକାର ଜଳ ପ୍ରଦୂଷଣ ଓ ନିବାରଣ ଆଇନ-୨୦୨୪ ସଂଶୋଧନ ସଂକଳ୍ପ ପାରିତ କରାଇଛନ୍ତି। ସଂକଳ୍ପ ପାରିତ ହେବା ପେର ସଂଶୋଧିତ ଆଇନ ଅନୁସାରେ ଏଣିକି ଜଳ ପ୍ରଦୂଷଣ କ୍ଷେତ୍ରରେ ଶିଳ୍ପାନୁଷ୍ଠାନଗୁଡ଼ିକ ନାମରେ ମାମଲା ରୁଜୁ କରିବା ପରିବର୍ତ୍ତେ ୧୦ହଜାରରୁ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ। ମାମଲା ରୁଜୁ କରିବା ଦ୍ବାରା ବର୍ଷ ବର୍ଷ ଧରି କୋର୍ଟରେ ବିଚାର ଚାଲୁଛି। ନୂଆ ଆଇନ ଅନୁସାରେ କୌଣସି ଶିଳ୍ପାନୁଷ୍ଠାନ ଜଳ ପ୍ରଦୂଷଣ କଲେ ବିଚାର ନିମନ୍ତେ ଜଣେ ସଚିବ ପାହ୍ୟାର ଅଧିକାରୀଙ୍କୁ ବିଚାର ବିଭାଗୀୟ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ। ସମ୍ପୃକ୍ତ ଅଧିକାରୀ ବିଚାର କରି ଜୋରିମାନା ଦଣ୍ଡବିଧାନ କରିବେ। ସଂଶୋଧିତ ଆଇନ ଦ୍ବାରା ଶିଳ୍ପଗୁଡ଼ିକ ଉପରେ ନିୟାମକ ବୋଝ ହ୍ରାସ ପାଇବ। ଦଣ୍ଡ ବଦଳରେ ଅନୁପାଳନ ଉପରେ ଧ୍ୟାନ ଦିଆଯିବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଛନ୍ତି।
ଜଳ ପ୍ରଦୂଷଣ ନିୟନ୍ତ୍ରଣ ଓ ନିବାରଣ ଆଇନ ବିଜ୍ଞପ୍ତି ୨୦୨୪, ଫେବୃଆରୀ ୧୫କୁ ରାଜ୍ୟ ସରକାର ସଂଶୋଧନ କରିଛନ୍ତି। ଏଥିପାଇଁ ଗୃହରେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ସଂକଳ୍ପ ଆଗତ କରିଥିଲେ। ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ଏହି ସଂକଳ୍ପକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଜୋରଦାର ବିରୋଧ କରିଥିଲେ। ସଂକଳ୍ପକୁ ବିରୋଧ କରି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ଆଇନ ସଂଶୋଧନ କରିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଲା ସହଜରେ ବ୍ୟବସାୟ ନାଁରେ କମ୍ପାନୀଙ୍କୁ ସେମାନଙ୍କ ଅପରାଧ ପାଇଁ ଦଣ୍ଡ ବିଧାନ ନକରି ସୁରକ୍ଷା ଦେବା। କମ୍ପାନୀ କର୍ତ୍ତୃପକ୍ଷ ଏବଂ ସେମାନଙ୍କୁ ବେଆଇନ କାର୍ଯ୍ୟରେ ସହାୟତା କରୁଥିବା ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ଓ ଗିରଫଦାରୀ ନକରି କେବଳ ଜୋରିମାନା ଆଦାୟ କରିବେ। ଜୋରିମାନା ସର୍ବୋଚ୍ଚ ସୀମା ୧୫ଲକ୍ଷ ଟଙ୍କା ଅଛି। ଅର୍ଥାତ ଅପରାଧ ଯେତେ ବଡ଼ ହେଲେ ବି ଦଣ୍ଡ ଓ ଜୋରିମାନାର ପରିମାଣ ସ୍ଥିର ରହିବ। ଏଭଳି ବ୍ୟବସ୍ଥା ଆଗାମୀ ଦିନରେ କମ୍ପାନୀଗୁଡ଼ିକ ଦ୍ବାରା ଅଧିକରୁ ଅଧିକ ଆଇନ ଉଲ୍ଲଙ୍ଘନକୁ ପ୍ରୋତ୍ସାହିତ କରିବ।
ପୂର୍ବରୁ ଆଇନ ଉଲ୍ଲଙ୍ଘନ କ୍ଷେତ୍ରରେ ଅପରାଧର ବିଚାର କରିବାର କ୍ଷମତା କୋର୍ଟଙ୍କୁ ଦିଆଯାଇଥିଲା। ବର୍ତ୍ତମାନ ସରକାର ପ୍ରକ୍ରିୟାକୁ ଅଧିକ ତ୍ବରିତ କରିବା ନାଁରେ କୋର୍ଟଙ୍କ ଭୂମିକାକୁ ସମାପ୍ତ କରି ଦେଉଛନ୍ତି। ସଚିବ ପାହ୍ୟାର ଅଧିକାରୀଙ୍କୁ ବିଚାର ବିଭାଗୀୟ ଅଧିକାରୀ ଭାବେ ନିଯୁକ୍ତ କରାଗଲେ ସମ୍ପୃକ୍ତ ଅଧିକାରୀ ନିରପେକ୍ଷ ନ୍ୟାୟ ଦେବେ ନା ରାଜ୍ୟ ସରକାରଙ୍କ କଥାରେ ପରିଚାଳିିତ ହେବେ। ଏହି ସଂକଳ୍ପ ଓଡ଼ିଶା ସ୍ବାର୍ଥ ଉପଯୋଗୀ ନୁହେଁ, ବରଂ ବିରୋଧୀ। ୨ବର୍ଷ ମଧ୍ୟରେ କମ୍ପାନୀଗୁଡ଼ିକ ଉପରେ ୫୮୯୦.୬୫କୋଟି ଟଙ୍କା ଜଳକର ବାକି ପଡ଼ିଛି ବୋଲି ସେ କହିଥିଲେ। କଂଗ୍ରେସ ଦଳ ମୁଖ୍ୟ ସଚେତକ ସି.ଏସ. ରାଜନଏକ୍କା କହିଲେ, କେନ୍ଦ୍ର ସରକାର ଗଙ୍ଗା ଓ ଯମୁନା ନଦୀ ସୁରକ୍ଷା କରିପାରୁ ନାହାନ୍ତି। ଦେଶଯାକର ନଦୀ ସୁରକ୍ଷା କିପରି କରିବେ? ରାଜ୍ୟରେ ମହାନଦୀରୁ ଆରମ୍ଭ କରି ଅନ୍ୟାନ୍ୟ ନଦୀ ପ୍ରଦୂଷିତ ହେଉଛି। ଆଇନ ଉଲ୍ଲଙ୍ଘନକାରୀ ଶିଳ୍ପସଂସ୍ଥା ବିରୋଧରେ କୋର୍ଟ ବିଚାର କରିବା ପରିବର୍ତ୍ତେ ସଚିବସ୍ତରୀୟ ଅଧିକାରୀ ବିଚାର କରିବା ବ୍ୟବସ୍ଥାକୁ ସେ ବିରୋଧ କରିଥିଲେ। ବିଜେଡି ଉପ-ମୁଖ୍ୟ ସଚେତକ ପ୍ରତାପ ଦେବ ଏବଂ ବିଧାୟକ ଅରବିନ୍ଦ ମହାପାତ୍ର ସଂକଳ୍ପ ଉପରେ ମତ ରଖିଥିଲେ।
ସଂକଳ୍ପ ଉପରେ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଲେ, ଆଇନ ଉଲ୍ଲଙ୍ଘନ କ୍ଷେତ୍ରରେ ରାଜ୍ୟରେ ଶିଳ୍ପାନୁଷ୍ଠାନ ଗୁଡ଼ିକ ବିରୋଧରେ କୋର୍ଟରେ ୩୪୫୩ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୧୦୮୮ଟି ମାମଲା ବିଚାରାଧୀନ ରହିଛି। ଏହି ସଂକଳ୍ପ ପାରିତ ହେବା ଦ୍ବାରା କୋର୍ଟରେ ଆଉ ବର୍ଷ ବର୍ଷ ଧରି ମାମଲା ଗଡ଼ିବ ନାହିଁ। ନୂଆ ଆଇନ ଫଳରେ କଳ କାରଖାନା ମାଲିକ ମାମଲାରୁ ମୁକ୍ତି ପାଇବେ। ୩ବର୍ଷ ଭିତରେ ଜୋରିମାନା ପଇଠ ନକଲେ ଦୁଇଗୁଣା ଜୋରିମାନା ଦେବାକୁ ପଡ଼ିବ। ଜୋରିମାନା ରାଶିକୁ ବିନିଯୋଗ କରି ରାଜ୍ୟର ବିକାଶମୂଳକ କାର୍ଯ୍ୟ କରାଯାଇ ପାରିବ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷଙ୍କ ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବା ସହିତ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବ। ପରିବେଶଗତ ଆଇନ ସମାନ ଭାବେ ପ୍ରୟୋଗ କରିବାକୁ ସୁନିଶ୍ଚିତ କରିବ। ଜଳ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଜାତୀୟ ମାନଦଣ୍ଡ ସହିତ ଓଡ଼ିଶା ସରକାରଙ୍କ ସମନ୍ବୟ ରକ୍ଷା କରିବ।
ମନ୍ତ୍ରୀ ଉତ୍ତର ରଖୁଥିବା ସମୟରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ବିରୋଧ କରି କକ୍ଷତ୍ୟାଗ କରିଥିଲେ। ଏହି ସମୟରେ ବିଜେଡି ବିଧାୟକ ଶ୍ରୀ ସ୍ବାଇଁ ସଂକଳ୍ପକୁ ଜୋରଦାର ବିରୋଧ କରିବା ସହିତ ଗୃହରେ ସଂକଳ୍ପ କାଗଜକୁ ଫାଡ଼ି କକ୍ଷତ୍ୟାଗ କରିଥିଲେ। ପରେ ବାଚସ୍ପତି ସୁରମା ପାଢ଼ୀ ଗୃହରେ ସମ୍ପୃକ୍ତ ସଂକଳ୍ପକୁ ପାରିତ କରାଇଥିଲେ।



