ଭୁବନେଶ୍ବର: ରାଜ୍ୟରେ ଜାନୁଆରୀ ୨୮ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି। ୨୮ ତାରିଖରୁ ଦୁଇ ଦିନଯାଏ ଘଡଘଡି ସହ ବର୍ଷା ହୋଇପାରେ। ଉତ୍ତର ଓ ଦକ୍ଷିଣ ଓଡିଶା ମୁଖ୍ୟତ ବର୍ଷାରେ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆସନ୍ତା ୨୭ତାରିଖରେ ପାଗ ଶୁଖିଲା ରହିବ। ୨୮ରେ ୯ ଜିଲ୍ଲାରେ ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କଟକ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଝାରସୁଗୁଡା, ମୟୁରଭଞ୍ଜ ଓ କେନ୍ଦୁଝର ଜିଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୯ରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଜିଲାରେ ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
ପାଣିପାଗ ବିଭାଗ ସୂଚନାଅନୁସାରେ ଶନିବାର ଏବଂ ରବିବାର ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେବ। ୨୬ ଏବଂ ୨୭ ତାରିଖରେ ଅନୁଗୁଳ, ସୋନପୁର, ଝାରସୁଗୁଡା, ଦେବଗଡ, ବଲାଙ୍ଗିର ଜିଲାମାନଙ୍କରରେ ଶୀତ ଲହରୀ ଜାରି ରହିବା ସହ ଥଣ୍ଡା ପବନ ବହିବ। ଏଣୁ ପାଣିପାଗ ବିଭାଗ ପକ୍ଷରୁ ଏହି ୫ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।



