ରାଜ୍ୟ ଗଠନରେ ଫେରନ୍ତା ଶ୍ରମିକଙ୍କ ଭୂମିକା
କରୋନା ମହାମାରୀ ଯୋଗୁଁ ଲକ୍ଷଲକ୍ଷ ପ୍ରବାସୀ ଓଡ଼ିଆ ଶ୍ରମିକ ଭାଇଭଉଣୀ ଅକଥନୀୟ ଦୁର୍ଦଶା ସହି ନିଜ ଭିଟାମାଟିକୁ ଫେରିଆସିଛନ୍ତି। ଫେରିବା ବାଟରେ କିଏ ଖାଇବାକୁ ଓ ପିଇବାକୁ ନପାଇ ଛଟପଟ ହୋଇପଡ଼ିଥିବାବେଳେ କିଏ ପୁଣି ଚାଲୁଚାଲୁ ଟଳି ପଡ଼ିଛି। ଯେଉଁମାନେ ଜୀବନ ଯନ୍ତ୍ରଣା ସହି ଫେରି ଆସିଲେ ତାଙ୍କୁ ଓଡ଼ିଶାରେ କେଉଁକେଉଁ କାର୍ଯ୍ୟରେ ପ୍ରଥମେ ନିୟୋଜିତ କରାଯାଇପାରିବ?
ଆମ ଓଡ଼ିଶାର ମୁଖ୍ୟ ଜୀବିକା ହେଲା ଚାଷ। ଏହା ସତ୍ୟ, କୃଷି ବ୍ୟବସାୟ ଶିଳ୍ପ କାରଖାନାର ସମକକ୍ଷ ହୋଇପାରୁନି। କୃଷି ଲାଭଦାୟକ ହେଉନଥିବାରୁ ଜମି ପଡ଼ିଆ ପକାଇ ଶ୍ରମିକ ଦି’ ପଇସା ପାଇଁ ଦୂର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି। ଏହାର ବିଚାର କରି ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାର କରି ଫାର୍ମ ହାଉସ୍ ପ୍ରତି ପଞ୍ଚାୟତରେ ସ୍ଥାପନ କରି ଏହାକୁ ଲାଭଜନକ କରାଯାଉ। ତା’ହେଲେ କୃଷି ଶ୍ରମିକ ମନରେ ନୂତନ ଆଶା ସଂଚାର ହେବ ଏବଂ ସେ ବାହାରକୁ ଯିବାକୁ ମନ ବଳାଇବ ନାହିଁ।
ଚାଷକୁ କେବଳ ବ୍ୟବସାୟ ଶିଳ୍ପ ଭାବରେ ନେବାର ମାହୋଲ ସୃଷ୍ଟି କରାଯାଉ। ପନିପରିବା ଓ ଫଳମୂଳ ବଡ଼ ବଜାରକୁ ଯାଉ। ଟମାଟୋ ଉତ୍ପାଦନ ସମୟରେ କେ.ଜି ୨ ଟଙ୍କାରେ ମିଳେ ବା ତୋଳିବା ମଜୁରି ବି ଉଠେନି, ମାତ୍ର ତାକୁ ସସ୍ କରିଦେଲେ ପରେ ଉଚ୍ଚ ଦରରେ ବିକ୍ରି ହୋଇପାରିବ। ଶୀତଳ ଭଣ୍ଡାରରେ ଟମାଟୋକୁ ରଖିଦେଲେ ଅଭାବ ସମୟରେ ଲାଭରେ ବିକ୍ରି ହୋଇପାରିବ। ଆଳୁ ଅମଳ ବେଳେ କିଲୋଗ୍ରାମ ପିଛା ୭ରୁ ୧୦ଟଙ୍କା ଥାଏ। ତାକୁ ଚିପ୍ସ କରି ବିକ୍ରିକଲେ ୧୦୦ ଟଙ୍କାରୁ ଅଧିକ ମିଳିପାରିବ। ଆର୍ଥିକ ମାନଦଣ୍ଡକୁ ନିୟନ୍ତ୍ରଣକୁ ଆଣିବାକୁ ହେଲେ ଏସବୁ କରିବାକୁ ପଡ଼ିବ। ସ୍ୱଳ୍ପ ଜମିଥିବା କୃଷକମାନଙ୍କ ପାଇଁ ସରକାରଙ୍କ ପ୍ରୋତ୍ସାହନ ଓ ଦାୟିତ୍ୱରେ କୋଠ ଚାଷ କରାଯାଉ, ଯେଉଁଥିରେ ଚାଷୀମାନେ ନିଜ ଜମିରେ କାମ କରି ମଜୁରି ପାଇବେ ଏବଂ ଶେଷରେ ଜମି ଅନୁସାରେ ଲାଭାଂଶର ଅଂଶଧନ ପାଇବେ।
ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ କ’ଣ କରିବା ଦରକାର, ତାହା ଏ ଯାଏଁ ଆବଶ୍ୟକତା ଅନୁସାରେ ହୋଇପାରିନି। ତେଣୁ ଶୀତଳ ଭଣ୍ଡାର ନିର୍ମାଣ, ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା, ବଜାର ବ୍ୟବସ୍ଥା, ଅଣଚାଷୀ ଓ ମହିଳାମାନଙ୍କ ଦ୍ୱାରା ସୂତାକଟା ଓ ଲୁଗା ଉତ୍ପାଦନ କାର୍ଯ୍ୟ ଆଦି ଦିଗ ପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ। ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗରେ ସୋଲାର ଚରଖା ବ୍ୟବସ୍ଥା ଅଛି। ଏହାକୁ ଗ୍ରାମମାନଙ୍କର ଘରେଘରେ ଯୋଗାଇ ଦିଆଯାଉ। ଅଣକୃଷି ଶ୍ରମିକଙ୍କ ପାଖରେ ତୁଳା ପହଞ୍ଚାଇ ଉପଯୁକ୍ତ ପାରିଶ୍ରମିକ ଦେଇ ସେମାନଙ୍କଠାରୁ ସୂତା ସଂଗ୍ରହ କରାଯାଉ। ବିଦ୍ୟାଳୟରେ ପିଲାଙ୍କ ୟୁନିଫର୍ମ ଏଇ ହାତକଟା ସୂତାରୁ ପ୍ରସ୍ତୁତ ପୋଷାକ ବାଧ୍ୟତାମୂଳକ କରାଯାଉ ଏବଂ ବାହାରକୁ ରପ୍ତାନୀର ଅନ୍ଲାଇନ୍ ଆଦି ବ୍ୟବସ୍ଥା କରାଯାଉ।
ପ୍ରତି ଗାଁ ଓ ପ୍ରତି ଘରେ ଖେଳନା ତିଆରି, ମୋବାଇଲ୍ ତିଆରି, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ତିଆରିର ଉପକରଣ ଯୋଗାଇ ଦେଇ ବା ଏସବୁର ଯନ୍ତ୍ରାଂଶ ଉତ୍ପାଦନ ପାଇଁ କଞ୍ଚାମାଲ ଯୋଗାଇ ଉଚିତ ପାରିଶ୍ରମିକ ଦେଇ ସଂଗ୍ରହ କରାଯାଇ ପାରିବ ଏବଂ ବିଦେଶକୁ ରପ୍ତାନୀ କରାଯାଇପାରିବ। ଏଭଳି ଭାବରେ ଚୀନ୍ ତା’ର ଅର୍ଥନୀତିକୁ ବଢ଼ାଇ ପାରିଛି। ଏହାଦ୍ୱାରା ନିମ୍ନ ମଧ୍ୟବିତ୍ତ ଘରର ଲୋକ କିଛି ରୋଜଗାର ପାଇ ଉପକୃତ ହୋଇପାରିବ। ଗୋପାଳନ ମତ୍ସ୍ୟଚାଷ ଇତ୍ୟାଦି ପାଇଁ ସହଜରେ ଋଣ ଯୋଗାଇ ଦିଆଯାଉ। ଗାଈ କ୍ଷୀର ପ୍ରକ୍ରିୟାକରଣ, ଗୋମୂତ୍ର, ଗୋମୟର ପ୍ରକ୍ରିୟାକରଣ କରି ଉପଯୁକ୍ତ ପ୍ୟାକେଜିଂ ଦ୍ୱାରା ରପ୍ତାନୀ କରାଯାଇ ପାରିବ। ମାଛର ମଧ୍ୟ ପ୍ରକ୍ରିୟାକରଣ ହୋଇ ବାହାରକୁ ରପ୍ତାନୀ ହୋଇପାରିବ। ପ୍ରବାସୀ ଓଡ଼ିଆ ଶ୍ରମିକ ଏଥିରେ ନିଜକୁ ସ୍ୱାବଲମ୍ବୀ କରିପାରିବ।
ପ୍ରଥମେ ପଞ୍ଚାୟତସ୍ତରରୁ ଶ୍ରମିକମାନଙ୍କର ମ୍ୟାପିଂ କରାଯାଇ କିଏ କେଉଁଥିରେ କୁଶଳୀ ତାହା ବଛାଯାଇ, ସେହି ଅନୁସାରେ ତାଙ୍କୁ କାମ ଦିଆଯାଉ। ସେଥିନିମନ୍ତେ ସେମାନଙ୍କ ଘର ଦୁଆର ମୁହଁରେ ଆର୍ଥିକ ସହାୟତା ପହଞ୍ଚାଯାଉ। ସମ୍ପୃକ୍ତ ବିଭାଗର ଅଧିକାରୀମାନେ ତାଙ୍କୁ ତଥ୍ୟ, ପ୍ରୋତ୍ସାହନ, ସାହାଯ୍ୟ ଆନ୍ତରିକତାର ସହ ଯୋଗାଇଦେବେ।
ରୁଗ୍ଣ ସୂତାକଳ ଓ ଲୁଗାକଳର ପୁନରୁଦ୍ଧାର କରାଯାଉ। ଔଷଧୀୟ ବୃକ୍ଷ, ଗୁଳ୍ମ ଆଦିର ଚାଷ ସହିତ କାରଖାନା ପ୍ରତିଷ୍ଠା କରାଯାଉ। ପଲିଥିନ୍ ବଦଳରେ ଡିସ୍ପୋଜେବଲ୍ ବ୍ୟାଗ୍ କାରଖାନା, ମୁଖ ମାସ୍କ ତିଆରି ପ୍ରକଳ୍ପ, ସାନିଟାଇଜର ପ୍ରସ୍ତୁତ ଆଦି କ୍ଷୁଦ୍ର ଶିଳ୍ପ କରାଯାଇପାରିବ। କରୋନା ପାଣ୍ଡାମିକ୍ ପାଇଁ ଯେପରି ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ଼୍ ହସ୍ପିଟାଲ୍ ହେଲା, ସେପରି ଲକ୍ଷଲକ୍ଷ ଫେରନ୍ତା ଶ୍ରମଜୀବୀଙ୍କ ପାଇଁ ସରକାରଙ୍କର ଏକ ସ୍ୱତନ୍ତ୍ର ବିଭାଗ ଖୋଲାଯାଉ।
ଜମିମାଲିକମାନେ ଅନ୍ୟକୁ ଜମି ଲିଜ୍ରେ ଦେବାକୁ ରାଜି ହେଉନାହାନ୍ତି। ସରକାର କିପରି ଜମି ଲିଜ୍ରେ ମିଳିବ ତା’ର ବ୍ୟବସ୍ଥା କରନ୍ତୁ। ତା’ହେଲେ ଭୂମିହୀନମାନେ ବିଭିନ୍ନ ପ୍ରକଳ୍ପ ପାଇଁ ଋଣ ପାଇପାରିବେ। ସରକାରଙ୍କ ନିୟମ ଅନୁସାରେ ଜଣେ ଶ୍ରମିକ ଦିନକୁ ୨୦୭ ଟଙ୍କା ମଜୁରି ପାଅନ୍ତି। ଏଭଳି କର୍ମ ବ୍ୟବସ୍ଥା କରାଯାଉ ସେ ଯେପରି ଦିନକୁ ଅଧିକ ରୋଜଗାର କରିପାରିବେ। ଆମର ସୌଭାଗ୍ୟ ଓଡ଼ିଶାରୁ ଦୁଇ ଜଣ ମନ୍ତ୍ରୀ କେନ୍ଦ୍ରରେ ଅଛନ୍ତି। ସେମାନେ ଓଡ଼ିଶାର ଉନ୍ନତି ନିମନ୍ତେ ଖୁବ୍ ଆଗ୍ରହୀ। ତାଙ୍କର ସହଯୋଗରେ ଓଡ଼ିଶାରେ ଅନେକ ବିକାଶମୂଳକ ପରିବର୍ତ୍ତନ ଆସିପାରିବ। ଏହାଛଡ଼ା ଦେଶର ଅନ୍ୟତ୍ର ଓ ବିଦେଶରେ ଯେଉଁ ଓଡ଼ିଆ ବୁଦ୍ଧିଜୀବୀ, ବୈଜ୍ଞାନିକ, ଆଇଟି ବିଶାରଦ, କାରିଗରୀ ଜ୍ଞାନକୌଶଳ ବିଶେଷଜ୍ଞ, ବିଭିନ୍ନ କ୍ଷେତ୍ରରେ ବିଶିଷ୍ଟ ବିଦ୍ୱାନମାନେ ଅଛନ୍ତି, ସେମାନେ ତାଙ୍କର ବୁଦ୍ଧି, ଜ୍ଞାନ ଓ ନୈପୁଣ୍ୟକୁ ନିଜ ଜନ୍ମମାଟି ଓଡ଼ିଶାକୁ ଦିଅନ୍ତୁ।
ଏ ସମସ୍ତ ପ୍ରତି ଦୃଷ୍ଟି ଦେଲେ, ଆନ୍ତରିକ ଭାବେ ସମସ୍ତେ ଲାଗି ପଡ଼ିଲେ ଫେରନ୍ତା ଓଡ଼ିଆ ଶ୍ରମିକ ଭାଇ ଭଉଣୀଙ୍କୁ କାମ ମିଳିଯିବ, ରୋଜଗାର ମିଳିଯିବ। ଓଡ଼ିଶା ନିର୍ମାଣରେ ସେମାନେ ଭାଗୀଦାର ହେବେ। ସବୁଠୁ ବଡ଼କଥା ହେବ, ସେମାନଙ୍କ ନାଁରୁ ଦାଦନ କଳଙ୍କ ହଟିଯିବ ଏବଂ ଆମ ଓଡ଼ିଶାରେ ଲାଗିଥିବା ଗରିବ ରାଜ୍ୟ ଛାପ ଆମଠୁ ଉଠିଯିବ।
Comments are closed.