www.samajalive.in
Saturday, December 6, 2025
26.1 C
Bhubaneswar

ଭୁବନେଶ୍ବର ଶ୍ରୀଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ପୁରୀ ଶ୍ରୀମନ୍ଦିର ଭଳି ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ

ଭୁବନେଶ୍ବର: ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ଭୁବନେଶ୍ବର ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପରଖିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପୁରୀ ଶ୍ରୀମନ୍ଦିର ଭଳି ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ। ସ୍ବତନ୍ତ୍ର ଆଇନରେ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ହେବ। ଏକାମ୍ର କ୍ଷେତ୍ରକୁ ଅଧିକ ଭକ୍ତ ଓ ପର୍ଯ୍ୟଟକ ଆକର୍ଷିତ କରିବାକୁ ଯୋଜନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ନେଇ ସ୍ଥିତି ସମୀକ୍ଷା କରିଛନ୍ତି। ଏକାମ୍ରକ୍ଷେତ୍ରର ଏହି ପର୍ଯ୍ୟଟନସ୍ଥଳୀର ବିକାଶ ଓ ପର୍ୟ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଚାଲିଥିବା ସୌନ୍ଦର୍ୟ୍ୟକରଣର କାମ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଲି ଦେଖିଛନ୍ତି। ଏହାସହିତ ଏକାମ୍ର କ୍ଷେତ୍ରରେ ଚାଲିଥିବା ଏହି ଉନ୍ନୟନମୂଳକ କାମର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖ, ବିନ୍ଦୁସାଗର ଅଞ୍ଚଳ ଆଦି ବୁଲି ଦେଖିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଏକାମ୍ରକ୍ଷେତ୍ରର ଶ୍ରୀଲିଙ୍ଗରାଜ ଉନ୍ନତିକରଣ କାର୍ଯ୍ୟର ଅଗ୍ରଗତି ନେଇ ମୁଁ ବହୁତ ଖୁସି। ପୁରୀ ଶ୍ରୀମନ୍ଦିର ଭଳି ଭୁବନେଶ୍ବର ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍‌ ଆଣିବେ। ସ୍ୱତନ୍ତ୍ର ଆଇନ ଅନୁସାରେ ଭୁବନେଶ୍ବର ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ହେବ। ଏଠାରେ ମଧ୍ୟ ପୁରୀ ଶ୍ରୀମନ୍ଦିର ଭଳି ଆଇନ୍‌ ପ୍ରଣୟନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।


ଆଜି ଅପରାହ୍ନରେ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ସିଂହଦ୍ବାରକୁ ଯାଇ ସେଠାରୁ ମହାପଭୁଙ୍କୁ ପ୍ରଣାମ ଜଣାଇଥିଲେ ଏବଂ ସେବାୟତ ମାନଙ୍କ ସହିତ ଆଲୋଚନା କରିଥିଲେ । ବର୍ତ୍ତମାନ ସରକାର ଅମଳରେ ବିନ୍ଦୁସାଗର ଠାରୁ ଆରମ୍ଭ କରି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଅନେକ ବିକାଶ କାର୍ଯ୍ୟ ହୋଇଥିବାରୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ।
ଏହାପରେ ମୁଖ୍ୟମନ୍ତ୍ରୀ ଦେବୀ ପାଦହରା ପୁଷ୍କରଣୀ ବୁଲି ଦେଖିବା ସହ ବିନ୍ଦୁସାଗର ମଠଘାଟ ଠାରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ଏକାମ୍ରକ୍ଷେତ୍ର ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ବ୍ୟକ୍ତି ମାନଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଥିଲେ ଏବଂ ପ୍ରକଳ୍ପ କାର୍ୟ୍ୟ ଆଗକୁ ନେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିରେ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିବା ସହିତ ଅଧିକ ପର୍ୟ୍ୟଟକଙ୍କୁ ସେଠାକୁ ଆକର୍ଷିତ କରିବାରେ ଏହି ଯୋଜନା ଏକ ସଫଳ ଉଦ୍ୟମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

- Advertisement -


ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ଭୁବନେଶ୍ୱର (ଏକାମ୍ର) ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ପୂର୍ତ୍ତ ସଚିବ କିଷନ କୁମାର, ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧୁରୀ ଏବଂ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ‘ଏକାମ୍ରକ୍ଷେତ୍ର’ ଯୋଜନାରେ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ଜାରି ରହିଛି। ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ୟ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ଐତିହ୍ୟ ନଗରୀ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବା ସହିତ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରିବା ଏବଂ ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭବ ପ୍ରଦାନ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ।


୨୦୧୯ ଡିସେମ୍ବର ୧୨ରେ ମୁଖ୍ୟମନ୍ତ୍ରୀ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ। ୬୬ଏକର ଜମିରେ ୯ଟି ପ୍ରକଳ୍ପ କରାଯିବାକୁ ସୂଚନା ଦିଆଯାଇଥିଲା। ଶ୍ରୀଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ଏହାର ସୁରକ୍ଷା ବ୍ୟବସ୍ଥା ଅଧିକ ମଜଭୁତ କରାଯିବା ଘୋଷଣା ହୋଇଥିଲା। ଏହାପରେ ଲିଙ୍ଗରାଜ ମନ୍ଦିର ଅଞ୍ଚଳରୁ ଭଙ୍ଗାକାର୍ଯ୍ୟ ଜୋରଦାର କରାଯାଇଥିଲା। ଉଚ୍ଛେଦ ସ୍ଥାନକୁ ରାତାରାତି ସମତୁଲ କରାଯିବା ସହିତ ସିମେଣ୍ଟ ଖଣ୍ଡ ବିଛାଇ ସୌନ୍ଦର୍ଯ୍ୟମୟ କରାଯାଇଛି। ସେଠାରେ ପ୍ଲାଷ୍ଟିକ ଗଛକୁଣ୍ଡ ରଖି ବଗିଚା କରାଯିବା ସହ ବିଶ୍ରାମ ଲାଗି ଚୌକି ମଧ୍ୟ ପଡ଼ିଛି। ଏପରିକି ସଞ୍ଜ ହେଲେ ଏହାର ପରିବେଶକୁ ଆକର୍ଷଣୀୟ ଏବଂ ଆଲୋକିତ କରିବା ଲାଗି ବିଦ୍ୟୁତ୍‌କରଣ କରାଯାଇଛି। ମନ୍ଦିର ଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଚପଲ ଷ୍ଟାଣ୍ଡ ନିର୍ମାଣ ହୋଇଛି। କୋଷେ ଦୂରରୁ ପର୍ଯ୍ୟଟକ ମନ୍ଦିର ସୌନ୍ଦର୍ଯ୍ୟକୁ ଦେଖି ବିମୋହିତ ହେବା ସହ କ୍ୟାମେରାରେ ଦୃଶ୍ୟପଟ୍ଟକୁ ସାଇତି ରଖୁଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories