ମାନବିକତା ହିଁ ଅସଲ ଧର୍ମ
ରାମଚନ୍ଦ୍ର ପଣ୍ଡା, ପୂର୍ବତନ ଉପବାଚସ୍ପତି, ଓଡ଼ିଶା ବିଧାନସଭା
ବିଶ୍ବମାନବୀୟତା ମହାତ୍ମା ଗାନ୍ଧୀଙ୍କ ଦର୍ଶନର ମୂଳ ଭିତ୍ତି ଥିଲା, ଯାହା ଧର୍ମ, ଭାଷା ଓ ଗୋଷ୍ଠୀ ଭାବନାରୁ ମୁକ୍ତ ଥିଲା । ଗାନ୍ଧୀ ଦର୍ଶନ ମୌଳିକତା ମାନବିକତା ଓ ସତ୍ୟ ଆଧାରିତ ଜୀବନ ଉପରେ ପର୍ଯ୍ୟବସିତ । ପୃଥିବୀର ଯେ କୌଣସି ପ୍ରାନ୍ତର ଜନଗଣଙ୍କ ମୁକ୍ତି ଆନ୍ଦୋଳନକୁ ଆନ୍ତର୍ଜାତିକ ରୂପ ଦେବାରେ ଗାନ୍ଧିଜୀ ବିଶ୍ବର ପ୍ରଥମ ନେତା ଥିଲେ । ୧୯୨୯ ଏପ୍ରିଲ ୪ରେ ୟଙ୍ଗ ଇଣ୍ଡିଆ ରେ ପ୍ରକାଶିତ ଏକ ଲେଖାରେ ସେ ନିଜର ଏହି ସଂକଳ୍ପକୁ ବର୍ଣ୍ଣନା କରି ଲେଖିଥିଲେ ଯେ ‘ମୋର ଲକ୍ଷ୍ୟ କେବଳ ଭାରତୀୟ ସମାଜରେ ଭାଇଚାରା ବିକଶିତ କରିବାରେ ସୀମିତ ନୁହେଁ କିମ୍ବା କେବଳ ଭାରତର ସ୍ବାଧୀନତା ହାସଲ ଏକ ମାତ୍ର ଲକ୍ଷ୍ୟ ନୁହେଁ ବରଂ ଏହାକୁ ହାସଲ କରିବା ମାଧ୍ୟମରେ ମଣିଷ ମଣିଷ ମଧ୍ୟରେ ଭ୍ରାତୃଭାବ ପ୍ରତିଷ୍ଠାର ଲକ୍ଷ୍ୟ ଅନ୍ତର୍ନିହିତ । ମଁୁ ଏଭଳି ଜାତୀୟତା ବାଦକୁ ପ୍ରତ୍ୟାଖ୍ୟାନ କରେ ଯାହା କୌଣସି ବର୍ଗର ଶୋଷଣ ଓ ଯାତନା ଉପରେ ପର୍ଯ୍ୟବସିତ’ ।
୧୯୨୪ ନଭେମ୍ବର ୧୩ ୟଙ୍ଗ ଇଣ୍ଡିଆ ଏକ ଅଗ୍ର ଲେଖାରେ ଗାନ୍ଧିଜୀ ସତ୍ୟକୁ ଭଗବାନ ରୂପେ ଗ୍ରହଣ କରି ହିନ୍ଦୁ, ଖ୍ରୀଷ୍ଟିଆନ ଓ ଇସଲାମର ମୌଳିକ ତତ୍ତ୍ବ ସତ୍ୟ ଉପରେ ଆଧାରିତ ଯାହା ତାଙ୍କୁ ପ୍ରେରଣା ଦେଇଥିବା ନେଇ ବର୍ଣ୍ଣନା କରିଥିଲେ । ସମ୍ବିଧାନ ସଭାରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ କହିଥିଲେ ଯେ ଗାନ୍ଧିଜୀଙ୍କ ଦର୍ଶନ ବିଶ୍ବ ପାଇଁ ଚିରନ୍ତନ ମୂଲ୍ୟବୋଧ ରୂପେ ରହିଥିବ । ଏହାକୁ ପାଥେୟ କରି ସ୍ବାଧୀନତାର ଗୌରବମୟ ପ୍ରଥମ ଦିବସରେ ସମ୍ବିଧାନ ସଭାରେ ପଣ୍ଡିତ ଜବାହାରଲାଲ ନେହେରୁ ତାଙ୍କର ସୁପ୍ରସିଦ୍ଧ ଉଦ୍ଘୋଷଣାରେ କହିଥିଲେ ଯେ ବହୁ ବର୍ଷ ପୁର୍ବରେ ଆମେ ଆମର ଭାଗ୍ୟର ପରିବର୍ତ୍ତନ ପାଇଁ ଯେଉଁ ସଂକଳ୍ପ ଓ ସ୍ବପ୍ନର ପ୍ରତିଜ୍ଞା ନେଇଥିଲୁ ତାର ସଫଳ ମୁହୂର୍ତ୍ତ ଦେଶ ସମ୍ମୁଖରେ ଉପସ୍ଥିତ।
ମୁକ୍ତିର ଏହି ଅପୂର୍ବ ଉଦୟ ଜାତି, ଧର୍ମ, ଭାଷା ନିର୍ବିଶେଷରେ ପ୍ରତ୍ୟେକର ଆଖିରୁ ଲୁହ ନିର୍ବାପ କରିବାର ସୁଯୋଗ ଆମକୁ ଦେଇଛି, ଯାହା ସମଗ୍ର ବିଶ୍ବରେ ମାନବ ଜାତିର ସ୍ବାଧୀନତା ଓ ମଙ୍ଗଳ ପାଇଁ ଉଦ୍ଦିଷ୍ଟ । ଗାନ୍ଧିଜୀଙ୍କ ସାର୍ବଭୌମିକ ମାନବତା ମୂଲ୍ୟବୋଧରେ ଅନୁପ୍ରେରିତ ଆମ ସଂବିଧାନ ରଚୟିତା ମାନେ ଆମ ସମ୍ବିଧାନକୁ ବିଶ୍ବ ପାଇଁ ଏକ ଆଲୋକ ବର୍ତ୍ତିକା ରୂପେ ଦେଖିବାର ସ୍ବପ୍ନ ରଖିଥିଲେ ଓ ସେ ଦିଗରେ ନାଗରିକଙ୍କୁ ଦେଶ ଓ ସଂବିଧାନର ସର୍ବମୟ କର୍ତ୍ତା ରୂପେ ବିବେଚନା କରିଯାଇ ଅଛନ୍ତି। ଗଣତନ୍ତ୍ର ଏକ ବିଶ୍ବମାନବୀୟ ସିଦ୍ଧାନ୍ତ ଯାହାର ମୌଳିକ ଉପାଦାନଗୁଡ଼ିକ ଚିରନ୍ତନ ଭାବେ ଅଭିନ୍ନ ଓ ଅବିଚ୍ଛେଦ୍ୟ, ଯାହାର କୌଣସି ରାଷ୍ଟ୍ର ଭିତ୍ତିକ ସଂଜ୍ଞା ନାହିଁ, ଯାହା ପ୍ରତ୍ୟେକ ଲୋକ ପାଇଁ ବିଦ୍ୟମାନ।
୧୯୧୫ରେ, ଭାରତର ସ୍ବାଧୀନତା ସଂଗ୍ରାମରେ ଗାନ୍ଧିଜୀଙ୍କ ଆବିର୍ଭାବ ସ୍ବାଧୀନତା ସଂଗ୍ରାମର ମୋଡ ବଦଳାଇ ଦେଇଥିଲା । ୧୮୯୩ରେ ଜଣେ ଆଇନଜୀବୀ ଭାବେ ଜୀବନ ଆରମ୍ଭ କରିବା ପାଇଁ ବାରିଷ୍ଟର ମୋହନ ଦାସ କରମଚାନ୍ଦ ଗାନ୍ଧୀ ଦକ୍ଷିଣ ଆଫ୍ରିକାକୁ ଯାଇ, ଉପନିବେଶବାଦ, ବର୍ଣ୍ଣ ବୈଷମ୍ୟ ବିରୋଧରେ ଅହିଂସା ଆନ୍ଦୋଳୋନ ଚଳାଇ ବିଶ୍ବକୁ ଅନୁପ୍ରାଣିତ କରିଥିଲେ, ଯାହା ମୋହନ ଦାସଙ୍କୁ ମହାତ୍ମା ଗାନ୍ଧୀରେ ରୂପାନ୍ତରିତ କରିଥିଲା। ତାଙ୍କର ବର୍ଣ୍ଣ ବୈଷମ୍ୟ ବିରୋଧୀ ଆନ୍ଦୋଳନ ସାରା ବିଶ୍ବର ମୁକ୍ତିକାମୀ ମଣିଷ ପାଇଁ ନୂଆ ଚିନ୍ତା, ନୂଆ ଆଶା ଓ ନୂଆ ସ୍ବପ୍ନ ଆଣିଦେଇଥିଲା। ୧୯୦୯ ନଭେମ୍ବର ୧୦ରେ ଦକ୍ଷିଣ ଆଫ୍ରିକାରେ ଏସିଆର ନାଗରିକମାନଙ୍କ ବିରୋଧରେ ବର୍ଣ୍ଣ ବୈଷମ୍ୟ ଓ ହିଂସା ବିରୁଦ୍ଧରେ ଲିଓ ଟଲଷ୍ଟୟଙ୍କୁ ଗାନ୍ଧିଜୀ ଲେଖିଥିବା ଏକ ପତ୍ରରେ, ତାଙ୍କର ଆନ୍ଦୋଳନ ପାଇଁ ସମର୍ଥନ ମାଗିଥିଲେ। ୧୯୪୨ ମେ ୧୧ରେ ବ୍ରିଟେନବାସୀଙ୍କୁ ଏକ ଖୋଲା ଚିଠି ଦେଇ, ଭାରତ ଓ ଦକ୍ଷିଣ ଆଫ୍ରିକାରୁ ବ୍ରିଟିଶ ଶାସନ ଶୀଘ୍ର ଅପସରି ଯିବା ପାଇଁ ଆହ୍ବାନ ଦେଇଥିଲେ, ଯାହା ଗାନ୍ଧିଜୀଙ୍କୁ ଜଣେ ବିଶ୍ବ ନେତାରେ ରୂପାନ୍ତରିତ କରିଦେଲା । ଶୋଷଣ ଓ ବର୍ଣ୍ଣ ବୈଷମ୍ୟମୁକ୍ତ ସମାଜ ଗଠନ ପାଇଁ ଗାନ୍ଧିଜୀଙ୍କ ଦର୍ଶନରେ ଅନୁପ୍ରାଣିତ ସ୍ବାଧୀନତା ସଂଗ୍ରାମୀମାନେ ସାରା ବିଶ୍ବରେ ଗଣତନ୍ତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ସମର୍ପିତ ଥିଲେ । ଭାରତର ବୈଦେଶିକ ନୀତି ଊଣା ଅଧିକେ ଗାନ୍ଧୀ ଦର୍ଶନ ଆଧାରିତ । ୪ ଦଶନ୍ଧି ଧରି ଭିଏତ୍ନାମ ଯୁଦ୍ଧରେ ଆମେରିକାର ବର୍ବର ହସ୍ତକ୍ଷେପ ବିରୁଦ୍ଧରେ ଭାରତରେ ବହୁବାର ପ୍ରତିବାଦର ସ୍ବର ଦେଖିବାକୁ ମିଳିଥିଲା । ଭିଏତ୍ନାମରେ ନରସଂହାର ରୋକିବା ପାଇଁ, ଭିଏତନାମ ଯୁଦ୍ଧରୁ ଆମେରିକା ଓହରିଯିବା ପାଇଁ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ପରାମର୍ଶ ଦେଇଥିଲେ ।
୧୯୬୦ରେ ନିଗ୍ରୋମାନଙ୍କୁ ସମାନ ଅଧିକାର ପ୍ରଦାନ ପାଇଁ ଆମେରିକାରେ ଆନ୍ଦୋଳନ କରି ଡକ୍ଟର ରାମମନୋହର ଲୋହିଆ ଗିରଫ ହୋଇଥିଲେ । ୧୯୭୧ରେ ପାକିସ୍ତାନ ସେନା ପକ୍ଷରୁ ବଙ୍ଗଳାଦେଶ ନରନାରୀଙ୍କ ଉପରେ ଯେଉଁ ବର୍ବର ଦମନ ଲୀଳା ଚାଲିଲା, ସେଥିରେ ଭାରତ ସରକାର ଓ ଜନଗଣଙ୍କ ହସ୍ତକ୍ଷେପ ସେ ଦେଶରେ ଗଣତନ୍ତ୍ର, ସମାନତା ଓ ଭାଇଚାରାକୁ ପୁନଃ ସ୍ଥାପନ କରିବା ସମ୍ଭବ ହୋଇଥିଲା, ଯାହା ଗାନ୍ଧିଜୀଙ୍କ ବିଶ୍ବ ମାନବତାବାଦ ଦର୍ଶନର ବାସ୍ତବ ରୂପାୟନ କୁହାଯାଇପାରେ। ୧୯୭୭ ମସିହାରେ ଜନତା ପାର୍ଟି ସରକାରର ବିଦେଶ ମନ୍ତ୍ରୀ ଭାବେ ଅଟଳ ବିହାରୀ ବାଜପେୟୀ ୧୯୭୭ ଅକ୍ଟୋବର ୪ରେ ଜାତିସଂଘରେ ଉଦ୍ବୋଧନ ଦେଇ ଜରୁରୀ ପରିସ୍ଥିତି ବିରୁଦ୍ଧରେ ଭାରତରେ ଐତିହାସିକ ଅହିଂସା ବିପ୍ଳବର ସଫଳତା ନେଇ ଉଲ୍ଲେଖ କରି ଜାତିସଂଘ ବିଶ୍ବ ସମାଜର ସ୍ବରର ପ୍ରଭାବୀ ଅନୁଷ୍ଠାନରେ ରୂପାନ୍ତରିତ ହେବା ପାଇଁ ଆହ୍ବାନ ଦେଇ, ସଭ୍ୟ ରାଷ୍ଟ୍ର ଗୁଡିକରେ “ବାସ୍ତବ ସ୍ବାଧୀନତା”ର ବିକାଶ ଉପରେ ଗୁରୁତ୍ବ ଆରୋପ କରିଥିଲେ ।
ନାଗରିକଙ୍କ ଇଚ୍ଛା ମତେ ସରକାର ପ୍ରତିଷ୍ଠା ଓ ବିନା ବାଛବିଚାରରେ ପ୍ରତ୍ୟେକ ନାଗରିକଙ୍କୁ ସାମାଜିକ, ରାଜନୈତିକ ଓ ମୌଳିକ ଅଧିକାର ଭୋଗ କରିବାର ସୁବିଧା ପ୍ରଦାନ ପାଇଁ ପ୍ରତ୍ୟେକ ରାଷ୍ଟ୍ରର ଅନୁରକ୍ତିକୁ ଜାତିସଂଘ ସନନ୍ଦରେ ଅନୁବନ୍ଧିତ କରାଯାଇ ଅଛି କିନ୍ତୁ ଅସ୍ତ୍ର ଓ ଧନ ବଳରେ ବଳୀୟାନ କିଛି ରାଷ୍ଟ୍ର ଜାତିସଙ୍ଘକୁ, ଏକ ନିରପେକ୍ଷ ଅମ୍ପାୟାର ରୂପେ ଏହି ଅନନ୍ୟ ଭୂମିକା ଅନୁପାଳନରେ କାର୍ଯ୍ୟ କରିବା ପାଇଁ ଦେଉନାହାନ୍ତି । ନିକଟରେ ଗୋଟିଏ ଇଂରାଜୀ ଖବର କାଗଜରେ ସାମ୍ବାଦିକ ଶ୍ରୀ କାର୍ଲେକର ବର୍ମାରେ ଗଣତନ୍ତ୍ର ପାଇଁ ଆନ୍ଦୋଳନକାରୀଙ୍କ ଉପରେ ସେନା ସରକାର ଚଳାଇଥିବା ଅତ୍ୟାଚାର ଓ ଶୋଷଣ ସଂପର୍କରେ ଉଲ୍ଲେଖ କରି ଦର୍ଶାଇଛନ୍ତି ଯେ ଏଭଳି ବର୍ବରତା ଯେତିକି ଆଶ୍ଚର୍ଯ୍ୟଜନକ ନୁହଁ, ଏହା ବିରୁଦ୍ଧରେ ବିଶ୍ବର ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକର ନିଷ୍କ୍ରିୟତା ଅଧିକ ନୈରାଶ୍ୟଜନକ । ଚୀନ, ତାଇୱାନ, ହଂକଂ ପ୍ରଭୃତି ରାଷ୍ଟ୍ରରେ ନିର୍ଯାତିତ ସଂଖ୍ୟା ଲଘୁ ସମ୍ପ୍ରଦାୟର ନେତାମାନେ ଗତ ଜୁନରେ ଧର୍ମଶାଳାରେ ଏକ ଆଲୋଚନାରେ ଅଂଶଗ୍ରହଣ କରି, ଏଭଳି ମାନବୀୟ ସମସ୍ୟା ଉପରେ ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ନେଇ ସଂବାଦ ପ୍ରକାଶିତ ହୋଇଥିଲା। କୌଣସି ଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧର ପତନ ବା ଲଙ୍ଘନ ହେବା କ୍ଷେତ୍ରରେ ବିଶ୍ବବାସୀ ପ୍ରଶ୍ନ ଉଠାଇ ପାରିବେ, ଏଥିପାଇଁ ସମ୍ପୃକ୍ତ ଦେଶର ନାଗରିକ ହେବା ଜରୁରୀ ନୁହେଁ କାରଣ ମାନବିକତା ଓ ଗଣତନ୍ତ୍ର କୌଣସି ଦେଶର ବା କୌଣସି ଦଳ ବା ନେତାଙ୍କ ଜାଗିରିଦାରୀ ନୁହେଁ। ଭାରତର ପ୍ରେସ୍ ଓ ନାଗରିକ ସ୍ବାଧୀନତା ପାଇଁ ବହୁ ବିଦେଶୀ ଭାରତୀୟ ବିଭିନ୍ନ ସଙ୍ଗଠନର ମୂଳଦୁଆ ପକାଇଥିଲେ ।
ସତ୍ୟ, ନୈତିକତା ଓ ସମାନତା ପାଇଁ ସଂଘର୍ଷ କରୁଥିବା ଶାନ୍ତିକାମୀ-ମାନଙ୍କୁ ଗାନ୍ଧୀଦର୍ଶନ ପ୍ରେରଣା ଓ ବଳ ଯୋଗାଉଛି ଓ ଯୋଗାଉଥିବ । ଇତିହାସ ତା’ର ନିଜସ୍ବ ବାଟରେ ପରାକ୍ରମୀ ଶାସକ ମାନଙ୍କୁ ଧୂଳିସାତ୍ କରିବାର ଯଥେଷ୍ଟ ଉଦାହରଣ ରହିଛି । ଶାସକ ଆସିବେ ଯିବେ; କିନ୍ତୁ ସମାଜ ରହିବ। ଗାନ୍ଧିଜୀ ସମାଲୋଚନାକୁ ସମାଲୋଚନା ନକରି, ବରଂ ଆତ୍ମ ସମୀକ୍ଷା କରୁଥିଲେ କାରଣ ତାଙ୍କୁ ଅହଂକାର ସ୍ପର୍ଶ କରିନଥିଲା । ଆଧୁନିକ ଯୁଗରେ ଯୋଗାଯୋଗର ବୈପ୍ଲବିକ ପରିବର୍ତ୍ତନ ଦ୍ବାରା ଏକ ସମୟରେ ବିଶ୍ବର ଭିନ୍ନ ଭିନ୍ନ ଭୂଖଣ୍ଡରେ ସୂର୍ଯ୍ୟ ଉଦୟ, ଓ ସୂର୍ଯ୍ୟାସ୍ତର ଚିତ୍ର ଉତ୍ତୋଳନ କ୍ଷେତ୍ରରେ ବିଶ୍ବ ବ୍ରହ୍ମାଣ୍ଡ ଏକ ପରିବାରରେ ପରିଣତ ହୋଇଛି । ତଥ୍ୟ ଆଦାନ ପ୍ରଦାନରେ ପ୍ରତିବନ୍ଧକ ହଟି ଯାଇଛି ମୁକ୍ତ ଚିନ୍ତନ ଓ ଅଭିବ୍ୟକ୍ତିର ବହୁ ରାସ୍ତା ଖୋଲିଯାଇଛି, ଯେଉଁଥିରେ ପ୍ରତିବନ୍ଧକ ଆଣିବା ଏକ ଅବାସ୍ତବ ଚିନ୍ତା । ମୁକ୍ତ ଚିନ୍ତନର ପରିବେଶ ଆମେରିକା ଓ ଇଂଲଣ୍ଡ ଭଳି ପଶ୍ଚିମ ଦେଶଗୁଡ଼ିକରେ ଜନ୍ମ, ଭାଷା, ଧର୍ମଗତ ବାଛବିଚାରକୁ ପ୍ରଭାବହୀନ କରିଛି । ଏହା ଯୋଗୁଁ ଦକ୍ଷତା ଓ ଜ୍ଞାନ ବଳରେ ବିଭିନ୍ନ ବଂଶୋଦ୍ଭବ ବିଶେଷକରି ଭାରତୀୟମାନେ, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆସନରେ ନିର୍ବାଚିତ ହୋଇପାରୁଛନ୍ତି । କାରଣ ଏହି ଦେଶଗୁଡ଼ିକରେ ରାଜନୈତିକ ଚିନ୍ତାଧାରା ସଂକୁଚିତ ନୁହେଁ ବା ଧର୍ମାନ୍ଧ ଶକ୍ତିଙ୍କ ଜାଲରେ ବାନ୍ଧି ହୋଇ ନାହିଁ କିମ୍ବା ପ୍ରମୁଖ ରାଜନୈତିକ ସଂଗଠନଗୁଡିକ ସାମାଜିକ ଓ ରାଜନୈତିକ ସଂକୀର୍ଣ୍ଣତାକୁ ପାଥେୟ କରି ନଥାନ୍ତି ।
ସମାନତା, ନାଗରିକ ଅଧିକାର, ନିରପେକ୍ଷତା ଓ ସ୍ବଚ୍ଛତା ଗଣତନ୍ତ୍ରର ମୂଳଦୁଆ । ଗଣତାନ୍ତ୍ରିକ ଶାସନ ଲୋକଙ୍କ ଦ୍ବାରା ଓ ଲୋକଙ୍କ ପାଇଁ ଶାସନ ଯାହା ଏକ ନିର୍ଦିଷ୍ଟ ଅବଧି ପାଇଁ ସ୍ବଚ୍ଛ ନିର୍ବାଚନ ମାଧ୍ୟମରେ ସଂଖ୍ୟାଭିତ୍ତିକ ଶାସକ ଦଳ ଓ ବିରୋଧୀ ଦଳକୁ ଶାସନ ପରିଚାଳନା ଓ ସମୀକ୍ଷାର ଉତ୍ତରଦାୟିତ୍ବ ଦେଇଥାଏ। ଏହା ସାଙ୍ଗକୁ ମୌଳିକ ଅଧିକାର ଓ ସମ୍ବିଧାନିକ ବ୍ୟବସ୍ଥାର ସୁରକ୍ଷା କବଚ ରୂପେ ଏକ ସ୍ବାଧୀନ ନ୍ୟାୟପାଳିକା ବ୍ୟବସ୍ଥିତ ହେବା ମଧ୍ୟ ଜରୁରୀ । ଆମେ ଏଭଳି ଏକ ଗଣତାନ୍ତ୍ରିକ ପରିବେଶ କାମନା କରିବା ଯେଉଁଠି ଶାସନ, ବିରୋଧୀ ମତକୁ ସମ୍ମାନ ଦେଉଥିବ, ନାଗରିକ ନିର୍ଭୟ ଥିବ ଓ କ୍ଷମତାର ଅପବ୍ୟବହାର ଜନିତ ଅଭିଯୋଗରେ, ରିଗାନ, ଟ୍ରମ୍ଫ, ବୋରିସ ଜନ୍ସନଙ୍କ ଭଳି ପୂର୍ବତନ ଶାସକମାନେ ଆଇନର ଜାଲରେ ସ୍ବତଃ ପ୍ରବୃତ୍ତ ଭାବେ ବାନ୍ଧିହୋଇ ଯାଉଥିବେ ।
୧୯୪୯ ନଭେମ୍ବର ୨୫ ତାରିଖ ଡକ୍ଟର ଆମ୍ବେଦକର ସଂବିଧାନ ସଭାରେ ସମାପନ ଉଦ୍ବୋଧନରେ, ନାୟକ ପୂଜା ଓ ଈର୍ଷା, ଦେଶର ଗଣତନ୍ତ୍ର ପାଇଁ ବିପଦ ବୋଲି ଦର୍ଶାଇଥିଲେ । ଗଣତନ୍ତ୍ର, ଭାଇଚାରା ଓ ନାଗରିକ ଅଧିକାର, ଗଣତନ୍ତ୍ରର ମୂଳ ଶକ୍ତି ବୋଲି ଅଭିହିତ କରି ଡକ୍ଟର ଆମ୍ବେଦକର ଗୋଟିକର ଅଭାବରେ ଅନ୍ୟଟି ଆପେ ଆପେ ମୂଲ୍ୟହୀନ ହୋଇପଡ଼ିବ ବୋଲି ସତର୍କ କରାଇଥିଲେ ଯାହା ନିଶ୍ଚିତରେ ଏକ ଚିରନ୍ତନ ମାର୍ଗଦର୍ଶନକାରୀ ।
Comments are closed.