ବିଡ଼ମ୍ବିତ ମାତୃତ୍ବ

ଶ୍ରୀ ଶଙ୍କରଙ୍କ ଅବତାର ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ମାତୃବନ୍ଦନାରେ କହିଲେ, ‘କୁପୁତ୍ରୋ ଜାୟତେ କ୍ବଚିଦପି କୁମାତା ନ ଭବତି।’ କୁପୁତ୍ର ଜନ୍ମ ହୋଇପାରେ, ମାତା କେମିତି କୁମାତା ହେବ? ଆଉ ବି କୁହାଯାଇଛି, ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ।’ ମାତ୍ର ନିଜର ଇଜତ, ମହତ ରକ୍ଷା ପାଇଁ ମା’ କୁନ୍ତୀ ସୂର୍ଯ୍ୟପୁତ୍ର ସଦ୍ୟଜାତ କର୍ଣ୍ଣଙ୍କୁ ପାଣିରେ ଭସାଇ ଦେବା କଥାରେ ମାତୃତ୍ବ ପ୍ରତି ଏକ ଆହ୍ବାନ ସେଦିନୁ ହୋଇଆସିଛି। ମାତୃତ୍ବ ପ୍ରତି ଶ୍ଳେଷ ପ୍ରକାଶ କରି କର୍ଣ୍ଣ ସେଦିନ ମା’ କୁନ୍ତୀଙ୍କ ଭିକ୍ଷାକୁ ପ୍ରତ୍ୟାଖ୍ୟାନ କରି କହିଥିଲେ, ‘ତମେ ପାଞ୍ଚପୁଅଙ୍କ ମା’ ହୋଇ ରହିବ ଏ ପ୍ରତିଶ୍ରୁତି ମୁଁ ଦେଉଛି, ଏ ଭିତରେ ଅର୍ଜୁନ କି କର୍ଣ୍ଣ ରହିବ ତା’ ଭବିତବ୍ୟ କହିବ, ଯାହା ହେଲେ ବି କର୍ଣ୍ଣ ମଲେ ପାଞ୍ଚ, ଅର୍ଜୁନ ମଲେ ପାଞ୍ଚ।’ ଏମିତି କେତେ ଉଦାହରଣ, ଆଖ୍ୟାୟିକାକୁ ଅନୁଧ୍ୟାନ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, ‘ମା’ ବା ‘ମାତୃତ୍ବ’ ଏକ ନିର୍ଦିଷ୍ଟ ବ୍ୟକ୍ତି ବା ବସ୍ତୁ ନୁହଁ। ଏହା ଏକ ମହାଭାବ ଓ ମହାଶକ୍ତି। ସବୁ ପରିଣତି ମଧ୍ୟରେ ଏ ଭାବ ବିଳପି ଉଠୁଥାଏ, ଅନିର୍ବାପିତ ଥାଏ। ନୋହିଲେ କି ଆଶାରେ, ଭାବରେ ସେଦିନ କୁନ୍ତୀ, ଜ୍ୟେଷ୍ଠପୁତ୍ର କର୍ଣ୍ଣଙ୍କ ପାଖୁ ଭାଇ ଅର୍ଜୁନର ଜୀବନ ଭିକ୍ଷା କରିବାକୁ ଯାଇଥାଆନ୍ତେ? ମାତୃତ୍ବ ଦାବି ସେ ପର୍ଯ୍ୟନ୍ତ ଜାହିର ରଖିପାରିଥିଲେ ବି ମହାଦାନୀ କର୍ଣ୍ଣ ତାଙ୍କ ଦାନଶୀଳତାକୁ କୋଉ ଅକ୍ଷତ, ଅନାହତ ରଖିପାରିଲେ? ତେଣୁ ମା’କୁ ବୁଝିବା, ଅନୁଭବିବା ଏକ ଭାବଗତ ବ୍ୟାପାର। ଦେଖୁନା ଗ୍ରୀକ୍‌ ବୀର ଆଲେକ୍‌ଜାଣ୍ଡାରଙ୍କୁ! ମାତୃକୃପା ଯେଉଁ କେତେଜଣଙ୍କୁ ବିଶ୍ବ ଇତିହାସରେ ଅମର ରଖିଥିଲା, ମା’ର ଭାବ ଯେଉଁମାନଙ୍କ ଶିରା ପ୍ରଶିରାରେ ଲହଡ଼ି ଭାଙ୍ଗୁଥିଲା, ସେମାନଙ୍କ ଭିତରେ ଗ୍ରୀକ୍‌ ବୀର ଆଲେକ୍‌ଜାଣ୍ଡାର ବି ଥିଲେ। ଶିବଙ୍କ ଅବତାର କୁହାଯାଉଥିବା ଗୋ-ବ୍ରାହ୍ମଣ ରକ୍ଷକ, ଭାରତରୁ ମୋଗଲ ସାମ୍ରାଜ୍ୟ ଧ୍ବଂସ କରିବାରେ ଇତିହାସ ରଚିଥିବା ଛତ୍ରପତି ଶିବାଜି ବି ଅନ୍ୟତମ।

ଆଲେକ୍‌ଜାଣ୍ଡାର ଜାଣିଥିଲେ, ତାଙ୍କ ମା’ ଦୁଷ୍ଟା। ସର୍ବଦା ପ୍ରଶାସନରେ ଅନ୍ୟାୟ ହସ୍ତକ୍ଷେପ କରୁଥିଲେ। ଆଲେକ୍‌ଜାଣ୍ଡାର ପ୍ରାଚ୍ୟ ଭୂଖଣ୍ଡ ବିଜୟ ଗସ୍ତରେ ଥାଆନ୍ତି। ଏହି ସମୟରେ ରାଜ୍ୟ ଶାସନ ସେ ତାଙ୍କର ଜଣେ ବିଶ୍ବସ୍ତ ପ୍ରତିନିଧିଙ୍କୁ ଦେଇଥା’ନ୍ତି। ମାତ୍ର ଏହି ସମୟ ମଧ୍ୟରେ ଆଲେକ୍‌ଜାଣ୍ଡାରଙ୍କ ମା’ ପ୍ରଶାସନରେ ବାରମ୍ବାର ଅନ୍ୟାୟ ହସ୍ତକ୍ଷେପ କରି ଅଚଳାବସ୍ଥା ସୃଷ୍ଟି କରୁଥା’ନ୍ତି ଓ ଏ ବିଷୟରେ ଆଲେକ୍‌ଜାଣ୍ଡାରଙ୍କ ପାଖୁ ଘନଘନ ପତ୍ର ଲେଖି ପ୍ରତିକାର ଲୋଡୁଥା’ନ୍ତି; ମାତ୍ର ଏପରି କୌଣସି ପତ୍ରର ଉତ୍ତର ସେ ପାଉନଥା’ନ୍ତି। ଆଉ ତାଙ୍କ ମା’ଙ୍କ ହସ୍ତକ୍ଷେପରେ ସେ ଶାସନ ଚଳାଇପାରିବେନି, ଇସ୍ତଫା ଦେଉଛନ୍ତି ବୋଲି ଏକ ପତ୍ରର ଉତ୍ତରରେ ଆଲେକ୍‌ଜାଣ୍ଡର ଯାହା ଲେଖିଲେ ତା’ ଐତିହାସିକ ହୋଇଗଲା।

ସେ ଢେର୍‌ ବିନମ୍ରତା ଓ ଆନ୍ତରିକତାର ସହ ଲେଖିଲେ, Dear governor, I have all confidence in you and in your ability. I believe in it all. But I am yet to understand that how you have failed to realise the simple truth that, after all she is my mother. Please bear with her. That’s your love for me.

ପ୍ରିୟ ଗଭର୍ଣ୍ଣର, ମୋର ତୁମ ଉପରେ ପୂର୍ଣ୍ଣ ଅାସ୍ଥା ଓ ତୁମ ଶକ୍ତି ଉପରେ ପୂର୍ଣ୍ଣ ଭରସା ରହିଛି। ଏ ସବୁ ଅଭିଯୋଗକୁ ମୁଁ ବି ବିଶ୍ବାସ କରୁନି, କିନ୍ତୁ ମୁଁ ଏ କଥା ବୁଝିପାରୁନାହିଁ ଯେ ଯାହାହେଲେ ବି ସେ ମୋ ମା’। ତୁମେ ତାଙ୍କୁ ସହିନେବାର ଉଦାରତା ପୋଷଣ କରିବାକୁ ଅନୁରୋଧ।’ ଆଃ, କି ମାତୃଭକ୍ତି! ‘ମୋ ୱାଇଫ୍‌/ମିସେସ୍‌ ପ୍ରତି ମା’ ଅସହିଷ୍ଣୁତା ହେତୁ ମୁଁ ତା’ଠୁ ଭିନ୍ନ ହେବାକୁ ବାଧ୍ୟ ହେଲି।’ ୟେ ହେଲା, ବୁଢ଼ୀ ବିଧବା ମା’କୁ ଅଲଗା ରୋଷେଇ କରି ଏ ବୟସରେ ଖାଇବା ଦୁର୍ଦଶା ଦେଇଥିବା ଭାର୍ଯ୍ୟାଭକ୍ତ ପୁତ୍ରର କୈଫିୟତ୍‌। ସେଇଥିପାଇଁ ତ ଆଜି ଅସରା ଲୁହକୁ ଧୋବ କାନିରେ ପୋଛୁଥିବା ମା’ ଗୁମୁରି ଗୁମୁରି ବାହୁନୁଛି। ‘ଥନ ଶୁଖିଲେ ମା’, ନା ନଈ ଶୁଖିଲେ ନାଆ।’ ‘ଯା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା, ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା…।’ ଭାବ, ଭାଷା ଆଜି ଅନୁଭବ୍ୟ, ଅବାସ୍ତବ। ସତରେ କାଇଁ ସେ ମା’! ମଧୁବାବୁ ଯେଉଁ ମା’କୁ ଆହ୍ବାନ କରି ବିକଳ ହୋଇ ଲେଖିଥିଲେ, ‘ମା’ ମା’ ବୋଲି କେତେ ମୁଁ ଡାକିଲି ନ ଦେଲେ ଉତ୍ତର କେହି, ଭାଇ ଭାଇ ବୋଲି କେତେ ମୁଁ ଖୋଜିଲି ଭାଇକୁ ପାଇଲି ନାହିଁ।’ ସତରେ ସେ ମା’ କି ଭାଇ ଆଜି କାଇଁ? ଭାଇ ବିଷୟରେ କଥା ପ୍ରଚଳିତ ଥିଲା, ‘ଦୁଧ ଖାଇବାକୁ ଯେବେ ଇଚ୍ଛାକର, ପାଖରେ ଥିବ ଗାଈ, ଯୁଦ୍ଧ କରିବାକୁ ଯେବେ ଇଚ୍ଛାକର ସାଙ୍ଗରେ ଥିବ ଭାଇ।’ ମାତ୍ର ଏବେ ତ, ‘ଯେତେ ଭାଇ ସେତେ ଘର’। ସବୁ ଭିନ୍ନ, ସବୁ ବଇରୀ। ଏବେ ଭାଇ ହେଉଛି, ‘ମା’ ପେଟ ବଇରୀ।’ ଛାଡ଼ନ୍ତୁ ସେ କଥା, ଲୋକେ ଏବେ ମହାମୋହରେ ଅନ୍ଧ। କବିବର ତ ଲେଖିଲେ, ‘ଲଭଇ ଲାଞ୍ଛନା ଆହା କେତେ ରୂପେ, ପଡ଼ି ଅହମିକା-ରୂପୀ ଅନ୍ଧକୂପେ।’ ନିଶାଗ୍ରସ୍ତ ଏ ଜନତା, ଯାହା କହିଲେ ବି ଏ ଉଗ୍ର ପଥଭ୍ରଷ୍ଟକୁ ବାଟକୁ ଆଣିବ କିଏ କେମିତି? ‘ଖିଲାଇଲେ ହେଲେ ନାନା ମସଲା, ତୁରଙ୍ଗ ହୁଏ କି ରାସଭ ପିଲା?’ ‘ଦୁଷ୍ଟେ ଶିଷ୍ଟାଚାର ଦୁଷ୍ଟପଣ ତା’ର ଅଧିକେ ଦିଏ ବଢ଼ାଇ, ଆଉଁଶିଲେ କେବେ ମତ୍ତମତଙ୍ଗଜ ବଣକୁ ଆସଇ ନାହିଁ।’ ଅନ୍ଧ ଓ ଦୁଷ୍ଟ ଜନତାର ସୀତାଙ୍କ ବାରମ୍ବାର ସତୀ ପରୀକ୍ଷା ଦାବିରେ ସୀତା ଭାଙ୍ଗିପଡ଼ି ସେଦିନ ପାତାଳଗାମୀ ହୋଇଗଲେ। ଧାଇଁଗଲେ ଶୋକାକୁଳ ରାମ ତାଙ୍କୁ ଧରି ରଖିବାକୁ। ମାତ୍ର ସେତେବେଳକୁ ସୀତା ପାତାଳଗାମୀ ହୋଇସାରିଥିଲେ ଓ ପଣତକାନିଟା ଯାହା ଉପରକୁ ଦିଶୁଥିଲା। ବିକଳରେ ଶ୍ରୀରାମ ତାକୁ ବି ଜାବୁଡ଼ି ଧରିଲେ। ପାତାଳରୁ କ୍ଷୀଣ ଆବେଦନ ସୀତାଙ୍କର ଶୁଭୁଥିଲା, ‘ଅଞ୍ଚଳ ଛାଡ଼ ମହାବାହୁ, ଏ ଜନ୍ମେ ଭେଟ ନାହିଁ ଆଉ।’ ଇଏ ହେଲା ଏକ ମୂଲ୍ୟବୋଧ, ରୁଚିବୋଧ, ସଭ୍ୟତା ଓ ସଂସ୍କୃତିର ବିଦାୟ, ତ୍ରେତୟାର ବାହୁଡ଼ା।

ଏଠି ଏବେ ରକ୍ତ ମାଂସ ମେଦ ଓ ପୁଯମୟ ସୌନ୍ଦର୍ଯ୍ୟାଧୀଶା କ୍ଲିଓପାଟ୍ରା ଜଣେ ମହାବିକ୍ରମଶାଳୀ ଜୁଲିଅସ୍‌ ସିଜରଙ୍କୁ ପଦାବନତ କରି ଇତିହାସର ମୋଡ଼ ବଦଳାଇ ଦେଇପାରେ। ଗାନ୍ଧୀ ପୁସ୍ତକରେ ଲୁଇ ଫିସର୍‌ ଲେଖିଛନ୍ତି, ‘As Cleopatra’s nose a factor in a history, perhaps one should add the pride of Jinha.’ ଛାଡ଼ନ୍ତୁ ସବୁକାଳେ ସୌନ୍ଦର୍ଯ୍ୟର ମୋହ ଏ ସୃ​ଷ୍ଟିକୁ ଏ ଜନତାଙ୍କୁ ବଣା ଓ କଣା କରିଦେଇ ଆସିଛି। କବି ବି ଲେଖିଥିଲେ, ‘ରୂପ-ଆକର୍ଷଣ ପ୍ରବଳ ନରେ କିବା ଅମରେ, ଭୈମୀ ସ୍ବଲମ୍ବରେ ପ୍ରମାଣ ହୋଇଅଛି ସତ୍ୟରେ।’ ‘ଯେ ଯେଡ଼େ ଦାମ୍ଭିକ ତା’ ଦମ୍ଭ ମୋତେ ଅଛଇ ଜଣା, ଫୁଲଶର ଆଗେ ପଡ଼ିଲେ ବୁଦ୍ଧି ହୁଅଇ ବଣା’ ଇତ୍ୟାଦି। ମା’କୁ ନେଇ ଏତେ କଥା, ଏତେ ବୟାନ। ‘ଶତ ପୁତ୍ରର ଜନନୀ ମୁହିଁ ମା’ ଶ୍ରେଷ୍ଠ ଏ ଧରା ତଳେ, ତୋ ଆଦେ​‌େ​‌ଶ ମାତ ଏ ତିନି ଭୁବନ ବାନ୍ଧିପାରିବୁ ବଳେ।’ ସେ ଦିନର ସେ ମା’ କାହିଁ, ଅନ୍ତର୍ହିତା, ଏବେ ଅବାଞ୍ଛିତା। ଜନସଂଖ୍ୟା ବିସ୍ଫୋରଣ ହେତୁ ଏବେ ‘ଏକ ପୁତ୍ରଃ’ ଶ୍ରେୟ। ନୈଷଧରେ ମହାକବି ଲେଖିଲେ, ‘ମଦେକ ପୁତ୍ରଃ ଜନନୀ ଜରାତୁରା…’ ସେମିତି ଗୋଟିଏ ଏକପୁତ୍ରା ମା’- ପୁଅ କଥା ମନକୁ ଆସେ। ଏକମାତ୍ର ପୁଅ, ବିଧବା ମାଆର ଅନ୍ଧସ୍ନେହରେ, ଆକଟବିହୀନ ପ୍ରତିପାଳିତ ହୋଇ ଏକ ହୁଣ୍ଡା, ଗୁଣ୍ଡା ବନିଗଲା। କୁଟା ଖଣ୍ଡକ ତ ଦି’ ଖଣ୍ଡ କରେ ନାହିଁ। ଦୁନିଆ ଯାକର ଝାମେଲା ଆଣି ଘରେ ଗଦା କରେ। ମା’ ସବୁବେଳେ ଗାଳି ଦିଏ। ମା’ ଗାଳିକୁ ଦାଣ୍ଡଧୂଳି ଭଳି ପୁଅ ବି ଖାତିର କରେନି। ତା’ ମା’ କଥା ସିନା ତା’ ଏ କାନରେ ପଶି ସେ କାନରେ ବାହାରିଯାଏ, ସେ କିନ୍ତୁ ମା’କୁ ଢେର୍‌ ଭଲପାଏ। ଦିନେ ଗାଁବାଲା ସମୂହ ହୋଇ ବିଧବା ବୁଢ଼ୀକୁ ଧିକ୍‌କାରିଲେ ତା’ ପୁଅ ଦୁଷ୍ଟାମି ପାଇଁ। ସେ ଦିନ ବୁଢ଼ୀ ସତରେ ଥକିଗଲା ତା’ ପୁଅ ଦୁଷ୍ଟାମିରେ। ରାତିରେ ଶୋଇଲାବେଳେ କହୁଥାଏ, ‘ପ୍ରଭୁ, ଏ ପୁଅ ପାଇଁ ମୁଁ ମରି ଯାଆନ୍ତି କି ହେଲେ’। ଏ କଥା ଶେଯରେ ଶୋଇ ପୁଅ କାନରେ ପଡ଼ିଲା। ସେ ଦିନ କାହିଁକି କେଜାଣି, ମା’ର ସବୁ ଗାଳିଠୁ ଏ କଥା ପଦକ ତାକୁ ଢେର୍‌ ବାଧିଲା। ଭାବିଲା, ‘ମୋ ପାଇଁ ମୋ ମା’ ମରିଯିବାକୁ କହୁଛି, ମୋର ଆଉ ବଞ୍ଚିବା କି ଲାଭ! ମୋ ମା’ ପାଇଁ ସିନା ମୁଁ ବଞ୍ଚିଛି।’ ଫର୍ଚ୍ଚା ନ ହେଉଣୁ ଘର ଛାଡ଼ି ବାହାରିଗଲା। ଅଭ୍ୟାସତଃ ଡେରିରେ ଉଠୁଥିବା ପୁଅକୁ ସେଦିନ ନ ଦେଖି ମା’ ତା’ର ଚମକି ପଡ଼ିଲା। କାଲି ତ ତା’ ସହିତ ସେ ରାତିରେ ରାଗରେ କଥା ହୋଇନଥିଲା। ଦାଣ୍ଡରେ ଖୋଜିଲା, ଲୋକେ କହିଲେ, ‘‘ହଁ ଭୋରୁ ଭୋରୁ ତ ସେ ଏଆଡ଼େ ଧାଉଁଥିଲା।’’ ମା’ ବି ଧାଇଁଲା। ଲୋକଙ୍କୁ ପଚାରିପଚାରି ଧାଉଁଥାଏ। ଏକମାତ୍ର ପୁଅ ଜୀବନ ଶଙ୍ଖାଳି। ଦିନ ଦି’ପହର ହେଲାଣି, ରାସ୍ତାପାଖ ଏକ ବରଗଛ ମୂଳେ ପ୍ରାୟ ପାଞ୍ଚ କୋଶ ଦୂରରେ ସେ ଶୋଇପଡ଼ିଛି, ଅଖିଆ ଅପିଆ। ମା’ ଛାତି ଫାଟିଗଲା, ପୁଅକୁ କୁଣ୍ଢେଇ କାନ୍ଦିଲାବେଳେ କହୁଥିଲା, ‘ହଇରେ ଧନ ତୁ ରାଗରେ ଅଇଲୁ ଭେରି ମତେ ଟିକିଏ କହିଲୁ ନାହିଁ।’’ କାନ୍ଦ ସହ ଚିର ଅପରିଚିତ ଏ ହୁଣ୍ଡାଗୁଣ୍ଡା ପୁଅର ଛାତି ବି ଫାଟିଗଲା, ‘କହିଲା ମା’ ତୁ ମତେ ଏତେ ଭଲ ପାଉଛୁ, କାଇଁ ଦିନେ ବି ତ କହିଲୁ ନାହିଁ।’ କୁଣ୍ଢାକୁଣ୍ଢି ହୋଇ ଏ ଗଛ ମୂଳେ କାନ୍ଦୁଥିବା ଦୁଇ ଅଲର ଅସଜଡ଼ା ମା’ପୁଅଙ୍କୁ ଜମା ହୋଇ ଦେଖୁଥିବା ଜନତା କହୁଥିଲା, ‘ଦି’ଟା ଯାକ ବି ବାୟା!’ ନା, ଆମେ ସବୁ ବାୟା, ସେମାନେ ଅବିକଳ ମା’ ଓ ପୁଅ। ଆମେ ଆଫିଡେଭିଡ୍‌ ମା’ ଓ ପୁଅ।

ଗୋଟେ ଅବ୍ୟବହୃତ ମେଲା ପାଣିପାଇପ୍‌ ଭିତରେ ଦିନକର ଶିଶୁଟିକୁ କୋଉ ମା’ ଫିଙ୍ଗି ଦେଇଥିବା ଘଟଣା ପ୍ରଚାର ପରେ ପ୍ରଶାସନର ଯୁଦ୍ଧକାଳୀନ ଢଙ୍ଗରେ ଉଦ୍ଧାର କାର୍ଯ୍ୟ ଚାଲିଲା। ଆଠଘଣ୍ଟାର ପରିଶ୍ରମ ପରେ ଦିନକର ଏ ଶିଶୁ ଜୀବନ୍ତ ଥିବାର ବିସ୍ମୟକର ଘଟଣା ଜଣାପଡ଼ିଲା। ସତରେ, ଯଦି ଈଶ୍ବର ବୋଲି କେହି ନଥାନ୍ତେ, ଏ କଥା କ’ଣ ସମ୍ଭବ ହୋଇଥାନ୍ତା। ଏଥିରୁ ‘ଈଶ୍ବର ବିଶ୍ବାସ’ ଦୃଢ଼ ହେବା ବ୍ୟତୀତ ଆଉ କି ଅଧିକ ଫଳ ମିଳିବ? ଏବେ ଏଥିରୁ ମାନବାଧିକାରବାଦୀମାନେ ନାନା ହୋହଲ୍ଲା ଆରମ୍ଭ କଲେଣି। ନାରୀ ବା ପୁରୁଷର ନିର୍ମମତା, ନିଷ୍ଠୁରତା ଫେଣା ଚାଲି ତାଙ୍କୁ ଫାଶୀଦଣ୍ଡ ଦାବି ଜୋର୍‌ ଧରିଲାଣି। ମାତ୍ର ସେ ମା’ କାହିଁ? ଯଦି ବି ପଙ୍କ, ହେମୀ, ବିନି, ଟୁନି କି ନିନି ନାଁରେ କେହି ମହିଳା, ପୁରୁଷ ଧରାପଡ଼ନ୍ତି ସେମାନେ କି ମା’, ନା ବାପ? ମୁନି କହିଲେ, ‘ନିରେଖିବା ଆଗରୁ ତନୟ ମୁଖ ଲଭିବୁ ତନୟର ପାଳନ ସୁଖ।’ ମାତ୍ର ଏବେ ତ ‘ନିରେଖିବା ଆଗରୁ ତନୟ ମୁଖ, ଲଭିବୁ ତନୟର ମାରଣ ସୁଖ’। ଏଠି ଏବେ ଅନ୍ଧ ଦେଶରେ ଦର୍ପଣ ବିକା ଚାଲିଛି। ମା’ତ୍ବ ବା ମାତୃତ୍ବ କି ମା’ପଣିଆ ତ ଭାବଗତ। ବନ୍ଧ୍ୟା ବି ମା’, ଏଥିରେ ଶହେପୁତ୍ର ବା ଏକପୁତ୍ର ଅନାବଶ୍ୟକ। ମାତ୍ର ଏ ସଂସାର ଏ ସଂସ୍କୃତିରେ ଏବେ ସେ ଭାବ କାଇଁ! ସେ ଭାବକୁ ଆମେ କୁସଂସ୍କାର, ସ୍ବାର୍ଥ ଦେହଗତ ବିକାରର ନଈରେ ହଜାଇ ଦେଇ ଗାଁ ପୋଖରୀରେ ଖୋଜୁଛେ। ମା’ ସେଠୁ କୋଉ ମିଳିବ?

Comments are closed.