ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର, ହେପାଟୋଲୋଜି ବିଭାଗ, ଏସ୍‌ସିବି ମେଡିକାଲ କଲେଜ, କଟକ

ଏକ ନୀରୋଗ ଶରୀର ମାଧ୍ୟମରେ ସୁଖଶାନ୍ତିଭରା ଜୀବନଯାପନ କରିବା ପାଇଁ ଖାଦ୍ୟର ଉପାଦେୟତା ରହିଛି। ମାନବ ଶରୀର ସହଜରେ ନାନା ପ୍ରକାର ରୋଗବ୍ୟାଧି ଆକ୍ରାନ୍ତ ହୋଇ ଦୁର୍ବଳ ଓ ଅକର୍ମଣ୍ୟ ହୋଇ ନିଜ ପାଇଁ ଓ ଅନ୍ୟମାନଙ୍କ ପାଇଁ ବୋଝ ହୋଇଥାଏ। ଗୋଟିଏ ସୁସ୍ଥ ଶରୀର ଅନ୍ୟମାନଙ୍କ ପାଇଁ ବୋଝ ନ ହୋଇ ଉତ୍ତମ ସ୍ୱାସ୍ଥ୍ୟକୁ ସର୍ବଶ୍ରେଷ୍ଠ ସମ୍ପଦ ବୋଲି ଅଭିହିତ କରାଯାଇଛି। ସରଳ ଜୀବନ ଯାତ୍ରାର ପ୍ରଣାଳୀ ଅବଲମ୍ବନ ସହଜ ସାବଲୀଳ ଶାରୀରିକ ବ୍ୟାୟାମ ଓ ଖାଦ୍ୟ ଉପରେ ନିଜର ନିୟନ୍ତ୍ରଣ ରଖିପାରିଲେ ଶରୀର ସୁସ୍ଥ ରହେ। ଖାଦ୍ୟପଦାର୍ଥର ସ୍ୱାଦୁ ଜାଣିବା ପାଇଁ ଜିହ୍ୱା ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ ସୁସ୍ୱାଦୁ ଖାଦ୍ୟ ଗ୍ରହଣ କରିବା ପାଇଁ ଜିହ୍ୱା ମନକୁ ପ୍ରଭାବିତ କରିଥାଏ। ଫଳରେ ଅନିୟନ୍ତ୍ରିତ ମନର ପ୍ରଭାବରେ ଅଧିକ ପରିମାଣରେ ସୁସ୍ୱାଦୁ ଖାଦ୍ୟ ଗ୍ରହଣ କରିବା ଯୋଗୁ ଶରୀର ରୋଗାକ୍ରାନ୍ତ ହୋଇଥାଏ। ଅଧିକ ଚର୍ବି ଜାତୀୟ ଖାଦ୍ୟ, ଆମିଷ, ତେଲ, ଘିଅ, ଶ୍ୱେତସାର ଓ ମାଦକ ଦ୍ରବ୍ୟ ଖାଇବା ଦ୍ୱାରା ଶରୀରର ସ୍ଥୁଳତା ବୃଦ୍ଧି ପାଏ। ଅଧିକ ମସଲା, ରାଗ, ଚା, କଫି ଓ ମଦ୍ୟପାନ ପାକସ୍ଥଳୀ ଓ ଅନ୍ତଃନଳୀରେ ପ୍ରଦାହ ସୃଷ୍ଟି କରେ। ନିୟମିତ ଭାବେ ଖାଦ୍ୟ ଗ୍ରହଣର ବ୍ୟବଧାନ ଉପରେ ଦୃଷ୍ଟିରଖି ଖାଦ୍ୟ ଗ୍ରହଣ କଲେ ପାଚନ କ୍ରିୟା ସ୍ୱାଭାବିକ ହେବା ସହ ଶରୀର କାର୍ଯ୍ୟକ୍ଷମ ରହେ।

ଯେପରି ଖାଦ୍ୟ ସେପରି ମନ। ଯେପରି ମନ ସେପରି ଚିନ୍ତା, ସେପରି ବ୍ୟବହାର ଓ କାର୍ଯ୍ୟ ଏବଂ ଯେପରି କାର୍ଯ୍ୟ ସେପରି ସ୍ୱାସ୍ଥ୍ୟ, ଖାଦ୍ୟ ମନୁଷ୍ୟକୁ ଚଳଚଞ୍ଚଳ କାର୍ଯ୍ୟକ୍ଷମ, ମାନ୍ଦା, ଚିନ୍ତାଗ୍ରସ୍ତ, ବିଷାଦଚିତ୍ତ ବା ପ୍ରଫୁଲ୍ଲ ରଖେ। ଖାଦ୍ୟର ପ୍ରକାରଭେଦ ଏକାଗ୍ରତାକୁ ନିୟନ୍ତ୍ରିତ କରେ। ଖାଦ୍ୟ ପରିମାଣ ଓ ଗୁଣାତ୍ମକମାନ ଆତ୍ମସଂଯଜମର ହ୍ରାସ ବୃଦ୍ଧିକୁ ମଧ୍ୟ ନିୟନ୍ତ୍ରିତ କରେ। ଜଣେ ମନିଷୀ ଖାଦ୍ୟ ଗ୍ରହଣକୁ ପଶୁପକ୍ଷୀମାନଙ୍କ ଖାଦ୍ୟ ଗ୍ରହଣ ସହିତ ତୁଳନା କରି କହିଛନ୍ତି ଜ୍ୱରରେ ଆକ୍ରାନ୍ତ କୁକୁର ଖାଦ୍ୟ ଖାଏ ନାହିଁ। ମାଲିକ ତା ପାଖରେ ଯେତେ ଚକ୍ଷୁ ରୋଚକ ସୁସ୍ୱାଦୁ ଖାଦ୍ୟ ରଖିଲେ ମଧ୍ୟ ସେ ଖାଦ୍ୟ ନଖାଇ ଶୋଇ ରହେ। ମନୁଷ୍ୟ ଜ୍ୱରରେ ଆକ୍ରାନ୍ତ ହେଲେ ଔଷଧ ବ୍ୟବହାର କରି ସାମୟିକ ଭାବେ ସୁସ୍ଥ ହୋଇ ମନଇଛା ଖାଦ୍ୟ ଗ୍ରହଣ ଦ୍ୱାରା ଅଧିକ ଅସୁସ୍ଥ ହୋଇଯାଏ। ପକ୍ଷୀମାନେ ମଧ୍ୟ ରୋଗଗ୍ରସ୍ତ ହେଲେ ଖାଦ୍ୟ ବର୍ଜନ କରନ୍ତି। ହିନ୍ଦୁ ଶାସ୍ତ୍ରରେ ଖାଦ୍ୟକୁ ସାତ୍ତ୍ୱିକ, ରାଜସିକ ଓ ତାମସିକ ଏହି ତିନିଭାଗରେ ବିଭକ୍ତ କରାଯାଇଛି। ବିଭିନ୍ନ ଖାଦ୍ୟ ମନୁଷ୍ୟର ଦେହ ଓ ମନରେ ଭିନ୍ନ ଭିନ୍ନ ଅବସ୍ଥା ସୃଷ୍ଟି କରିଥାଏ।

ଖାଦ୍ୟର ମନ ଉପରେ ପ୍ରଭାବ ବିଷୟରେ ମହାଭାରତରେ ଥିବା ଭୀଷ୍ମଙ୍କ ଉଦାହରଣ ରହିଛି। ଭୀଷ୍ମ ଶରଶଯ୍ୟାରେ ଥିବାବେଳେ ପାଣ୍ଡବମାନେ ସପରିବାର ତାଙ୍କୁ ଦର୍ଶନ କରିବା ପାଇଁ ଗଲେ। ଶରଶଯ୍ୟାରେ ଥାଇ ଭୀଷ୍ମ ପାଣ୍ଡବମାନଙ୍କୁ ସଦାଚାର ବିଷୟରେ କିଛି ଉପଦେଶ ଦେଲେ। ତାହାଶୁଣି ଦ୍ରୌପଦୀ ତାତ୍ସଲ୍ୟକରି ହସିବାକୁ ଲାଗିଲେ। କାଳେ ପିତାମହ ଖରାପ ଭାବିବେ ସେଥିପାଇଁ ପାଣ୍ଡବମାନେ ଦ୍ରୌପଦୀଙ୍କୁ ବାରଣ କଲେ। ଭୀଷ୍ମ ହସିବାର କାରଣ ବିଷୟ ପଚାରିବାରୁ ଦ୍ରୌପଦୀ କହିଲେ, ‘ଆପଣ ଏତେଦିନ ଧରି କୌରବର ଉପଦେଷ୍ଟା ହୋଇ ରହି ତାଙ୍କୁ ଯଦି ଏ ବିଷୟରେ ଶିକ୍ଷା ଦେଇଥାଆନ୍ତେ ଓ ନିଜେ ଯୁଦ୍ଧ କରିବାରୁ ନିବୃତ୍ତ ରହିଥାଆନ୍ତେ ତା’ହେଲେ ଆଜି ଏପରି ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା। ଏହି ଧାରଣା ମୋ ମନରେ ଆସିବାରୁ ଆପଣଙ୍କ କଥା ଶୁଣି ମୋତେ ହସ ଲାଗିଲା।’ ଭୀଷ୍ମ ଉତ୍ତର ଦେଲେ କୌରବମାନଙ୍କ ଅନ୍ନରେ ମୋର ଏ ଶରୀର ପ୍ରତିପାଳିତ ହୋଇ ଆସୁଥିବାରୁ ମୋ’ ଶରୀରର ରକ୍ତ ସେମାନଙ୍କ ଖାଦ୍ୟ ଦ୍ୱାରା ଗଠିତ ହୋଇଥିଲା। ତେଣୁ ସେମାନେ ମୋତେ ଯାହା ଚାହୁଁଥିଲେ ମୋ’ମନ ତାହା କରିବାକୁ ନିର୍ଦ୍ଦେଶ ଦେଉଥିଲା ଓ ମୁଁ ତାହା କରୁଥିଲି। ଶରଶଯ୍ୟାରେ ରହିବା ଫଳରେ ମୋ’ଦେହରୁ ସେ ଦୂଷିତ ରକ୍ତ ବାହାରିଯାଇ ମୋ’ମନକୁ ପବିତ୍ର କରି ଦେଇଛି। ତେଣୁ ମୁଁ ଆଜି ଏ ଉପଦେଶ ଦେବାକୁ ସମର୍ଥ ହୋଇଛି। ଖାଦ୍ୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇ ଚିନ୍ତାଧାରାକୁ ମଧ୍ୟ ନିୟନ୍ତ୍ରିତ କରେ। ସୀମିତ ପରିମାଣର ଶ୍ୱେତସାର, ପୁଷ୍ଟିସାର ଓ ଅଳ୍ପ ସ୍ନେହସାର ଖାଦ୍ୟ ଖାଇବା ଉଚିତ। ସେଥିପାଇଁ ନିୟମିତ ବ୍ୟବଧାନରେ ଆବଶ୍ୟକତା ଅନୁଯାୟୀ ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରିବା ଉଚିତ। ଗୋଟିଏ ଉପାଦେୟ ଲୋକକଥା ପ୍ରଚଳିତ ଅଛି। ତାହାହେଲା ଦିନରେ ଥରେ ଆହାର ଗ୍ରହଣ କରନ୍ତି ଯୋଗୀ, ଦୁଇଥର ଆହାର ଗ୍ରହଣ କରନ୍ତି ଭୋଗୀ ଓ ତିନିଥର ଆହାର ଗ୍ରହଣ କରନ୍ତି ରୋଗୀ। ଆବଶ୍ୟକତା ଅନୁଯାୟୀ ସୀମିତ ଆହାର ଗ୍ରହଣ କରି ଯୋଗୀମାନେ ଦୀର୍ଘଜୀବୀ ହେଉଥିଲେ।

Comments are closed.