କଟକ: ରାଜ୍ୟରେ ପ୍ରଥମ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ୨୦୨୩ ମାର୍ଚ୍ଚ ୫ତାରିଖରୁ କାର୍ଯ୍ୟକ୍ଷମ ହୋଇଛି। ଏହାର କୁଳପତି ଭାବେ ବିଶିଷ୍ଟ ମୂତ୍ରଶଲ୍ୟ ବିଶେଷଜ୍ଞ ପ୍ରଫେସର ଡା. ଦତ୍ତେଶ୍ୱର ହୋତାଙ୍କୁ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି। ନିକଟରେ ସେ ବିଶ୍ୱବିଦ୍ୟାଳୟ କୁଳପତିଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଥମ କୁଳପତିଭାବେ କାର୍ଯ୍ୟଭାର ଗ୍ରହଣ କରିବା ଅବସରରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ, ଦନ୍ତ, ହୋମିଓପାଥି, ଆୟୁର୍ବେଦ ଓ ପାରାମେଡିକାଲ ଶିକ୍ଷାଦାନ, ଗବେଷଣା ଓ ତାଲିମ ପାଇଁ ସେ ରଖିଥିବା ଲକ୍ଷ୍ୟ ସମ୍ପର୍କରେ କହନ୍ତି, ସରକାର ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସକାଶେ ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି। ଏହି ସଂଖ୍ୟା ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି। ମେଡିକାଲ କଲେଜ ସହିତ ଦନ୍ତ , ଫାର୍ମାସୀ, ହୋମିଓପାଥି, ଆୟୁେର୍ବଦ ମହାବିଦ୍ୟାଳୟ ଓ ପାରାମେଡିକାଲ କଲେଜ ମଧ୍ୟ ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛନ୍ତି। ସ୍ୱାସ୍ଥ୍ୟସେବା ସମ୍ପର୍କିତ ସମସ୍ତ ଶିକ୍ଷାନୁଷ୍ଠାନ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମ ଅଧିନରେ ରହିେବ। ସବୁ ଶିକ୍ଷାନୁଷ୍ଠାନ ପାଇଁ ପାଠ୍ୟଖସଡା ପ୍ରସ୍ତୁତ, ଉନ୍ନତ ଶିକ୍ଷାଦାନ ସହିତ ଗବେଷଣାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରାଥମିକତା ପ୍ରଦାନ କରାଯିବ। ପୂର୍ବରୁ ମେଡିକାଲ କଲେଜ ସହିତ ପାରାମେଡିକାଲ ପାଠ୍ୟକ୍ରମରେ ୬ଟି ବିଶ୍ବବିଦ୍ୟାଳୟ ଅଧିନରେ ରହିଥିଲା। ଏହାଦ୍ବାରା ସବୁ ମେଡିକାଲ କଲେଜ କି ପାରାମେଡିକାଲ ପାଠ୍ୟକ୍ରମ, ପରୀକ୍ଷା ପରିଚାଳନାରେ ଶୃଙ୍ଖଳିତଭାବେ ହେବାରେ ଅନେକ ସମସ୍ୟା ସୃଷ୍ଟି ହୋଇଥିଲା। ଏକକ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ସ୍ଥାପନ ପରେ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ସମସ୍ତ ଶିକ୍ଷାନୁଷ୍ଠାନ ଏହି ଏକକ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ଅଧିନରେ ରହିବେ। ଏହାଦ୍ବାରା ସ୍ବାସ୍ଥ୍ୟଶିକ୍ଷା ସହିତ ସ୍ବାସ୍ଥ୍ୟସେବାରେ ମଧ୍ୟ ବ୍ୟାପକ ସୁଧାର ଆସିପାରିବ।
ରାଜ୍ୟର ସମସ୍ତ ମେଡିକାଲ କଲେଜଳ ଦନ୍ତ, ଫାର୍ମାସୀ, ଆୟୁର୍ବେଦ ସମେତ ପାରାମେଡିକାଲ ପାଇଁ ପାଠ୍ୟଖସଡା, ପରୀକ୍ଷା ପରିଚାଳନା,ଗବେଷଣା ଓ ଗୁଣାତ୍ମକ ଶିକ୍ଷାଦାନ ପ୍ରଦାନ ବିଶ୍ବବିଦ୍ୟାଳୟ ସକାଶେ ଏକ ଆହ୍ୱାନ ହୋଇଛି। ସମସ୍ତ ମେଡିକାଲ କଲେଜ ପାଇଁ ଗୋଟିଏ ଶିକ୍ଷାବର୍ଷ କ୍ୟାଲେଣ୍ଡର ପ୍ରଣୟନ କରିବା ବିଶ୍ୱବବିଦ୍ୟାଳୟର ପ୍ରାଥମିକତା ହେବ ବୋଲି ସେ କହିଛନ୍ତି। ଏଥିସହିତ ମେଡିକାଲ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷାଦାନ, ତାଲିମ ସହିତ ଗବେଷଣାପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ। ଭବିଷ୍ୟତରେ ସବୁ ମେଡିକାଲ କଲେଜରେ ଗବେଷଣାକୁ ଗୁରୁତ୍ୱ ଦିଆଯିବା ସହିତ ଡିଜିଟାଲାଇଜେସନ ଏବଂ ଅଟୋମେସନ ପଦ୍ଧତିରେ ଶିକ୍ଷାଦାନ ଯୋଜନା ରହିଛି। ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ଗବେଷଣା ହବ କରାଯିବାକୁ ଲକ୍ଷ୍ୟ ରହିଥିବା ଡା. ହୋତା କହିଛନ୍ତି। ମେଡିକାଲ କଲେଜର ଶିକ୍ଷକଙ୍କୁ ବିଶ୍ୱବିଦ୍ୟାଳୟ ଅଧିନରେ ନାମ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି। ଏହାଦ୍ବାରା ଶିକ୍ଷକମାନେ ଏକକ ବିଶ୍ବବିଦ୍ୟାଳୟର ଶିକ୍ଷକଭାବେ ପରିଚୟ ପାଇପାରିବେ। ଉନ୍ନତମାନର ସ୍ୱାସ୍ଥ୍ୟ ଶିକ୍ଷା ସହିତ କମ୍ୟୁନିଟି ଓରିଏଣ୍ଟେସନ (ଗୋଷ୍ଠୀଗତ କର୍ମଶାଳା) ଉପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁରୁତ୍ୱ ଦିଆଯିବ। ଗବେଷଣା ବିନା ଡାକ୍ତରୀ ଶିକ୍ଷା ଓ ଚିକିତ୍ସା ଉନ୍ନତମାନର ହୋଇପାରିବନାହିଁ। ଜିଜ୍ଞାସୁ ମେଡିକାଲ ଛାତ୍ରଛାତ୍ରୀଙ୍କୁ ଗବେଷଣା ଦିଗରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଏଥିପାଇଁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଏଜେନ୍ସି ସହିତ ନିୟମିତ ଯୋଗାଯୋଗ କରାଯାଇ ବିଭିନ୍ନ ପ୍ରକାର ସହାୟତା ନିମନ୍ତେ ପ୍ରୟାସ କରାଯିବ ବୋଲି ସେ କହିଥିଲେ।



