ବୈଜ୍ଞାନିକ ମନୋବୃତ୍ତିର ଆବଶ୍ୟକତା

ମହେନ୍ଦ୍ର ସାହୁ

ଆଧୁନିକ ଯୁଗର ଅଧିବାସୀ ଭାବରେ ଆମ ଭିତରେ ଯେଉଁ କେତେକ ପ୍ରବୃତ୍ତିର ବିକାଶ ଘଟିବା ଆଶା କରାଯାଏ ତନ୍ମଧ୍ୟରୁ ‘ବୈଜ୍ଞାନିକ ମନୋବୃତ୍ତି’ ଅନ୍ୟତମ। ଆମ ସମ୍ବିଧାନର ଧାରା ୫୧ (କ) ରେ ମଧ୍ୟ ଏହାର ଉଲ୍ଲେଖ ରହିଛି। ଉକ୍ତ ଧାରା ଅନୁଯାୟୀ ନିଜକୁ ବୈଜ୍ଞାନିକ ମନୋବୃତ୍ତି ସମ୍ପନ୍ନ କରିବା ପ୍ରତ୍ୟେକ ନାଗରିକର ମୌଳିକ କର୍ତ୍ତବ୍ୟ।
ହେଲେ ଏଥିରେ ଥିବା ‘ବୈଜ୍ଞାନିକ’ ଶବ୍ଦଟି ଯୋଗଁୁ ଆମେ ଟିକିଏ ଶଙ୍କିଯାଉ। ଆମକୁ ଲାଗେ ଏହା ସହଜ କଥାଟିଏ ହୋଇ ନଥିବ। ଏଥିପାଇଁ ବୈଜ୍ଞାନିକମାନଙ୍କ ପରି ଅସାଧାରଣ ପ୍ରତିଭା ଏବଂ ବିଜ୍ଞାନ ପାଠର ଅଧ୍ୟୟନ ଆଦି ଆବଶ୍ୟକ ହେଉଥିବ। ତା’ ସହିତ ଆମ ମନରେ ‘ନ ହେଲେ କ’ଣ ହେବ’ ଏବଂ ‘ହେଲେ କ’ଣ ହେବ’ ପରି ପ୍ରଶ୍ନ କେଇଟା ବି ଉଙ୍କି ମାରି ପାରନ୍ତି। ତେଣୁ ଏ ବୈଜ୍ଞାନିକ ମନୋବୃତ୍ତି କ’ଣ ଏବଂ କାହିଁକି ତାହା ଆମେ ଜାଣିବା ଆବଶ୍ୟକ।

ଏଥିପାଇଁ ଆମକୁ ବେଶୀଦୂର ଯିବାକୁ ପଡ଼ିବ ନାହିଁ। ଏ ପ୍ରଶ୍ନର ଉତ୍ତର ଆମ ଇତିହାସ ପୃଷ୍ଠାରେ ହିଁ ଲିପିବଦ୍ଧ ହୋଇରହିଛି। ଇତିହାସ କହେ ଏହି ବୈଜ୍ଞାନିକ ମନୋବୃତ୍ତି ଯୋଗୁଁ ଇଉରୋପୀୟମାନେ ପ୍ରଥମେ ମଧ୍ୟଯୁଗରୁ ବାହାରି ଆଧୁନିକ ଯୁଗରେ ପ୍ରବେଶ କରିଥିଲେ। ତେଣୁ ଆମେ ବି ପ୍ରଥମେ ଦେଖିବା ସେମାନେ ମଧ୍ୟଯୁଗରେ କିପରି ଥିଲେ। ମଧ୍ୟଯୁଗରେ ସେମାନଙ୍କର ମନୋବୃତ୍ତି ଏପରି ଥିଲା ଯେ ସେମାନେ ନିଜ ପାଇଁ ନିଜେ ମୁଣ୍ଡ ଖେଳାଇ ଚିନ୍ତା କରିବା ପରିବର୍ତ୍ତେ ଅନ୍ୟମାନଙ୍କ କଥାକୁ ଆଖିବୁଜି ଗ୍ରହଣ କରି ନେଉଥିଲେ। ଅର୍ଥାତ୍‌ ନିଜ ଆଖିଥାଇ ପର ଆଖିରେ ବାଟ ଚାଲୁଥିଲେ।

ଏକ ସୁନ୍ଦର ଉଦାହରଣ ଦେଇ ବିଖ୍ୟାତ ଇଂରେଜ ପ୍ରାବନ୍ଧିକ ଫ୍ରାନ୍‌ସିସ୍‌ ବେକନ କହନ୍ତି, ‘ଘୋଡ଼ାର କେତୁଟା ଦାନ୍ତ’? ଏ ପ୍ରଶ୍ନର ଉତ୍ତର ପାଇବା ପାଇଁ ସମ୍ମୁଖରେ ବନ୍ଧା ହୋଇଥିବା ଘୋଡ଼ାର ଦାନ୍ତକୁ ନିରୀକ୍ଷଣ କରି ନିଜେ ଗଣି ଦେଖିବା ପରିବର୍ତ୍ତେ ସେ ବିଷୟରେ ଅନ୍ୟମାନେ କିଏ କ’ଣ କହି ଯାଇଛନ୍ତି ତାହା ଖୋଜି ବସୁଥିଲେ ଏବଂ ସେ ପାଇଁ ପୋଥି ଘାଣ୍ଟିବା ଆରମ୍ଭ କରୁଥିଲେ।

ସେମାନଙ୍କର ଏହିପରି ମନୋବୃତ୍ତି ଯୋଗୁଁ ‘ଅନ୍ୟ’ମାନେ କହି ଯାଇଥିବା କିମ୍ବା ଲେଖିଯାଇଥିବା ଗୁଡ଼ାଏ କଳ୍ପନାପ୍ରସୂତ କଥା ସେମାନଙ୍କ ପାଇଁ ପରମ ସତ୍ୟ ପାଲଟି ଯାଇଥିଲା, ଯେପରିକି ‘ପୃଥିବୀ ଏ ବିଶ୍ବ ବ୍ରହ୍ମାଣ୍ଡର କେନ୍ଦ୍ରସ୍ଥଳୀ’, ‘ସୂର୍ଯ୍ୟ ପୃଥିବୀ ଚାରିପଟେ ଘୂରୁଛି’, ‘ରୋଗ ଯେତକ ପାପର ଫଳ ଏବଂ ସେଥିଯୋଗୁଁ ଦେବଦେବୀଙ୍କ ଦ୍ବାରା ପ୍ରଦତ୍ତ ଦଣ୍ଡ’ ଇତ୍ୟାଦି। ଆଉ କେହି ସେଗୁଡ଼ିକୁ ଭୁଲ ବା ମିଥ୍ୟା ବୋଲି କହିଲେ କି ସେ ବିଷୟରେ କୌଣସି ପ୍ରଶ୍ନ କଲେ ତା’ପାଇଁ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଥିଲା। ଏପରି କି ସେଗୁଡ଼ିକୁ ସନ୍ଦେହ କରିବା ବି ପାପ ବୋଲି ମନେ କରାଯାଉଥିଲା।

ପାଖାପାଖି ୧୩୦୦ ଖ୍ରୀଷ୍ଟାବ୍ଦରେ ବିଭିନ୍ନ କାରଣରୁ ଇଉରୋପରେ ଏକ ପ୍ରକାର ବୌଦ୍ଧିକ ଜାଗରଣ ସୃଷ୍ଟି ହେଲା ଯାହାକୁ ଇତିହାସରେ ଆମେ ‘ପୁନର୍ଜାଗରଣ’ ବୋଲି କହୁଁ। ତହିଁରେ ଗ୍ରୀକ୍‌ ଓ ରୋମାନ୍‌ କଳା ସାହିତ୍ୟ ପ୍ରତି ସେମାନଙ୍କର ନୂତନ ଆଗ୍ରହ ସୃଷ୍ଟି ହେଲା। ଫଳରେ ସେ ପର୍ଯ୍ୟନ୍ତ ହଜି ଯାଇଥିବା ଉକ୍ତ କଳା ସାହିତ୍ୟର ପୁନରୁଦ୍ଧାର କରାଗଲା ଏବଂ ସେଗୁଡ଼ିକର ଅଧ୍ୟୟନ ଦ୍ବାରା ସେମାନଙ୍କ ଦୃଷ୍ଟିକୋଣରେ ବ୍ୟାପକ ପରିବର୍ତ୍ତନ ଘଟିଲା।
ଉଦାହରଣ ସ୍ବରୂପ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସ୍‌ ଲୋକମାନଙ୍କୁ ପ୍ରତ୍ୟେକ ବିଷୟରେ ପ୍ରଶ୍ନ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ। ସେ କାହାରି କଥାକୁ ଆଖିବୁଜି ବିଶ୍ବାସ ନକରି ତା’ର ସତ୍ୟାସତ୍ୟକୁ ଯୁକ୍ତିଦ୍ବାରା ପରୀକ୍ଷା କରି ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ଯାହାକୁ ବୈଜ୍ଞାନିକ ମନୋବୃତ୍ତିର ମୂଳମନ୍ତ୍ର ବୋଲି କୁହାଯାଏ। ଏହା ଆମେ କରି ନପାରିବା ଭଳି କଷ୍ଟକର କଥାଟିଏ କି? ଏଥିପାଇଁ ବୈଜ୍ଞାନିକମାନଙ୍କ ଅସାଧାରଣ ପ୍ରତିଭା କି ବିଜ୍ଞାନପାଠର ଅଧ୍ୟୟନ ଆଦି ଆବଶ୍ୟକ କି?

ଏଥର ସେମାନେ ଅନ୍ୟ କେହି କହିଥିବା କିମ୍ବା ଲେଖିଥିବା କଥାକୁ ଆଖିବୁଜି ଗ୍ରହଣ ନକରି ନିଜ ପାଇଁ ନିଜେ ମୁଣ୍ଡ ଖେଳାଇ ଚିନ୍ତା କରିବା ଆରମ୍ଭ କଲେ। ଅଖଣ୍ଡ ବିଶ୍ବାସ ପରିବର୍ତ୍ତେ ପ୍ରଶ୍ନ କରିବା, ଯୁକ୍ତି କରିବା ଆରମ୍ଭ କଲେ। ତା’ ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ଅନୁସନ୍ଧାନ ଏବଂ ପରୀକ୍ଷା ମଧ୍ୟ ଆରମ୍ଭ ହେଲା। ଏହି ପ୍ରଶ୍ନ କରିବା, ଯୁକ୍ତି କରିବା, ଅନୁସନ୍ଧାନ କରିବା, ପରୀକ୍ଷା କରିବା ଏବଂ ନିରୀକ୍ଷଣ କରିବା ଆଦିକୁ ବୈଜ୍ଞାନିକ ପଦ୍ଧତି ବୋଲି କୁହାଗଲା। ଏହାଦ୍ବାରା ବିଜ୍ଞାନର ବ୍ୟାପକ ପ୍ରସାର ଘଟିଲା ଏବଂ ଇଉରୋପରେ ଆଧୁନିକ ଯୁଗର ଆରମ୍ଭ ହେଲା। ଏହାର ସୁଫଳ କେବଳ ଇଉରୋପୀୟମାନଙ୍କୁ ନୁହେଁ, ସାରା ବିଶ୍ବବାସୀଙ୍କୁ ମିଳିଲା।

ଦୃଷ୍ଟାନ୍ତ ଭାବରେ କେବଳ ଚିକିତ୍ସା ବିଜ୍ଞାନକୁ ନିଆଯାଉ। ସେ ଯାଏ ରୋଗତକ ପାପର ଫଳ ଏବଂ ସେଥିଯୋଗୁଁ ଦେବଦେବୀଙ୍କ ଦ୍ବାରା ପ୍ରଦତ୍ତ ଦଣ୍ଡ ବୋଲି ବିଶ୍ବାସ କରାଯାଉଥିଲା। ଚିକିତ୍ସା ଅଭାବରୁ ହଇଜା, ବସନ୍ତ, ଯକ୍ଷ୍ମା ପ୍ରଭୃତି ମାରାତ୍ମକ ରୋଗ ସମ୍ମୁଖରେ ମାନବ ସମାଜ ଏକ ପ୍ରକାର ଅସହାୟ ହୋଇପଡ଼ିଥିଲା କାରଣ ଏସବୁ ରୋଗରେ ଆକ୍ରାନ୍ତ ହେଲେ ରୋଗୀମାନେ କ୍ବଚିତ୍‌ ଆରୋଗ୍ୟଲାଭ କରୁଥିଲେ।

ହେଲେ ଭାଗ୍ୟକୁ ଏ କ୍ଷେତ୍ରରେ ମଧ୍ୟ ପ୍ରାଚୀନ ଗ୍ରୀକ୍‌ ସଭ୍ୟତାର ଅଧ୍ୟୟନ କାମରେ ଆସିଲା। ଅନ୍ୟତମ ଗ୍ରୀକ୍‌ ଦାର୍ଶନିକ ହିପୋକ୍ରିଟସ୍‌ ଘୋଷଣା କରିଥିଲେ ଯେ କୌଣସି ରୋଗ ପାପର ଫଳ ନୁହେଁ, ବରଂ ପ୍ରତ୍ୟେକ ରୋଗର ପ୍ରାକୃତିକ କାରଣ ରହିଛି ଏବଂ ଉପଯୁକ୍ତ ଖାଦ୍ୟ, ଔଷଧ ତଥା ବିଶ୍ରାମ ଦ୍ବାରା ତାକୁ ଦୂର କରାଯାଇପାରିବ। ତାହାଦ୍ବାରା ପ୍ରତ୍ୟେକ ରୋଗର ପ୍ରାକୃତିକ କାରଣକୁ ଖୋଜିବା ଆରମ୍ଭ ହେଲା ଏବଂ କାଳକ୍ରମେ ବୈଜ୍ଞାନିକ ଗବେଷଣା ଦ୍ବାରା ପ୍ରତ୍ୟେକ ରୋଗର କାରଣ ସହ ନିରାକରଣର ଉପାୟ ମଧ୍ୟ ଉପଲବ୍ଧ ହେଲା। ଫଳରେ ମାନବ ସମାଜ ଏହି ମାରାତ୍ମକ ରୋଗଗୁଡ଼ିକ ସହିତ ଆହୁରି ଅନେକ ରୋଗ ଦାଉରୁ ରକ୍ଷା ପାଇପାରିଲା। ଏହିପରି ଭାବରେ ଆଧୁନିକ ଚିକିତ୍ସା ବିଜ୍ଞାନର ଆରମ୍ଭ ହେଲା ଏବଂ ଏହାର ମୂଳଦୁଆ ପକେଇ ଥିବାରୁ ହିପୋକ୍ରିଟସ୍‌ଙ୍କୁ ତା’ର ଜନକ ବୋଲି କୁହାଗଲା।
ରୋଗ ଦେବଦେବୀଙ୍କ କୋପରୁ ସୃଷ୍ଟି ହୁଏ ଏବଂ ସେମାନଙ୍କୁ ପୂଜାର୍ଚ୍ଚନା କଲେ ଦୂର ହୁଏ ବୋଲି ଥିବା ପ୍ରଚଳିତ ଧାରଣାକୁ ଆଖିବୁଜି ଗ୍ରହଣ କରି ଚାଲିଥିଲେ ଏବଂ ତାକୁ ବିଶ୍ବାସ କରୁନଥିବା ଲୋକଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରି ଚାଲିଥିଲେ କେହି ଏ ରୋଗଗୁଡ଼ିକ ଉପରେ ଗବେଷଣା କରିବାକୁ ଆଗେଇ ଆସିଥାନ୍ତେ କି ଏବଂ ମାନବ ସମାଜ ଏ ରୋଗଗୁଡ଼ିକର ଦାଉରୁ ରକ୍ଷା ପାଇପାରିଥାନ୍ତା କି?

ସକ୍ରେଟିସ୍‌ ଏବଂ ହିପୋକ୍ରିଟସ ଥିଲେ ପ୍ରାଚୀନ ଯୁଗର ଅଧିବାସୀ। ଯେଉଁ ପୁନର୍ଜାଗରଣ କଥା କୁହାଗଲା ତାହା ଥିଲା ପାଖାପାଖି ୧୩୦୦ ଖ୍ରୀଷ୍ଟାବ୍ଦର କଥା; କିନ୍ତୁୁ ଏକବିଂଶ ଶତାବ୍ଦୀରେ ଆମର ସ୍ଥିତି କେଉଁଠି? ଏ ବିଷୟରେ ଟିକିଏ ଚିନ୍ତା କରାଯାଉ।

Comments are closed.