www.samajalive.in
Wednesday, December 10, 2025
18.1 C
Bhubaneswar

ସୁବର୍ଣ୍ଣପୁର ଜିଲାରୁ ଦୁଇ କ୍ୟାବିନେଟ ମନ୍ତ୍ରୀ; ଆଶା କମ, ନିରାଶା ବେଶି !

ସୋନପୁର : ଦୀର୍ଘ ବର୍ଷ ହେଲା ସମଗ୍ର ପଶ୍ଚିମ ଓଡ଼ିଶାର ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସୁବର୍ଣ୍ଣପୁର ଜିଲାରୁ ଚଳିତ ଥର ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପାଇଛନ୍ତି। ସୋନପୁର ବିଧାୟକ ନିରଞ୍ଜନ ପୁଝାରୀ ରାଜ୍ୟ ଅର୍ଥ ଓ ଅବକାରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଥିବା ବେଳେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମଧ୍ୟ ଯୋଜନା, ସଂଯୋଜନା, ବାଣିଜ୍ୟ ଓ ପରିବହନ ଭଳି ଗୁରୁତ୍ୱପୁର୍ଣ୍ଣ ବିଭାଗ ପାଇଛନ୍ତି। ଉଭୟେ ବର୍ତ୍ତମାନ ନବୀନ ସରକାରଙ୍କ ମନ୍ତ୍ରୀ ମଣ୍ଡଳର ଦୁଇ ଜଣ ଆଗ ଧାଡ଼ିର ମନ୍ତ୍ରୀ ଭାବରେ ରାଜ୍ୟରେ ବେଶ ଜଣାଶୁଣା। କିନ୍ତୁ ବର୍ତ୍ତମାନ ମନ୍ତ୍ରୀ ଦ୍ୱୟ ନିଜେ ବିଜୟ ଲାଭ କରି ଆସିଥିବା ଜିଲାର ବିକାଶ ପାଇଁ ଚିନ୍ତା ନକରି ରାଜ୍ୟ ପାଇଁ ବେଶି ଚିନ୍ତା କରୁଥିବା ଦେଖାଯାଇଛି। ଫଳରେ ସ୍ୱତନ୍ତ୍ର ଜିଲା ଗଠନର ଦୀର୍ଘ ୨୭ ବର୍ଷ ପରେବି ଜିଲାବାସୀ ଅନେକ କ୍ଷେତ୍ରରେ ଅନ୍ୟ ଜିଲା ଠାରୁ ବେଶ ପଛରେ ରହିଯାଇଛନ୍ତି। ବର୍ତ୍ତମାନ ଜିଲାର ବିକାଶ କ୍ଷେତ୍ରରେ ଆଶା କମ, ନିରାଶା ବେଶି ରହୁଥିବା ଦେଖିବାକୁ ମିଳୁଛି।
କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲା ଧାନ ଉତ୍ପାଦନ କ୍ଷେତ୍ରରେ ବେଶ ସଫଳତା ଅର୍ଜନ କରି ଜାତୀୟ ସ୍ତରରେ ଦୁଇ ଥର କୃଷି କର୍ମଣ ପୁରସ୍କାର ପାଇ ସାରିଛି। କିନ୍ତୁ ଜିଲାର ଅଧିକାଂଶ ଚାଷ ଜମି ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଜଳସେଚନର ସୁବିଧାରୁ ବଞ୍ଚିତ ହୋଇ ରହିଛି। ମିଳିଥିବା ସୂଚନା ଅନୁସାରେ ଜିଲାର ୧ ଲକ୍ଷ ୨୮ ହଜାର ୩୧୮ ହେକ୍ଟର ଚାଷ ଜମି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ବୃହତ, ମଧ୍ୟମ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଉଠା ଜଳସେଚନ, ଗଭୀର କୂପ ଆଦି ବିଭିନ୍ନ ପ୍ରକଳ୍ପ ଦ୍ୱାରା ଖରିଫରେ ଜିଲାର ମୋଟ ୧ ଲକ୍ଷ ୧୪ ହଜାର ୩୧୭ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳି ପାରିଥିବା ବେଳେ ୧୪ ହଜାର ହେକ୍ଟର ଜମି ଏବେ ବି ସେହି ସୁବିଧାରୁ ବଞ୍ଚିତ ହୋଇ ରହିଛି। ଏବେ ବି ହୀରାକୁଦ, ହରିହର ଯୋର ଜଳସେଚନ ପ୍ରକଳ୍ପର ତଳିଆ ଅଞ୍ଚଳରେ ରହିଥିବା ଚାଷୀମାନେ ଜଳସେଚନର ସୁବିଧା ପାଇ ପାରୁ ନାହାଁନ୍ତି। ସେହିପରି ଜିଲାର ଏକମାତ୍ର ଶିଳ୍ପ ସଂସ୍ଥା ସୋନପୁର ସ୍ପିନିଂ ମିଲ୍‌ ଦୀର୍ଘ ବର୍ଷ ହେଲା ରୁଗ୍‌ଣ ଅବସ୍ଥାରେ ପଡ଼ି ରହିଛି। ଏହାର ପୁନରୁଦ୍ଧାର ଦୀଗରେ ଆଜି ପର୍ଯ୍ୟନ୍ତ କୌଣସି ରାଜନୈତିକ ତତ୍ପରତା ପ୍ରଦର୍ଶନ ହେଉ ନଥିବାରୁ ଆଗାମୀ ଦିନରେ ଏହା କେବଳ ଫଳକରେ ରହିବା ସାର ହୋଇଛି। ବାରମ୍ବାର ଦାବି ଆପତ୍ତି ସତ୍ତ୍ବେ ଏହାର ପୁନରୁଦ୍ଧାର ଦିଗରେ ଶାସକ ଦଳ ନିରବତା ଅବଲମ୍ବନ କରୁଥିବାରୁ ଏହାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ଦେଖା ଦେଇଛି।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଜିଲା ବେଶ ପଛରେ ରହିଯାଇଛି। ଜିଲାର ବିଭିନ୍ନ ଡାକ୍ତରଖାନାରେ ମୋଟ ୧୫୨ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦ ରହିଥିବା ବେଳେ ବର୍ତ୍ତମାନ ମାତ୍ର ୭୫ ଡାକ୍ତର କାର୍ଯ୍ୟ କରୁଛନ୍ତି। ଜିଲା ସଦର ଡାକ୍ତରଖାନାରେ ୨୪ ଟି ଡାକ୍ତର ପଦ ଖାଲି ପଡ଼ିଥିବା ବେଳେ ଉଲୁଣ୍ଡା ବ୍ଲକରେ ୮, ଡୁଙ୍ଗୁରିପାଲି ୯, ବୀରମହାରାଜପୁର ୧୦, ବିନିକା ୧୦, ତରଭା ୭, ନାଇକେନପାଲିରେ ୮ ଡାକ୍ତର ପଦ ଖାଲି ପଡ଼ିଛି। ଏହା ବ୍ୟତୀତ ଜିଲାର ଜୀବନରେଖା କୁହାଯାଉଥିବା ଅଙ୍ଗ କେନାଲ ସମ୍ପ୍ରସାରଣ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ସେହିପରି ଜିଲା ଗଠନ ହେବାର ଦୀର୍ଘ ୨୭ ବର୍ଷ ପରେ ମଧ୍ୟ ଏଠାରେ ଏକ ଅତ୍ୟାଧୁନିକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ହୋଇ ପାରିନାହିଁ। ଜିଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ପାତାଳି ଶ୍ରୀକ୍ଷେତ୍ରରେ ରୋପ୍‌ୱେ ପ୍ରକଳ୍ପ ଦୀର୍ଘ ବର୍ଷ ହେଲା ଅନୁମୋଦିତ ହୋଇ ସାରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନାହିଁ। ପୂର୍ବରୁ ସୋନପୁର ଉପଖଣ୍ଡ ସଦର ମହକୁମାରେ ରାଜ୍ୟ ପରିବହନ ବିଭାଗର ଜଣେ ଷ୍ଟେସନ ମାଷ୍ଟର ରହୁଥିବା ବେଳେ ଦୀର୍ଘ ବର୍ଷ ହେଲା ସେହି କାର୍ଯ୍ୟାଳୟକୁ ଏଠାରୁ ଉଠାଇ ନିଆଯାଇଛି। ଜିଲାର ବୀରମହାରାଜପୁର, ବିନିକା, ତରଭା, ଉଲୁଣ୍ଡା ଆଦି ସ୍ଥାନରୁ ସିଧାସଳଖ ସରକାରୀ ବସ୍‌ ସୁବିଧା ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ। ଜିଲା ଗଠନ ପରେ ଆଜି ପର୍ଯ୍ୟନ୍ତ ଏଠାରେ କୌଣସି ଏକ ଜାତୀୟ କିମ୍ବା ରାଜ୍ୟସ୍ତରୀୟ ପ୍ରତିଷ୍ଠାନ ସ୍ଥାପିତ ହୋଇ ପାରିନାହିଁ। ନିକଟ ଅତୀତରେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଜିଲାରେ ଏମ୍‌ସର ଦ୍ୱିତୀୟ ଶାଖା, ଝାରସୁଗୁଡ଼ାରେ ସୁପର ସ୍ପେସାଲିିଟି ହସପିଟାଲ ସ୍ଥାପନ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଘୋଷଣା କରି ସାରିଥିବା ବେଳେ ସମ୍ବଲପୁରରେ ଆଇଆଇଏମ୍‌, ବଲାଙ୍ଗିରରେ ଭୀମଭୋଇ ମେଡିକାଲ କଲେଜ, ବରଗଡ଼ରେ କ୍ୟାନସର ହସପିଟାଲ, କଳାହାଣ୍ଡିରେ ମେଡିକାଲ କଲେଜ ଆଦି ସ୍ଥାପନ ହୋଇ ସାରିଛି। କିନ୍ତୁ ଏହି ଜିଲାରେ ସେଭଳି ଏକ ପ୍ରତିଷ୍ଠାନ ସ୍ଥାପନ ନେଇ ସରକାରୀ ସ୍ତରରେ ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ପାରିନଥିବା ଦେଖାଯାଇଛି। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ହେଲା ଜିଲାରେ ଏକ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜିଲାର ଜନସାଧାରଣ ୨୦୧୮ରୁ ଦାବି କରି ଆସୁଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସରକାରଙ୍କ କାନରେ ତାହା ପଡି ପାରିନାହିଁ। ତେଣୁ ବର୍ତ୍ତମାନ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଜିଲାର ଦୁଇ ଜଣ ଯାକ ବିଧାୟକ କ୍ୟାବିନେଟ ମନ୍ତ୍ରୀ ରହିଥିଲେ ମଧ୍ୟ ଏହି ଜିଲାର ଆଶା ଅପେକ୍ଷା ନିରାଶା ବେଶି ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏପରିକି ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହିଁ ଜିଲାର ବିକାଶରେ ପ୍ରତିବନ୍ଧକ ସାଜିଥିବା ଜିଲାବାସୀ ଆଲୋଚନା କରୁଛନ୍ତି। ତେଣୁ ଉଭୟ ମନ୍ତ୍ରୀ ଜିଲାର ବିକାଶ ଦିଗରେ ସାମୂହିକ ଉଦ୍ୟମ କରି ଜିଲାକୁ ଏକ ବିକଶିତ ଜିଲାରେ ପରିଣତ କରିବାକୁ ବିଭିନ୍ନ ସଚେତନ ମହଲରେ ଦାବି ହେଉଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories