ଭୁବନେଶ୍ବର : ଆସନ୍ତା ୨ ବର୍ଷ ମଧ୍ୟରେ ଓଡ଼ିଶା ୧୫୦୦ ମେଗା ୱାଟ୍ ସୌର ବିଦ୍ୟୁତ ଶକ୍ତି ଉତ୍ପାଦନ କରିବା ନେଇ ଲକ୍ଷ୍ୟ ରଖିଛି। ରାଜ୍ୟର ଥିବା ବୃହତ ଜଳାଶୟ ଉପରେ ଭାସମାନ ସୌରଶକ୍ତି ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ରାଜ୍ୟରେ ସୌର ଶକ୍ତି ଉତ୍ପାଦନ ହାର ସନ୍ତୋଷଜନକ ଥିବା ବେଳେ ଉତ୍ପାଦନ ବୃଦ୍ଧି ପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦେଶ ଦେଇଛନ୍ତି। ଓରେଡ଼ା ଏବଂ ଜେଡ୍କଲ୍ ସୌର ଶକ୍ତି ପ୍ରକଳ୍ପ ପାଇଁ ରୋଡ଼ ମ୍ୟାପ୍ ପ୍ରସ୍ତୁତ କରିବେ। ଆଜି ଲୋକସେବା ଭବନ ଠାରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରୁ ହସ୍ତଗତ ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟରେ ୟୁନିଟ୍ ପିଛା ୨ ଟଙ୍କା ୭୧ ପଇସା ଦରରେ ସୌର ଶକ୍ତି ଉତ୍ପାଦନ ହେଉଛି। ଓଡ଼ିଶାରେ ସୌରଶକ୍ତି ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସୁବିଧା ରହିଛି। ବର୍ତ୍ତମାନ ସୁଦ୍ଧା ଜେଡ୍କଲ୍ ଏବଂ ଓରେଡ଼ା ଦ୍ବାରା ରାଜ୍ୟର ବିଭିନ୍ନ ସ୍ଥାନରେ ୪୭୪ ମେଗାୱାଟ୍ ସୌରଶକ୍ତି ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି। ସେହିପରି ଆଉ ୪୬୦ ମେଗାୱାଟ୍ ସୌରଶକ୍ତି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଓରେଡ଼ା କାମ ଜାରି ରଖିଛି। ଆଜିର ବୈଠକରେ ସମ୍ବଲପୁର ଓ ବୌଦ୍ଧ ଜିଲାର ୪ଟି ସ୍ଥାନରେ ୨୭୫ ମେଗାୱାଟ୍ କ୍ଷମତା ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସେହିପରି ବୃହତ ଜଳାଶୟମାନଙ୍କ ଉପରେ ୫୦୦ ମେଗାୱାଟ୍ ଭାସମାନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ।
ଏହା ବ୍ୟତୀତ ୧୯ ମେଗାୱାଟ୍ ଛାତ ଉପର ପ୍ଲାଣ୍ଟ ଓ ୮ ମେଗାୱାଟ୍ର ଭୂମିଉପର ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଯୋଜନା ହୋଇଛି। ଏହି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଶାସନ ସଚିବ ତଥା ଜେଡ୍କଲ୍ ଅଧ୍ୟକ୍ଷ ବିଷ୍ଣୁପଦ ସେଠୀ, ଅର୍ଥ ବିଭାଗ ଶାସନ ସଚିବ ଏ.କେ ମୀନାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
୨୦୨୨ ସୁଦ୍ଧା ରାଜ୍ୟରେ ୧୫୦୦ ମେଗାୱାଟ୍ ସୌରଶକ୍ତି ଉତ୍ପାଦନ ହେବ
Popular Categories



