www.samajalive.in
Monday, December 8, 2025
24.1 C
Bhubaneswar

ହଜିଗଲା ସ୍ମାର୍ଟ ସିଟି ‘ଇଣ୍ଟରଫେସ୍’ : ତୁଟିଗଲା ସହରବାସୀଙ୍କ ସୁଇଚ୍ ଟିପି ଅଭିଯୋଗ ଦରଜ ସ୍ବପ୍ନ

ଭୁବନେଶ୍ୱର: ୨୦୧୭ ମସିହା ଫେବ୍ରୁଆରୀ ମାସରେ ସ୍ମାର୍ଟ ସିଟି ବାସିନ୍ଦାଙ୍କୁ ଦେଖାଇଥିଲେ ସ୍ବପ୍ନ । ସହରର ୨୦୦ ସ୍ଥାନରେ ଲାଗିବ ସ୍ବତନ୍ତ୍ର ଇଣ୍ଟରଫେସ । ସୁଇଚ୍ ଟିପିଲେ ଦରଜ ହେବ ଅଭିଯୋଗ ।  ପାଣି, ବିଜୁଳି, ବର୍ଜ୍ୟ ଜଳ ନିଷ୍କାସନ, ଅଗ୍ନିଶମ, ପୁଲିସ ଆଦି ଯେକୌଣସି ଜନସେବା ନିମନ୍ତେ  ସ୍ମାର୍ଟ ସିଟି ବାସିନ୍ଦା ଏହି ଇଣ୍ଟରଫେସରେ ଅଭିଯୋଗ ଦରଜ କରି ପାରିବେ। ଇଣ୍ଟରଫେସ୍‍ ଯୋଗେ ଦରଜ ଅଭିଯୋଗ ସିଧାସଳଖ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷକୁ ଯିବ ଏବଂ ସେଠାରୁ ତୁରନ୍ତ ଆବଶ୍ୟକୀୟ ସେବା ଯୋଗାଇବା ନିମନ୍ତେ ପଦକ୍ଷେପ ନିଆଯିବ। ସେହିପରି ମୋବାଇଲ ବା ଟେଲିଫୋନ୍‍ ବ୍ୟତୀତ ଇମେଲ୍‍, ଏସ୍‍ଏମ୍‍ଏସ୍‍ ଓ ହ୍ୱାଟ୍‍ସ ଆପ୍ ଜରିଆରେ ମଧ୍ୟ ସାଧାରଣ ଲୋକମାନେ ଅଭିଯୋଗ କରି ପାରିବେ। ଏଥିପାଇଁ ପ୍ରାୟ ୩୫୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଥିଲା । କେବଳ ସେତିକି ନୁହେଁ ୨ ମାସ ମଧ୍ୟରେ ଟେଣ୍ଡର କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଥିଲା । ବୈଠକରେ ତତ୍କାଳୀନ ଉନ୍ନୟନ କମିଶନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରମୁଖ ସଚିବ, ଗୃହ ଓ ନଗର ଉନ୍ନୟନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ, ପୁଲିସ କମିଶନର, ବିଡ଼ିଏ ଉପାଧ୍ୟକ୍ଷ, ବାଣିଜ୍ୟ ଓ ପରିବହନ ସ୍ବତନ୍ତ୍ର ସଚିବ ଉପସ୍ଥିତ ଥିଲେ । ଖୋଦ ମୁଖ୍ୟ ସଚିବ ଏଥିରେ ଅଧ୍ୟକ୍ଷତା କରିଥିଲେ । ମାତ୍ର ୨ ମାସ ଯାଇ ୪୪ ମାସ ହେଲାଣି । ସ୍ମାର୍ଟ ସିଟି ଭୁବନେଶ୍ଵରକୁ ଅଧିକ ସ୍ମାର୍ଟ କରିବା ପାଇଁ ହୋଇଥିବା ‘ଇଣ୍ଟରଫେସ୍’ ଯୋଜନା କେଉଁଠି ନଥି ତଳେ ଚାପି ହୋଇ ଯାଇଛି ଯେ ତାହାର ପତ୍ତା ମିଳୁନାହିଁ । ଏହି ଇଣ୍ଟରଫେସ୍ କେଉଁଠି ଲାଗିଛି ଖୋଜିଲେ ବି ମିଳୁନାହିଁ ।

ସେତେବେଳେ କୁହାଯାଇଥିଲା  ଭୁବନେଶ୍ୱରକୁ ସ୍ମାର୍ଟ ସିଟି ଭାବରେ ଗଢ଼ି ତୋଳିବା ପାଇଁ ସୂଚନାପ୍ରଯୁକ୍ତି ବିଦ୍ୟା ଓ ସଫ୍ଟୱେରକୁ ଉପଯୋଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଟ୍ରାଫିକ୍‍, ପରିବହନ, ପାଣି, ବିଜୁଳି, ପ୍ରାକୃତିକ ଦୁର୍ବିପାକ ସମୟରେ ଅତ୍ୟାବଶ୍ୟକ ବ୍ୟବସ୍ଥା ଆଦି ନିମନ୍ତେ ‘୧୧୨’ ଦେୟମୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଆଇସିଓଏମ୍‍ସି (ଇଣ୍ଟେଲିଜେଣ୍ଟ ସିଟି ଅପରେସନ ଆଣ୍ଡ ମ୍ୟାନେଜମେଣ୍ଟ ସେଣ୍ଟର) ଜରିଆରେ ସ୍ମାର୍ଟ ସିଟିକୁ ପରିଚାଳନା କରିବାକୁ ଲକ୍ଷ୍ୟ ରଖାଯାଇଛି। ଦୁଇ ବର୍ଷ ମଧ୍ୟରେ ଏହି ବ୍ୟବସ୍ଥା ସାରା ସହରରେ କାର୍ଯ୍ୟକାରୀ ହେବ। ଯେଉଁ ସଂସ୍ଥା ଏହି ବ୍ୟବସ୍ଥା ପରିଚାଳନା ନିମନ୍ତେ ଠିକା ପାଇବ ସମ୍ପୃକ୍ତ କମ୍ପାନୀ ୭ ବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ବହନ କରିବ ବୋଲି ସରକାର ସର୍ତ୍ତ ରଖିଛନ୍ତି ବୋଲି ତତ୍କାଳୀନ ମୁଖ୍ୟ ସଚିବ କହିଥିଲେ ।

- Advertisement -

କେବଳ ମୁଖ୍ୟ ସଚିବ ନୁହନ୍ତି, ତତ୍କାଳୀନ ସ୍ମାର୍ଟ ସିଟି ମୁଖ୍ୟ ନିର୍ବାହୀ ବଡ଼ ଦମ୍ଭର ସହ ରାଜଧାନୀ ଭୁବନେଶ୍ଵରକୁ ସ୍ମାର୍ଟ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ବର୍ଣ୍ଣନା କରିଥିଲେ ।  ଭୁବନେଶ୍ୱର ସହରରେ ଚଳାଚଳ କରୁଥିବା ବିଭିନ୍ନ ବିଭାଗର ଜନସେବା ସମ୍ବଳିତ ଗାଡ଼ି ମଧ୍ୟରୁ ୪୦ଟି ପୁଲିସ ଗାଡ଼ି, ୩୩ଟି ପିସିଆର୍‍, ୨୦ଟି ଅଗ୍ନିଶମ ଗାଡ଼ି, ୨୦୦ ଆମ୍ବୁଲାନ୍ସ, ୧୫୦ କଠିନ ବର୍ଜ୍ୟ ପରିବହନ କରୁଥିବା ଟ୍ରକ୍‍ ଓ ୨୦ଟି ପାଣି ଟ୍ୟାଙ୍କରକୁ ଜିପିଏସ୍‍ ବ୍ୟବସ୍ଥା ଦ୍ୱାରା ସଂଯୋଗ କରାଯିବ। ଜନସେବା ସଂକ୍ରାନ୍ତ ଅଭିଯୋଗ ୧୧୨ରେ ଦାୟର କରାଯାଇ ପାରିବ ଏବଂ ଅଭିଯୋଗ ମିଳିବା ପରେ ତଦନୁସାରେ ଆବଶ୍ୟକତା ଅନୁସାରେ ସମ୍ପୃକ୍ତ ଗାଡ଼ିକୁ ପଠାଯିବ। ସେହିପରି ସହରର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଦୃଷ୍ଟି ରଖିବା ପାଇଁ ୮୫୦ ସ୍ଥାନରେ କ୍ୟାମେରା ଲଗାଯିବ ଏବଂ୧୫୦ଟି ସ୍ଥାନରେ ପିଟିଜେଡ଼୍‍ ସ୍ଥାପନ ହେବ ବୋଲି ସୂଚନା ଦେଇଥିଲେ ।

ସରକାର ଓ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କ ଏହି ଘୋଷଣାରେ ଖୁସି ହୋଇଥିଲେ ରାଜଧାନୀ ବାସିନ୍ଦା । ସେମାନଙ୍କ ସମସ୍ୟା ସହଜରେ ସରକାରଙ୍କ ପାଖରେ ପହଞ୍ଚି ପାରିବ ଓ ସମାଧାନର ବାଟ ବାହାରିବ ବୋଲି ମନେ କରିଥିଲେ । ସ୍ମାର୍ଟ ସିଟିର ଆକାର ଦିନକୁ ଦିନ ବଢ଼ୁଛି, ଲୋକସଂଖ୍ୟା ବଢ଼ୁଛନ୍ତି, ଜନଘନତ୍ଵ ବଢ଼ୁଛି । ରାସ୍ତାଘାଟ ଗହଳି ବଢ଼ୁଛି । ଅଭିଯୋଗର ସମାଧାନ ଲାଗି କରୋନା କାଳରେ ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଏହି ସମୟରେ ଇଣ୍ଟରଫେସ ହୁଏତ ଲୋକଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରିପାରିଥାଆନ୍ତା । ହେଲେ ବର୍ଷ ପ​‌ରେ ବର୍ଷ ଗଡ଼ିଯିବା ସତ୍ବେ ଏହି ଯୋଜନା ଆକାଶକୁସୁମ ପରି ହୋଇଛି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories