ନୂଆଦିଲ୍ଲୀ: ଶିକ୍ଷାନବିସଙ୍କ କ୍ଷେତ୍ରରେ ବୃତ୍ତିଛାଡ଼ିବା ରୋକିବା ପାଇଁ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍ଏସ୍ଡିଇ) ଭତ୍ତା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛି। ଜାତୀୟ ଶିକ୍ଷାନବିସ ପ୍ରୋତ୍ସାହନ ଯୋଜନା (ଏନ୍ଏପିଏସ୍) ଏବଂ ଜାତୀୟ ଶିକ୍ଷାନବିସ ତାଲିମ ଯୋଜନା (ଏନ୍ଏଟିଏସ୍)ଙ୍କ କ୍ଷେତ୍ରରେ ଏହି ଭତ୍ତା ବୃଦ୍ଧି ପ୍ରସ୍ତାବ ରହିଛି। ଏଥିସହ ଗ୍ରାହକ ମୂଲ୍ୟ ସୂଚକାଙ୍କ ସହ ଏହି ଶିକ୍ଷାନବିସ ଭତ୍ତାକୁ ଯୋଡ଼ିବା ପାଇଁ ସୁପାରିଶ କରାଯାଇଛି। ଫଳରେ ବର୍ଷକୁ ଦୁଇଥର ଶିକ୍ଷାନବିସ ଭତ୍ତା ହାର ସଂଶୋଧନ ହୋଇପାରିବ।
ଏମ୍ଏସ୍ଡିଇ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ ଶିକ୍ଷାନବିସ ପରିଷଦ (ସିଏସି)ର ୩୮ତମ ବୈଠକରେ ଏହି ପ୍ରସ୍ତାବଗୁଡ଼ିକ ସୁପାରିଶ କରାଯାଇଥିଲା। ପ୍ରସ୍ତାବଗୁଡ଼ିକ ଏବେ କେନ୍ଦ୍ର କ୍ୟାବିନେଟ୍କୁ ଅନୁମୋଦନ ପାଇଁ ପଠାଯିବ। କ୍ୟାବିନେଟ୍ ଦ୍ୱାରା ଅନୁମୋଦନ ପରେ ପୂର୍ବ ୫,୦୦୦-୯,୦୦୦ ଟଙ୍କା ବଦଳରେ ୬୮୦୦-୧୨,୩୦୦ ଟଙ୍କା ପର୍ଯ୍ୟନ୍ତ ଶିକ୍ଷାନବିସ ଭତ୍ତା ବୃଦ୍ଧି ହେବ। ଏହାର ଲକ୍ଷ୍ୟ ହେଉଛି ଶିକ୍ଷାନବିସଙ୍କ ବୃତ୍ତି ଛାଡ଼ିବା ହାର ହ୍ରାସ କରିବା ଏବଂ ଅଧିକ ପ୍ରାର୍ଥୀଙ୍କୁ ତାଲିମ ଗ୍ରହଣ କରିବାକୁ ଆକର୍ଷିତ କରିବା। ସିଏସି ବୈଠକରେ ବିଦ୍ୟମାନ ଶିଳ୍ପ ତାଲିକା (୧୯୮୭ କୋଡ୍)କୁ ଜାତୀୟ ଶିଳ୍ପ ବର୍ଗୀକରଣ (ଏନ୍ଆଇସି) କୋଡ୍ ୨୦୦୮ ସଂଯୁକ୍ତ ତାଲିକା ସହିତ ବଦଳାଯାଇ ଶିକ୍ଷାନବିସ ତାଲିମର ପରିସରକୁ ବିସ୍ତାର କରିବା ଏବଂ ଆଇଟି, ସଫ୍ଟୱେର୍ ସେବା, ଟେଲି ଯୋଗାଯୋଗ, ବାୟୋଟେକ୍ନୋଲୋଜି ଏବଂ ନବୀକରଣୀୟ ଶକ୍ତି ଭଳି ଉଦୀୟମାନ କ୍ଷେତ୍ରଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବ ମଧ୍ୟ ଦିଆଯାଇଛି। ସଦ୍ୟତମ ତଥ୍ୟ ଦର୍ଶାଉଛି ଯେ ୨୦୨୦-୨୧ରୁ ଏନ୍ଏପିଏସ୍ ଅଧୀନରେ ୩.୫୫ ନିୟୁତ ଶିକ୍ଷାନବିସ ନିୟୋଜିତ ହୋଇଛନ୍ତି। ସେହିପରି ଏନ୍ଏଟିଏସ୍ ଅଧୀନରେ ୧.୨୯ ନିୟୁତ ନିଯୁକ୍ତ ହୋଇଛନ୍ତି। ୨୦୨୪-୨୫ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ମୋଟ ୪.୮୪ ନିୟୁତ ଶିକ୍ଷାନବିସ ନିଯୁକ୍ତ ହୋଇଛନ୍ତି।



