ବାଲେଶ୍ବର: ବାଲେଶ୍ବର ସିମୁଳିଆ ବିଡିଓ ବିଶ୍ବରଞ୍ଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସରକାରୀ କ୍ବାଟର୍ସରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଠାବ ହୋଇଛି। ଘଟଣାସ୍ଥଳରେ ସିମୁଳିଆ ପୁଲିସର ଛାନଭିନ କରୁଛି।
ସିମୁଳିଆ ବିଡିଓଙ୍କ କାର୍ଯ୍ୟାଳୟ କର୍ମଚାରୀ ଏ ସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି ଯେ ବିଡିଓ ବିଶ୍ବରଞ୍ଜନ ମହାନ୍ତି ଅଫିସକୁ ଆସିଥିଲେ ଓ ଅଳ୍ପ ସମୟ ରହିଥିଲେ। ଅଫିସ ଭିତରେ ସେ କିଛି ଖୋଜୁଥିବା ଦେଖିବାକୁ ମିଳିଥିଲା। ସକାଳୁ ଜଳଖିଆ ଖାଇବାକୁ ଯାଇଥିଲେ ବି ଖାଇନ ଥିଲେ। ଘରକୁ ଫେରିବା ପରେ ଆଉ ଅଫିସ ଯାଇନଥିଲେ। ବିଡିଓ ବିଶ୍ବରଞ୍ଜନ ମହାନ୍ତିଙ୍କୁ କବଟ ବାଡେଇ କର୍ମଚାରୀମାନେ ଡାକିଥିଲେ।
ସେ ନ ଶୁଣିବାରୁ ଝରକା ଖୋଲି ଦେଖିଥିଲେ। ଏକ ଗାମୁଛାକୁ ବେଗରେ ଲଗାଇ ବିଡିଓ ଝୁଲି ପଡ଼ିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଡିଓ ବିଶ୍ବରଞ୍ଜନ ମହାନ୍ତିଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଅଧିକ ତଦନ୍ତ ପରେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ପ୍ରକାଶ କରିଛି।
ସିମୁଳିଆ ବିଡିଓ ବିଶ୍ବରଞ୍ଜନ ମହାନ୍ତିଙ୍କ ମୃତଦେହ ମିଳିବା ଘଟଣାରେ ବାପା ନରେନ୍ଦ୍ର ମହାନ୍ତି କହିଛନ୍ତି ଯେ ଜିଲାପାଳ ଛୁଟି ଦେଉନଥିଲେ । ଅକ୍ଟୋବର ୨୫ରେ କାମରେ ଯୋଗଦେଇ ଘରକୁ ଆସିନଥିଲା। ଜିଲାପାଳ କାମ ଚାପ ଦେଉଥିଲେ। ପ୍ରବଳ କାମଚାପ ସହ ଛୁଟି ମିଳୁ ନ ଥିବାରୁ ମାନସିକ ଦୁଃଶ୍ଚିନ୍ତାରେ ଥିଲା। ଆଉ ମାତ୍ର ଅଢ଼େଇ ବର୍ଷ ଚାକିରି ଥିଲା।



