Patra electronics

୨୦୩୦ ସୁଦ୍ଧା ୫୦ପ୍ରତିଶତ କମିବ ସଡ଼କ ଦୁର୍ଘଟଣା: କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣା ସାଧାରଣ ଅଟେ। ଭାରତରେ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ଶିକାର ହୋଇ ପ୍ରାଣ ହରାଇଥାନ୍ତି। ସଡ଼କ ଦୁର୍ଘଟଣାକୁ ମଧ୍ୟ ସରକାର ଏକ ଗୁରୁତର ସମସ୍ୟା ବୋଲି ବିବେଚନା କରୁଛନ୍ତି। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ମଙ୍ଗଳବାର କହିଛନ୍ତି ଯେ ସଡ଼କ ସୁରକ୍ଷା ହେଉଛି ସରକାରଙ୍କ ପ୍ରାଥମିକତା ଏବଂ ୨୦୩୦ ସୁଦ୍ଧା ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ୫୦ ପ୍ରତିଶତ ହ୍ରାସ କରିବା ଲକ୍ଷ୍ୟ ରଖାଯାଇଛି।

ଦିଲ୍ଲୀରେ ସଡ଼ିକ ସୁରକ୍ଷା ଉପରେ କନଫେଡେରେସନ୍‌‌ ଅଫ୍‌‌ ଇଣ୍ଡିଆନ୍‌‌ ଇଣ୍ଡଷ୍ଟ୍ରିର ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ଗଡକରୀ କହିଛନ୍ତି ଯେ ସଡ଼କ ସୁରକ୍ଷା ଇଞ୍ଜିନିୟରିଂ, କାର୍ଯ୍ୟକାରୀ, ଶିକ୍ଷା ଏବଂ ଜରୁରୀକାଳୀନ ଚିକିତ୍ସା ସେବା, ସାମାଜିକ ଆଚରଣରେ ପରିବର୍ତ୍ତନ ହେଉଛି। ଏହି ପରିବର୍ତ୍ତନ ହେବା ଅତ୍ୟନ୍ତ ଆବଶ୍ୟକ । ହେଲେ ସଡ଼କ ସୁରକ୍ଷା ବୃଦ୍ଧି ପାଇଁ ସମସ୍ତ ହିତାଧିକାରୀଙ୍କ ସହଯୋଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏଥିପାଇଁ ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବା ଜରୁରୀ ହୋଇଛି।

ଡ୍ରାଇଭରଙ୍କ ଚକ୍ଷୁ ନିୟମିତ ଯାଞ୍ଚ ହେବା ଜରୁରୀ:
କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ନାଗରିକମାନଙ୍କ ମଧ୍ୟରେ ଭଲ ଟ୍ରାଫିକ ଆଚରଣ ବା ଟ୍ରାଫିକ ନିୟମକୁ ସଠିକ ଭାବେ ପାଳନ ନେଇ ପୁରସ୍କାର ଦିଆଯିବା ଆବଶ୍ୟକ। ନାଗପୁରରେ ଏଭଳି କରିବା ଦ୍ୱାରା ସକରାତ୍ମକ ଫଳାଫଳ ମିଳିଛି। ଏହାସହିତ ଡ୍ରାଇଭର ମାନଙ୍କର ନିୟମିତ ଚକ୍ଷୁ ଯାଞ୍ଚ ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଡ୍ରାଇଭରଙ୍କ ଦାୟିତ୍ୱରେ ଥିବା ସଂଗଠନ ଗୁଡିକ ସେମାନଙ୍କ ପାଇଁ ମାଗଣାରେ ସ୍ୱାସ୍ଥ୍ୟ ଶିବିରି ଆୟୋଜନ କରିବାକୁ କହିଛନ୍ତି। ବିଦ୍ୟାଳୟ, କଲେଜ ଏନଜିଓ, ଷ୍ଟାର୍ଟ ଅପ୍‌‌, ଟେକ୍ନାଲୋଜି ପ୍ରଦାନକାରୀ, ଆଇଆଇଟି, ବିଶ୍ୱବିଦ୍ୟାଳୟ, ଟ୍ରାଫିକ୍‌‌ ଏବଂ ରାଜପଥ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଟ୍ରାଫିକ ନିୟନ୍ତ୍ରଣ ଶିକ୍ଷା ଏବଂ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ। ରିପୋର୍ଟ ଅନୁଯାୟୀ ୨୦୨୨ରେ ୪.୬ଲକ୍ଷ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୧.୬୮ଲକ୍ଷ ମୃତ୍ୟୁ ଏବଂ ୪ଲକ୍ଷ ଲୋକ ଗୁରୁତର ଆହତ ହୋଇଥିଲେ। ପ୍ରତି ଘଣ୍ଟାରେ ୫୩ଟି ସଡ଼କ ଦୁର୍ଘଟଣା ଏବଂ ୧୯ ଜଣଙ୍କ ମୃତ୍ୟୁ ହେଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ସଡ଼କ ଦୁର୍ଘଟଣା ୧୨ପ୍ରତିଶତ ବୃଦ୍ଧି: 
ସଡ଼କ ଦୁର୍ଘଟଣା ୧୨ ପ୍ରତିଶତ ବୃଦ୍ଧି ପାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହିତ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୦ ପ୍ରତିଶ୍ରତ ବୃଦ୍ଧି ପାଇଛି, ଯାହାକି ସାମାଜିକ ଅର୍ଥନୀତିରେ ୩.୧୪ ପ୍ରତିଶତ କ୍ଷତି ହେଉଛି। ଦୁର୍ଘଟଣାରେ ୧୮ରୁ ୩୫ବର୍ଷର ଯୁବ ଗୋଷ୍ଠୀରେ ୬୦ପ୍ରତିଶ୍ରତ ମୃତ୍ୟୁ ଘଟିଥାଏ। ଯୁବଗୋଷ୍ଠୀଙ୍କ ଆକସ୍ମିକ ମୃତ୍ୟୁ ଫଳରେ ତାଙ୍କ ପରିବାରରେ ଆର୍ଥିକ ସଂକଟ, ନିଯୁକ୍ତିଦାତାଙ୍କ ପାଇଁ ବୃତ୍ତିଗତ କ୍ଷତି ଏବଂ ଅର୍ଥନୀତି ପାଇଁ ଅନେକ କ୍ଷତି ସହିବାକୁ ପଡିଥାଏ। ସଡ଼କ ଦୁର୍ଘଟଣାକୁ ରୋକିବାକୁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିବା ନିତିନ ଗଡକରୀ କହିଛନ୍ତି।

 

Comments are closed.