ମୁମ୍ବଇ: ସମ୍ପ୍ରତି ସାରା ବିଶ୍ବରେ କରୋନାର ବ୍ୟାପକତା ଯୋଗୁ ପୁଞ୍ଜି ବଜାର ପ୍ରଭାବିତ ହେବାରେ ଲାଗିଛି। କୋଭିଡ୍-୧୯ ମାମଲା ବଢ଼ିବ ଏବଂ ଦକ୍ଷିଣ ଚୀନ ସାଗରରେ ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁ ପୁଞ୍ଜି ବଜାରରେ ଅନିଶ୍ଚିତତା ବଢିବାରେ ଲାଗିଛି। ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍ଇ) ସେନ୍ସେକ୍ସରେ ୬୬୦ରୁ ଅଧିକ ପଏଣ୍ଟ ହ୍ରାସ ଘଟିଛି।
ମଙ୍ଗଳବାର କାରବାର ଶେଷ ବେଳକୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍ଇ) ସେନ୍ସେକ୍ସରେ ୬୬୧ ପଏଣ୍ଟ ଅର୍ଥାତ୍ ୧.୮୦% ହ୍ରାସ ଘଟି ୩୬,୦୩୩ ପଏଣ୍ଟରେ କାରବାର ଶେଷ ହୋଇଛି। ଚାଇନା ଓ ଆମେରିକା ମଧ୍ୟରେ ଉତ୍ତେଜନା କ୍ରମଶଃ ବଢ଼ିବାରେ ଲାଗିଥିବାବେଳେ ସଦ୍ୟ ଘଟଣା ନିବେଶକଙ୍କୁ ବିଚଳିତ କରିଛି। ଏହାଫଳରେ ଘରୋଇ ଷ୍ଟକ ବଜାର ବିଶେଷ ଭାବେ ପ୍ରଭାବିତ ହୋଇଛି। ଏଭଳି ଉତ୍ତେଜନା ଯୋଗୁ ଏସୀୟ କ୍ଷେତ୍ରରେ ଆଜି ବଜାର କାରବାର ନିମ୍ନମୁଖୀ ରହିଥିଲା।
ସେହିପରି ଆଜି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୧୯୫ ପଏଣ୍ଟ ବା ୧.୮୧% ହ୍ରାସ ଘଟି ୧୦,୬୦୭ ପଏଣ୍ଟରେ କାରବାର ଶେଷ ହୋଇଛି। ମଙ୍ଗଳବାର କାରବାରରେ ବ୍ୟାଙ୍କ ଏବଂ ଆର୍ଥିକ ଆଦି କ୍ଷେତ୍ରର ଷ୍ଟକ ମୂଲ୍ୟରେ ଅଧିକ ହ୍ରାସ ଘଟିଥିଲା।



