ନୀଳଗିରି : ବାଲେଶ୍ୱର ଜିଲା ଅଧୀନ ନୀଳଗିରି ସହରର ବିଭିନ୍ନ ସ୍ଥାନରେ ନିଶାଡ଼ି ମାନେ ନିଶାସକ୍ତ ହେଉଥିବା ଖବରପାଇ ନୀଳଗିରିର ନୂଆ ଏସଡିପିଓ ରୀତେଶ ମହାପାତ୍ର ରାତିଅଧିଆ ସଦଳବଳେ ସମସ୍ତ ନିଶା ଆଡ୍ଡା ଉପରେ ଚଢ଼ଉ କରିଛନ୍ତି। ନିଶାଡ଼ିମାନେ ପୁଲିସ ଭୟରେ ଦୌଡ଼ି ପଳାଇ ଯାଇଥିବା ବେଳେ ଏନେଇ ୬ଟି ବାଇକ ଜବତ ହୋଇଥିବା ସୂଚନା ମିଳିଛି।
ନୀଳଗିରି ଷ୍ଟାଡ଼ିୟମ ପରିସର, କେସି ହାଇସ୍କୁଲ ପଡ଼ିଆ, ଫାୟାର ଅଫିସ ପଡ଼ିଆରେ ପ୍ରତିଦିନ ନିଶାଡ଼ିମାନେ ଆଡ୍ଡା ଜମାଉଥିବା ସମ୍ପର୍କରେ ଏସଡିପିଓ ଶ୍ରୀ ମହାପାତ୍ର ତଥ୍ୟ ସଂଗ୍ରହ କରିଥିଲେ। ଶନିବାର ରାତି ପ୍ରାୟଃ ସାଢ଼େ ୮ଟା ସମୟରେ ଉପରୋକ୍ତ ସ୍ଥାନ ମାନଙ୍କରେ ଚଢ଼ଉ କରିବା ସମୟରେ ଏକାଧିକ ନିଶାଡ଼ି ମଦ୍ୟପାନ କରି ମସଗୁଲ ରହିଥିଲେ। ପୁଲିସର ଏହି ଚଢ଼ଉ ଦେଖି ସମ୍ପୃକ୍ତ ନିଶାଡ଼ିମାନେ ରାତିଅନ୍ଧାରର ସୁଯୋଗରେ ଦୌଡ଼ି ଖସି ପଳାଇଥିଲେ ହେଁ ସେମାନଙ୍କର ସ୍କୁଟି ଓ ବାଇକ ପ୍ରଭୃତି ଜବତ କରି ନୀଳଗିରି ଥାନାକୁ ଅଣାଯାଇଛି। ଏହି ଚଢ଼ଉରେ ଏଏସଆଇ ଧନେଶ୍ୱର ନନ୍ଦଙ୍କ ସମେତ ପୁଲିସ ଫୋର୍ସ ସାମିଲ ଥିଲେ। ତେବେ ନୂଆ ଏସଡିପିଓଙ୍କ ଏହି ଅଚାନକ ଚଢ଼ଉ ଯୋଗୁ ନୀଳଗିରି ସହରରେ ନିଶାଡ଼ିଙ୍କ ମଦ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଜଣାଯାଇଛି।
ନିଶା ଆଡ୍ଡା ଉପରେ ଏସଡିପିଓଙ୍କ ଚଢ଼ଉ : ଅନ୍ଧାରରେ ଦୌଡ଼ିଲେ ନିଶାଡ଼ି, ୬ବାଇକ ଜବତ
Popular Categories



