ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଦୁର୍ଘଟଣା ମାମଲାର ଶୁଣାଣି ଉତ୍ତର ପ୍ରଦେଶରୁ ଦିଲ୍ଲୀ ବଦଳି କରିବାପାଇଁ ସୁପ୍ରିମକୋର୍ଟ ତାଙ୍କର ପୂର୍ବ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି। ସି.ବି.ଆଇ. ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହତା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍ ଦୀପକ୍ ଗୁପ୍ତାଙ୍କ ଖଣ୍ଡପୀଠ ଆଗରେ କହିଥିଲେ, ଦୁର୍ଘଟଣା ଗତ ରବିବାର ଦିନ ଘଟିଛି ଏବଂ ବର୍ତ୍ତମାନ ସେ ସଂକ୍ରାନ୍ତରେ ତଦନ୍ତ ଚାଲିଛି। ତଦନ୍ତ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଆଇନ ଅନୁଯାୟୀ ଏହି ମାମଲାକୁ ଅନ୍ୟତ୍ର ବଦଳି କରାଯାଇପାରିବ ନାହିଁ ବୋଲି ମେହେତା ଖଣ୍ଡପୀଠ ଆଗରେ କହିବା ପରେ ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି।
ଖଣ୍ଡପୀଠ କହିଛନ୍ତି, ପୀଡ଼ିତାଙ୍କୁ ନୂଆଦିଲ୍ଲୀର ଏମ୍ସରେ ଚିକିତ୍ସା କରିବାପାଇଁ ତାଙ୍କ ପରିବାର ଚାହିଁଲେ ନେଇପାରିବେ। ପୀଡ଼ିତା ସଂଜ୍ଞାହୀନ ଅବସ୍ଥାରେ ଭେଣ୍ଟିଲେଟରରେ ରହୁଥିବାରୁ ବର୍ତ୍ତମାନ ତାଙ୍କୁ ଲକ୍ଷ୍ନୌରେ ଚିକିତ୍ସା କରାଯାଉ ବୋଲି ପରିବାର ଚାହୁଁଥିବା ବିଷୟ ବରିଷ୍ଠ ଓକିଲ ଭି. ଗିରି କୋର୍ଟରେ ଜଣାଇଥିଲେ ଏବଂ କୋର୍ଟ ଏହାକୁ ଗ୍ରହଣ କରିଛନ୍ତି।



