ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ ଘଟଣାର ସିବିଆଇ ତଦନ୍ତ ଦାବି
ସମ୍ବଲପୁର: ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଏହି ଗିରଫ ଘଟଣାରେ ଆହୁରି ବଡବଡିଆ ଅଧିକାରୀ ସଂପୃକ୍ତି ରହିଥିବାରୁ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ। ଏ ସର୍ମ୍ପକରେ ସ୍ଥାନୀୟ କଚେରୀ ରୋଡ ସ୍ଥିତ ଜିଲା ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଗତକାଲି ଭିଜିଲାନ୍ସ ଚଢ଼ଉ ସମୟରେ ସାହୁଙ୍କ ନିକଟରୁ ୩ କୋଟିରୁ ଉର୍ଦ୍ଧ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ବିଜେଡି ସରକାର ଗତ ୨୧ ବର୍ଷ ହେବ ଓଡିଶାର ଯୁବକଯୁବତୀ ମାନଙ୍କୁ କେମିତି ଧୋକା ଦେଇ ଆସୁଛନ୍ତି, ଏହା ଏକ ଜ୍ୱଳନ୍ତ ଉଦାହରଣ। ଜଣେ ସରକାରୀ ଅଧିକାରୀଙ୍କ ଘରୁ ଏତେ ପରିମାଣରେ ସମ୍ପତ୍ତି ଠାବ ହେବା ଆଶ୍ଚର୍ଯ୍ୟଜନକ ହୋଇଥିବା ବେଳେ ଏହା ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନ କରୁଛି। ନିଯୁକ୍ତି ପ୍ରକ୍ରିୟାରେ ଚାଲିଥିବା ହେରଫେରର ମୁଖା ଏହି ଘଟଣା ଖୋଲି ଦେଇଛି। ଶିକ୍ଷାଗତ ଯୋଗ୍ୟତାକୁ ଆଧାର ନ କରି ଆର୍ଥିକ ଯୋଗ୍ୟତାକୁ ଆଧାର କରି ନିଯୁକ୍ତି ଦିଆଯାଉଛି।
ଏଥିରୁ ସ୍ପଷ୍ଟ ଜଣାପଡୁଛି, ଏହି ଦୁର୍ନୀତିର ଚେର ତୃତୀୟ ମହଲା ଠାରୁ ନେଇ ୫ଟି ପର୍ଯ୍ୟନ୍ତ ଲମ୍ବିଛି। ଏଣୁ ଏଥିରେ ସଂପୃକ୍ତ ବଡବଡିଆ ମାନଙ୍କୁ ଧରାଯାଇ କଠୋରରୁ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ବିଚାର ବିଭାଗୀୟ ତଦନ୍ତ ସହିତ ସିବିଆଇ ତଦନ୍ତ ହେଲେ ବଡବଡିଆ ଲିଙ୍କ ଜଣାପଡିବ। ଓଡିଆ ଶିକ୍ଷିତ ବେକାର ମାନଙ୍କୁ ଯଦି ସେମାନଙ୍କର ଉଚିତ ନ୍ୟାୟ ନ ମିଳିବ ତାହା ହେଲେ ଆଗାମୀ ଦିନରେ ବିଜେପି ଯୁବ ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ରାଜ୍ୟ ସଭାପତି ଆଚାର୍ଯ୍ୟ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଜିଲା ସଭାପତି ଗିରିଶ ପଟେଲ, ଜିଲା ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀ, ଅରବିନ୍ଦ ନାୟକ, ରାହୁଲ ମୋଦକ ଓ ଶିବ ଦିୱାନ ପ୍ରମୁଖ ମଞ୍ଚାସୀନ ରହିଥିଲେ।
Comments are closed.