www.samajalive.in
Saturday, December 6, 2025
16.1 C
Bhubaneswar

ସତ୍ୟନଗର ଶ୍ମଶାନରୁ ଲିଭୁନି ନିଆଁ

ଭୁବନେଶ୍ୱର: ସତ୍ୟନଗର ଶ୍ମଶାନରେ ନିଆଁ ଲିଭୁନି। ଏଠାରେ ଦୈନିକ ପ୍ରାୟ ୨୫ରୁ ୩୦ ଶବ ସତ୍କାର ହେଉଛି। ଗୋଟିଏ ଜୁଇରୁ ନିଆଁ ଲିଭି ନ ଥିବାବେଳେ ଆଉ ଗୋଟିଏ ମୃତଦେହ ପ୍ରସ୍ତୁତି ହୋଇ ରହୁଛି। ଶବପୋଡ଼ା ଧୂଆଁ, ଦୁର୍ଗନ୍ଧ ଏବଂ ପାଉଁଶରେ ନିକଟସ୍ଥ ଅଞ୍ଚଳ ସ୍ଥିତି ସଙ୍ଗିନ। ଜୁଇ ନିଆଁରେ ଶ୍ମଶାନ ଭିତର ଗଛ ଜଳିପୋଡ଼ି ଗଲାଣି। ସତ୍ୟନଗର ଶ୍ମଶାନରେ ଲମ୍ବା ଧାଡ଼ି ଲାଗୁଛି। ଏଭଳି ଅବସ୍ଥା ହୋଇଛି ଯେ, ଶବ ଶତ୍କାର ନିମନ୍ତେ କର୍ମଚାରୀ ଯୋଗାଡ଼ କରିବାକୁ ବିଏମ୍‍ସିକୁ ନାକେଦମ ହେବାକୁ ପଡୁଛି। ଶବ ପୋଡ଼ିବାକୁ କାଠ ମିଳିବା କଷ୍ଟ ହେଉଛି। ଡାକ୍ତରଖାନାରେ କରୋନା ଆକ୍ରାନ୍ତ ମୃତ ଘୋଷିତ ହେବା ପରେ ସିଧା ସତ୍ୟନଗର ଶ୍ମଶାନ ପଠାଇ ଦିଆଯାଉଛି। ଏଠାରେ ଭିଡ଼ ଯୋଗୁଁ ମୃତଦେହ ସତ୍କାର ପାଇଁ ଅଧିକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିବା ଅନେକ ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି।
ସମ୍ପ୍ରତି ରାଜ୍ୟରେ ଦିନକୁ ହାରାହାରି ୪୦ରୁ ଅଧିକ ଲୋକ କରୋନା ମହାମାରୀରେ ପ୍ରାଣ ହରାଉଛନ୍ତି। ଏଥିରୁ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୩ରୁ୫ କିମ୍ବା ତା’ଠାରୁ ଅଧିକ ରହୁଛି। ମୃତଦେହ ଆତ୍ମୀୟସ୍ୱଜନଙ୍କୁ ନଦେଇ ସରକାର ନିଜେ ଶତ୍କାର ବ୍ୟବସ୍ଥା କରୁଛନ୍ତି। ପୁରୀ ସ୍ୱର୍ଗଦ୍ୱାର ସହିତ କଟକର ଶ୍ମଶାନ, ଭୁବନେଶ୍ୱରର ସତ୍ୟନଗର ଶ୍ମଶାନରେ ଅଧିକାଂଶ ଶବ ପୋଡ଼ାଯାଉଛି। ଏବେ ବାହାର ଜିଲାର ଶବ ପୁରୀ ସ୍ୱର୍ଗଦ୍ୱାରରେ ଦାହ ନିମନ୍ତେ କଟକଣା ଥିବାରୁ ସତ୍ୟନଗର ଶ୍ମଶାନରେ ଶବଦାହ ପାଇଁ ଭିଡ଼ ଲାଗୁଛି। ବିଭିନ୍ନ ଜିଲାରୁ ଗୁରୁତର କରୋନା ସଂକ୍ରମିତ ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ରୋଗୀ ଭୁବନେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅତି ଗୁରୁତର ଅବସ୍ଥାରେ ପ୍ରାଣ ହରାଉଥିବା ରୋଗୀଙ୍କ ଶବ ସତ୍ୟନଗର ଶ୍ମଶାନକୁ ଆସୁଛି। ଏଥିସହିତ ଦୁର୍ଘଟଣା କିମ୍ବା ଅନ୍ୟାନ୍ୟ କାରଣରୁ କିଛି ଅଚିହ୍ନା ଶବ ପୁଲିସ ଉଦ୍ଧାର କରିବା ପରେ ସତ୍କାର ପାଇଁ ଏଠାକୁ ପଠାଉଛି। ଏଥିପାଇଁ ଶ୍ମଶାନରେ ଏବେ ଶବ ସତ୍କାର ନିମନ୍ତେ ଭିଡ଼ ଲାଗି ରହୁଛି।
ବିକାଶ କାର୍ୟ୍ୟ ଜାରି ରହିଛି: ବିଏମ୍‌ସି
ବିଏମ୍‍ସି ଉପାୟୁକ୍ତ ଶ୍ରୀମନ୍ତ ମିଶ୍ର କହିଛନ୍ତି ସତ୍ୟନଗର ଶ୍ମଶାନରେ ଗୋଟିଏ ବୈଦ୍ୟୁତିକ ଶବଦାହ ଚୁଲା ସହିତ ଆବଶ୍ୟକ ବ୍ୟବସ୍ଥା ହୋଇଛି। ଏହି ଶ୍ମଶାନର ବିକାଶ କାର୍ୟ୍ୟ ଜାରି ରହିଛି। ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ନିମନ୍ତେ କାନ୍ଥରେ ଚିତ୍ର ଅଙ୍କାଯାଉଛି। ଭିତ‌େ‌ର ସବୁଜିମା ସୃଷ୍ଟି ସହିତ ଶବ ନେଇ ଯାଇଥିବା ଲୋକଙ୍କ ବସିବା ବ୍ୟବସ୍ଥା ହୋଇଛି। ପାନୀୟଜଳ ଏବଂ ଅନ୍ୟାନ୍ୟ ସୁବିଧା ହୋଇଛି। ସହରର ଶ୍ମଶାନ ବିକାଶ ନିମନ୍ତେ ପ୍ରସ୍ତାବ ରହିଛି। ପଟିଆ ଅଞ୍ଚଳର ଶିଖରଚଣ୍ଡି ନିକଟସ୍ଥ ଶ୍ମଶାନ ବିକାଶ କାର୍ୟ୍ୟ ଶେଷ ହୋଇଛି। କିଛିଦିନ ଭିତରେ ଏହା କାର୍ୟ୍ୟକ୍ଷମ ହେବ। ସେଠାରେ ବିଦ୍ୟୁତ୍‌ ସହିତ କାଠ ଚୁଲାର ବ୍ୟବସ୍ଥା ରହିଛି। ସଙ୍କ୍ରମିତଙ୍କ ମୃତ୍ୟୁ ପରେ ପ୍ରମାଣପତ୍ର, ଶବରୁ ସଂକ୍ରମଣ ନହେବା ନିମନ୍ତେ ସୁରକ୍ଷା ପୋଷାକ, କାଠ, ମୃତକଙ୍କ ପରିବାରଙ୍କ ସହିତ ଆଲୋଚନା ଏବଂ ଅନ୍ୟାନ୍ୟ ପ୍ରସ୍ତୁତି ପରେ ଶବ ଶ୍ମଶାନକୁ ଆସୁଛି। ଏସବୁ କାର୍ୟ୍ୟ ନିମନ୍ତେ ସମୟ ଲାଗୁଛି।
ବିଏମ୍‍ସି ପକ୍ଷରୁ ବିଳମ୍ବ କରାଯାଉ ନାହିଁ। ସୂଚନା ଅନୁସାରେ, ୨୦୧୯ରେ ସତ୍ୟନଗର ଶ୍ମଶାନରେ ପ୍ରାୟ ଏକ ହଜାର ଶବଦାହ ହୋଇଥିଲା। ତେବେ ୨୦୨୦ରୁ କରୋନା ସଂକ୍ରମଣ ହେବା ଫଳରେ ଏହି ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିବା ଜଣାପଡ଼ିଛି।
ଦିନକୁ ୩୦ ଶବ ପୋଡ଼ା ହେଉଛି
ସତ୍ୟନଗର ଲେଡିଜ ଫୋରମର ସମ୍ପାଦିକା ଅନୁରାଧା ଦାଶ କହିଛନ୍ତି, କରୋନା ସଙ୍କ୍ରମଣ ବୃଦ୍ଧି ପାଇବା ଦିନଠାରୁ ସତ୍ୟନଗର ଶ୍ମଶାନରେ ଭିଡ଼ ଲାଗୁଛି। ଦିନକୁ ପାଖାପାଖି ୩୦ ଶବ ପୋଡ଼ା ହେଉଛି। ସହରର ବିଭିନ୍ନ ସ୍ଥାନରେ ଶ୍ମଶାନ କାର୍ୟ୍ୟକ୍ଷମ ରହିଛି ବୋଲି ବିଏମ୍‍ସି ପକ୍ଷରୁ କୁହାଯାଉଥିଲେ ମଧ୍ୟ ବାସ୍ତବ ଚିତ୍ର ଭିନ୍ନ। ସବୁଆଡୁ ମୃତଦେହ ସତ୍ୟନଗର ଶ୍ମଶାନକୁ ଆସୁଛି। ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସତ୍ୟନଗର ଶ୍ମଶାନ ଥିବାରୁ ଏହାର କୁପ୍ରଭାବ ଲୋକଙ୍କ ଉପରେ ପଡୁଥିବା ଦର୍ଶାଇ ଗତବର୍ଷ ମାନବାଧିକାର ଆୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ସତ୍ୟନଗର ଶ୍ମଶାନରୁ ଭିଡ଼ ହ୍ରାସ ନିମନ୍ତେ ବିଏମ୍‌ସି ଆୟୁକ୍ତଙ୍କୁ ଦାବିପତ୍ର ଦିଆଯାଇଥିଲା। ଖଣ୍ଡଗିରି ଏବଂ ପଟିଆ ଶ୍ମଶାନ ଶୀଘ୍ର କାର୍ୟ୍ୟକ୍ଷମ କରିବାକୁ ସେତେବେଳେ ଆୟୁକ୍ତ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏପର୍ୟ୍ୟନ୍ତ ଖଣ୍ଡଗିରି ଶ୍ମଶାନରେ ଇଟା କି ପଥର ଖଣ୍ଡେ ପଡ଼ିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
ସାମାଜିକ ସଂଗଠନ ଜୟ ଓଡ଼ିଶାର ରୁଦ୍ର ସାମନ୍ତରାୟ କହିଛନ୍ତି,ପାଳିକରି ୪ଜଣ କର୍ମଚାରୀ ଶବ ସତ୍କାରରେ ନିୟୋଜିତ ହେଉଛନ୍ତି। ଆନୁଷଙ୍ଗିକ କାର୍ୟ୍ୟ ପରେ ଶବ ପୋଡ଼ା ଯାଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories