ଓଡ଼ିଆ ଜାତୀୟତାବାଦର ଶିରୋମଣି ଗୋପବନ୍ଧୁ: ମନ୍ତ୍ରୀ

ଭୁବନେଶ୍ବର : ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ଏକ ପତ୍ରିକା ନୁହେଁ, ଓଡ଼ିଆ ସାରସ୍ବତ ଜଗତର ଏକ ପ୍ରାଣପିଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଆ ଜାତୀୟତାବାଦ ଶୀର୍ଷକୁ ନେବାରେ ଗୋପବନ୍ଧୁଙ୍କର ବଡ଼ ଭୂମିକା ରହିଥିଲା। ଏହା ଏମିତି ଏକ ଜାତୀୟତାବାଦ ଏହାକୁ କେବେ ଆଞ୍ଚଳିକବାଦ କବଳିତ କରିନାହିଁ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ପରିସରସ୍ଥ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ନବମ ବାର୍ଷିକ ସମାରୋହ ରବିବାର ଅପରାହ୍ଣରେ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ଆଜି ଉତ୍ତରପିଢ଼ି ମଧ୍ୟରେ ଓଡ଼ିଆତ୍ବକୁ ନେଇ ଏକ ଭାବନା ଓ ଭାବାବେଗ ଆସୁଛି। ଆମକୁ ଦାୟିତ୍ବ ନେଇ ଏହାକୁ ତ୍ବରାନ୍ବିତ କରିବାକୁ ପଡ଼ିବ। ଆମକୁ ଆମ ଭାଷାକୁ ଭଲ ପାଇବାକୁ ହେବ। ୧୮୩୫ରେ ଇଂରାଜୀ ଆକ୍ଟ ଆସିବା ପରେ ଆମେ ବାହାରୁ କେବଳ ଭାରତୀୟ ହୋଇ ରହିଲେ ଭିତରୁ ବିଦେଶୀ ହୋଇଗଲେ। ଏ ପ୍ରକାର ବ୍ୟବସ୍ଥା ଚାଲି ଆସୁଥିଲା। ଏହାପରେ ନ’ ଅଙ୍କ ଦୁର୍ଭିକ୍ଷ ହେଲା। ଏହା ଭିତରେ ଭୂମିକୁ ବଞ୍ଚେଇବୁ, ନା ଭାଷାକୁ ବଞ୍ଚେଇବୁ ନା ପ୍ରଗତି କଥା ଚିନ୍ତା କରିବୁ। ଏଭଳି ସ୍ଥିତି ଦେଇ ରାଜ୍ୟ ଓ ରାଜ୍ୟବାସୀ ଗତି କରିଥିଲେ। ଭାଷାକୁ ସୁରକ୍ଷା ଦେବା
ଉତ୍ତରପିଢ଼ି ବିନା ସମ୍ଭବ ହୋଇପାରିବ ନାହିଁ। ଆଜିର ଦିନରେ ଆମେ ଉପନିବେଶବାଦ ମାନସିକତାରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ନ ହେବା ଏବଂ ଇଂରାଜୀ, ହିନ୍ଦୀ ଅବା ଅନ୍ୟଭାଷାକୁ ବହୁଳ ଭାବେ
ବ୍ୟବହାର କରିବା ଦ୍ବାରା ଆମ ଭାଷା ପ୍ରତି ବିପଦ ସୃଷ୍ଟି କରୁଛି। ଇଂରାଜୀ ଭାଷାକୁ ଯଦି ପ୍ରାଧାନ୍ୟ ଦିଆଯିବ, ତେବେ ଓଡ଼ିଆ ନିଶ୍ଚିତ ଭାବେ କୋଣଠେସା ହେବ। ଏ ଦିଗରେ ସରକାରଙ୍କ ଆନ୍ତରିକତା ଓ ସାମଗ୍ରିକ ସହଭାଗିତା ଦରକାର। ଆମେ ତାଳପତ୍ରରୁ କାଗଜକୁ ଆସିଛୁ ଏବେ କାଗଜରୁ କ୍ଲାଉଡ୍କୁ ଯିବାକୁ ପଡ଼ିବ, ଅର୍ଥାତ ଆମେ ବ୍ୟବହାର କରୁଥିବା ଓଡ଼ିଆ ଶବ୍ଦ ସମ୍ଭାରକୁ ଡିଜିଟାଲ ରୂପ ଦେବାକୁ ପଡ଼ିବ। ଆମେ ଆଉ ଏକ ଅନୁବାଦ ଏକାଡେମୀ କରିବାକୁ ଯାଉଛୁ। ଡିଜିଟାଲ ଉପରେ ଏଥିରେ ସର୍ବାଧିକ ଗୁରୁତ୍ବ ଦିଆଯିବ। ଆମେ ବ୍ୟବହାର କରୁଥିବା ଫଣ୍ଟ ପୂର୍ଣ୍ଣବିକଶିତ ୟୁନିକୋଡ୍ରେ ପରିଣତ ହୋଇନାହିଁ। ଆମକୁ ଫଣ୍ଟକୁ ବିକଶିତ କରିବାକୁ ପଡ଼ିବ। ଏଥିପ୍ରତି ସରକାର ଧ୍ୟାନ ଦେଉଛନ୍ତି। ଭାଷାକୁ ବଞ୍ଚେଇବା କେବଳ ସରକାରଙ୍କ କାମ ନୁହେଁ, ଏଥିପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି। ଆମକୁ ଆମ ଭାଷା ଓ ଜାତିକୁ ବଞ୍ଚାଇବା ସହିତ ଉତ୍ତରପିଢ଼ି ପାଇଁ ଭାଷା ସମ୍ପର୍କରେ ଚିନ୍ତା କରିବା ସମୟ ଆସିଛି। ଆମକୁ ମାନସିକସ୍ତରରେ ଆଗକୁ ଯିବାକୁ ପଡ଼ିବ। ୨୦୨୦ ଶିକ୍ଷାନୀତିରେ ମାତୃଭାଷାରେ ଶିକ୍ଷାଦାନ ବ୍ୟବସ୍ଥା ରହିଛି। ଏହାଦ୍ବାରା ପିଲାଙ୍କ ମଧ୍ୟରେ ମୁକ୍ତଚିନ୍ତନ ତଥା ସୃଜନଶୀଳତା ବୃଦ୍ଧି ହେବ। ପରୀକ୍ଷାମୂଳଭାବେ ଆମେ ଓଡ଼ିଆ ପକ୍ଷ ପାଳନ କରିଥିଲୁ, ଯେଉଁଥିରେ ଏକ ୱେବ୍ସାଇଟ୍ କରାଯାଇଥିଲା। ସେଥିରେ ତରୁଣବର୍ଗର ସାଢ଼େ ୬ ଲକ୍ଷ ବ୍ୟକ୍ତିବିଶେଷ ଅଭିମତ ଦେଇଛନ୍ତି।
କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଲୋକସେବକ ମଣ୍ଡଳର ସଭାପତି ଶ୍ରୀ ରାଜକୁମାର କହିଲେ ଯେ, କବି ଓ ଲେଖକ ସମାଜକୁ ସବୁବେଳେ ମାର୍ଗଦର୍ଶନ ଦେଇଆସିଛନ୍ତି। ଜୀବନ ଓ ସମାଜକୁ ସୁନ୍ଦର କରିବାରେ ସାହିତ୍ୟିକଙ୍କ ଭୂମିକା କୌଣସି ଗୁଣରେ କମ୍ ନୁହେଁ। ଓଡ଼ିଶାରେ ସାହିତ୍ୟ ଓ ବୌଦ୍ଧିକ ଜଗତରେ ‘ସତ୍ୟବାଦୀ’ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସଦ୍ଭାବନା ଓ ଆଶୀର୍ବାଦ ପାଇଁ ଏହା ଲୋକପ୍ରିୟତା ପାଇଛି। ଓଡ଼ିଆ ଅସ୍ମିତାର ଏହା ଏକ ଅଂଶ। ଆଗକୁ ପତ୍ରିକା ଆହୁରି ସମୃଦ୍ଧ ହେବା ସହିତ ଓଡ଼ିଆ ଭାଷା, ସାହିତ୍ୟକୁ ଋଦ୍ଧିମନ୍ତ କରିବ।
ମୁଖ୍ୟବକ୍ତା ଲବ୍ଧପ୍ରତିଷ୍ଠ ସାହିତ୍ୟିକ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର କହିଥିଲେ ଯେ, ଓଡ଼ିଆ ସାହିତ୍ୟର ଭବିଷ୍ୟତ ଅଛି। ହେେଲ ଓଡ଼ିଆ ଭାଷାର ଭବିଷ୍ୟତ କ’ଣ? ଏ ସମ୍ପର୍କରେ ଆମକୁ ଚିନ୍ତା କରିବା ଜରୁରୀ। ଏକ ପରିସଂଖ୍ୟାନକୁ ଉଦ୍ଧାର କରି ସେ କହିଲେ ଯେ, ପୃଥିବୀରେ ୭,୧୧୭ ଭାଷା ଅଛି। ସଂଖ୍ୟାଦୃଷ୍ଟିରୁ ଓଡ଼ିଆ ଭାଷା ୩୭ ନମ୍ବର ସ୍ଥାନରେ ରହିଛି। ଆମେରିକାେର ୧୧୫ ଆଦିମ ଅଧିବାସୀ ଭାଷା ରହିଛି। ଆଗାମୀ ୨୫ ବର୍ଷ ମଧ୍ୟରେ ଏଥିରୁ ୮୦ ଭାଷା ନିଶ୍ଚିହ୍ନ ହୋଇଯିବ। ସେହିପରି ଭାରତୀୟ ଭାଷା ସମ୍ପର୍କରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତରେ ୧୮୦ଟି ଭାଷା ଏବଂ ଉପଭାଷା ରହିଛି। ଏଥିମଧ୍ୟରୁ ୧୫୦ ଭାଷା ମରଣଶୀଳ। ପୃଥିବୀରେ ୫୦ ବର୍ଷ ପରେ ମାତ୍ର ୩୦୦ ଭାଷା ରହିବ। ଏଭଳି ସ୍ଥିତିରେ ଓଡ଼ିଆ ଭାଷାର ସ୍ଥିତି କ’ଣ ହେବ? ଶ୍ରୀ ମିଶ୍ର କହିଥିଲେ ଯେ, ଆମେ ଓଡ଼ିଆରେ କଥା ହେବାକୁ ଓ ଚିଠିଟିଏ ଲେଖିବାକୁ କୁଣ୍ଠାବୋଧ କରୁଛେ। ଅନେକ ସମୟରେ ଆମେ ଓଡ଼ିଆ ଭାଷାକୁ ବିକୃତ କରୁଛୁ ଏବଂ କଦର୍ଯ୍ୟ ଭାଷା ଧୀରେଧୀରେ ତିଆରି ହେଉଛି। ଓଡ଼ିଆରେ କଥା କହିବା ଲୋକଙ୍କ ସଂଖ୍ୟା କମିଯାଉଛି। ପରସ୍ପର ଭିତରେ ଓଡ଼ିଆରେ କଥା ହେବାକୁ ଆମେ ଅନିଚ୍ଛୁକ। ୫ ବର୍ଷ ଓଡ଼ିଶା ବାହାରେ ରହି ଫେରିବା ପରେ ଲୋକେ ହିନ୍ଦୀ ନଚେତ ଇଂରାଜୀ କହୁଛନ୍ତି। ସରକାର ଚାହିଁଥିଲେ ଓଡ଼ିଆ ଭାଷା କିଛି ମାତ୍ରାରେ ସୁଦୃଢ଼ ହୋଇପାରନ୍ତା। ନଥିପତ୍ର ଓ ଚିଠି ଓଡ଼ିଆ ଭାଷାେର ଲେଖାଯିବା ଉଚିତ୍। ମୁଁ ମୁଖ୍ୟ ଶାସନ ସଚିବ ଥିବାବେଳେ ୨୦୧୦ ମସିହାରେ ଜିଲାପାଳଙ୍କୁ ଚିଠି ଲେଖିଥିଲି। ଚିଠିପତ୍ର ଓଡ଼ିଆେର ଲେଖିବାକୁ ଚେଷ୍ଟା କରିବା ନିମନ୍ତେ କହିଥିଲି। ହେେଲ ସେ ସମୟରେ ବୈଷୟିକ ସାଧନ ନଥିଲା। ପ୍ରଶାସନିକ ଶବ୍ଦକୋଷରେ ବି ଅଧିକାଂଶ ଶବ୍ଦ ନଥିଲା। ବର୍ତ୍ତମାନ ସେ ସମସ୍ୟା ନାହିଁ। ମୋବାଇଲ ଫୋନ୍ ମାଧ୍ୟମରେ ଓଡ଼ିଅା ଭାଷାରେ ଲେଖି ହେଉଛି। ଅଫିସରେ ବସି ଓଡ଼ିଆରେ ଚିଠିପତ୍ର ଲେଖିବାରେ ସମସ୍ୟା ନାହିଁ। ସରକାର ଚାହିଁଲେ ସରକାରୀ ଚିଠିପତ୍ର ଓଡ଼ିଆରେ ହୋଇପାରିବ। ଓଡ଼ିଆ ଭାଷାକୁ ଗୁରୁତ୍ବ ଦେଲେ ଏହା ବଞ୍ଚିବ ବୋଲି ଶ୍ରୀ ମିଶ୍ର କହିଥିଲେ। ସେ ଆହୁରି କହିଥିଲେ ଯେ, ସାହିତ୍ୟରେ ଛୋଟବଡ଼ କି ପ୍ରଥମ/ଦ୍ବିତୀୟ ପୁରସ୍କାର କିଛି ନଥାଏ। ପ୍ରତ୍ୟେକ ସାହିତ୍ୟିକଙ୍କ ନିଜସ୍ବ ସ୍ଥିତି ଓ ମୂଲ୍ୟ ରହିଛି। ବର୍ଗୀକରଣ ଅନ୍ୟକ୍ଷେତ୍ରରେ ସମ୍ଭବ; ସାହିତ୍ୟରେ ନାହିଁ। ସାହିତ୍ୟରେ ପୁରସ୍କାର ପାଇବା ବଡ଼ କଥା ନୁହେଁ, ପାଠକର ଶ୍ରଦ୍ଧା ପାଇବା ବଡ଼। ଯଦି ପାଠକଟି ଲେଖା ପଢ଼ି ମୁଗ୍ଧ ହୁଏ, ତାହା ସେ ଲେଖକଙ୍କ ପାଇଁ ବଡ଼ ପୁରସ୍କାର। ପୁରସ୍କାରକୁ କେହି ମନେ ରଖନ୍ତି ନାହିଁ। ହେଲେ ଗପ, ବହି ଓ କବିତା ସମସ୍ତଙ୍କ ମନେ ରହେ। ଓଡ଼ିଆ ଭାଷାରେ ରଚିତ ସାହିତ୍ୟ କୃତି ଅନ୍ୟ ଭାଷାଠୁ କୌଣସି ଗୁଣରେ କମ୍ ନୁହେଁ। ଆମେ ଆମ ସାହିତ୍ୟକୁ ଛୋଟ ଭାବିବା ଉଚିତ୍ ନୁହେଁ। ଅନ୍ୟ ଭାଷାର ନିକୃଷ୍ଟ ଲେଖାକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ଠିକ୍ ନୁହେଁ। ‘ସତ୍ୟବାଦୀ ସାରସ୍ବତ ସମ୍ମାନ-୨୦୨୪’ ତାଙ୍କୁ ପ୍ରଦାନ କରାଯାଇଥିଲାବେଳେ ସେ କହିଥିଲେ ଯେ, ପୁରସ୍କାର ହେଉଛି ଅନନ୍ୟ ପ୍ରାପ୍ତି। ଏହା ମୋ ପାଇଁ ପରମ ସୌଭାଗ୍ୟ।
ସମ୍ମାନିତ ଅତିଥି ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ, ଓଡ଼ିଆ ଜାତିର ଅସ୍ମିତାର ପ୍ରାଣକେନ୍ଦ୍ର ତଥା ପରିଚୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ଆଜକୁ ୧୧୦ ବର୍ଷ ତଳେ ତତ୍କାଳୀନ ରାଷ୍ଟ୍ରୀୟ ଆହ୍ବାନକୁ ଉପଲବ୍ଧ କରି ସତ୍ୟବାଦୀ ସେତେବେଳେ ଜାତୀୟତାବାଦୀ ସାହିତ୍ୟ ପତ୍ରିକା ଭାବେ ଆତ୍ମପ୍ରକାଶ କରିଥିଲା। କିନ୍ତୁ ପ୍ରକାଶିତ ହେବାର ମାତ୍ର ୫ ବର୍ଷ ମଧ୍ୟରେ ଏହା ବନ୍ଦ ହୋଇଯାଇଥିଲା। ୧୯୮୯-୯୦ରେ ପୁନଃପ୍ରକାଶିତ ହୋଇଥିଲେ ମଧ୍ୟ ତାହା ଦୀର୍ଘସ୍ଥାୟୀ ହୋଇପାରିନଥିଲା।‘ସମାଜ’ ଖବରକାଗଜର ଉଦ୍ୟମ ଓ ପ୍ରତିଶ୍ରୁତିବଦ୍ଧତାକୁ ଯେତେ ପ୍ରଶଂସା କଲେ ବି କମ୍ ହେବ। ସ୍ବାଗତ ଭାଷଣ ପ୍ରଦାନ କରି ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଆଚାର୍ଯ୍ୟ କହିଲେ ଯେ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ସୁରକ୍ଷା ପାଇଁ ସାହିତ୍ୟ ପତ୍ରିକା ‘ସତ୍ୟବାଦୀ’ ପ୍ରକାଶିତ ହୋଇଥିଲା। ମାତୃଭାଷାକୁ ଦକ୍ଷତାର ସହିତ ପ୍ରୟୋଗ କରି ମାତୃଭୂମି ଓ ମାତୃଭାଷାର ସେବା କରିବାକୁ ସେ ଆହ୍ବାନ ଦେଇଥିଲେ। ଗୋଟିଏ ସମୟରେ ସାଧାରଣ ଲୋକଙ୍କ ଅସୁବିଧା ପଲ୍ଲୀରୁ ଦିଲ୍ଲୀ ପହଞ୍ଚାଇବା ପାଇଁ ଗୋପବନ୍ଧୁ ସମାଜ ଖବରକାଗଜ ପ୍ରକାଶନ ରେ ମନ ଦେଇଥିଲେ।
ସାରସ୍ବତ କାର୍ଯ୍ୟକ୍ରମରେ ଲୋକସେବକ ମଣ୍ଡଳର ବରିଷ୍ଠ ଆଜୀବନ ସଦସ୍ୟ ନିରଞ୍ଜନ ରଥ ମଞ୍ଚାସୀନ ଥିଲେ। ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ତଥା ଜିମ୍ସାରର ଅଧ୍ୟକ୍ଷ ରାଜେନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ ‘ସମାଜ’ର ସମ୍ପାଦକ ଓ କାର୍ଯ୍ୟବାହୀ ମୁଖ୍ୟ ପରିଚାଳକ ତପନ ମିଶ୍ର, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ବିଶିଷ୍ଟ ସାରସ୍ବତ ସାଧକ ଶାନ୍ତନୁ କୁମାର ଆଚାର୍ଯ୍ୟ, ଡ. ନଟବର ଶତପଥୀ, ଶୈଳଜ ରବି, ପ୍ରଭାକର ସ୍ବାଇଁ, ଗୋବିନ୍ଦ ଭୂୟାଁ, ଶକୁନ୍ତଳା ବଳିୟାରସିଂହ, ପ୍ରବାସିନୀ ମହାକୁଡ଼, ନଟବର ଖୁଣ୍ଟିଆ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
ଏହି ଅବସରରେ ସତ୍ୟବାଦୀ ସାରସ୍ବତ ସମ୍ମାନ-୨୦୨୪ ବିଶିଷ୍ଟ ସାରସ୍ବତ ସାଧକ ତରୁଣକାନ୍ତି ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ସତ୍ୟବାଦୀ ସାହିତ୍ୟ ସମ୍ମାନ-୨୦୨୪ ଡ. ବାବାଜୀ ଚରଣ ପଟ୍ଟନାୟକ (ପ୍ରବନ୍ଧ), ମମତା ଦାଶ (କବିତା), ପ୍ରଫେସର ଶରତ ଚନ୍ଦ୍ର ଶତପଥୀ (ଗଳ୍ପ), ଡ. ନାରାୟଣ ଚନ୍ଦ୍ର ଶତପଥୀ (ରମ୍ୟ ରଚନା), ଡ. ରମେଶ ପତ୍ରୀ (ଶିଶୁ ଗଳ୍ପ), ହରିହର ଶୁକ୍ଳ (ଶିଶୁ କବିତା)ଙ୍କୁ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ଲେଖକ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ‘ଆମ ସଂସ୍କୃତି ସୌରଭ’ ପୁସ୍ତକ ପାଠକାର୍ପଣ ହୋଇଥିଲା। ସମାରୋହରେ ଶ୍ରେଷ୍ଠ ବିତରକ ସମ୍ମାନରେ ପ୍ରଶାନ୍ତ କୁମାର ନାୟକ, ରବୀନ୍ଦ୍ର କୁମାର ପାତ୍ର, ପୁଣ୍ୟଶ୍ଳୋକ ଦାସ ଓ ଶ୍ରେଷ୍ଠ ବିଜ୍ଞାପନଦାତା ସମ୍ମାନରେ ରବୀନ୍ଦ୍ର କୁମାର ପାତ୍ର, ପତିତପାବନ ଭଦ୍ର, ବିଜୟ କୁମାର ମହାରଣାଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଓମଫେଡ୍ ପକ୍ଷରୁ ଅମିତାଂଶୁ ବଳ, ଓୟୁଟିଆର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ବାଳଙ୍କ ପକ୍ଷରୁ ବିଭୁପ୍ରସାଦ ଦାସ, ଇପିକଲ ପକ୍ଷରୁ ଲୋକସମ୍ପର୍କ ଅଧିକାରୀ ବିଶ୍ବଜିତ ବଳିୟାରସିଂହ, କଲମ୍ବୋ ଇଞ୍ଜିନିୟରିଂ ପରିଚାଳନା ନିର୍ଦେଶକ ସୌମେନ୍ଦ୍ର ପ୍ରକାଶ ରାୟଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ। ଆଠଗଡ଼ସ୍ଥିତ ଗୋପବନ୍ଧୁ ନର୍ସିଂ କଲେଜର ଛାତ୍ରୀ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ‘ସମାଜ’ ପରିବାରର କର୍ମକର୍ତ୍ତା ସହଯୋଗ କରିଥିଲେ।
Comments are closed.