www.samajalive.in
Sunday, December 7, 2025
23.1 C
Bhubaneswar

ଭିମ୍‌ସାରରୁ ଏୟାର- ଆମ୍ବୁଲାନ୍ସ ସେବା ଶୀଘ୍ର

ବୁର୍ଲା : ଦୀର୍ଘଦିନ ହେଲା ଭିମ୍‌ସାରରୁ ଏୟାର-ଆମ୍ବୁଲାନ୍ସ ସେବା ଆରମ୍ଭ ହେବ ବୋଲି ତତ୍‌କାଳୀନ ବିଜେଡି ସରକାର ଘୋଷଣା କରିଥିଲେ, କିନ୍ତୁ ଇତିମଧ୍ୟରେ ନୂତନ ରାଜ୍ୟ ସରକାର ଆସିଥିଲେ ମଧ୍ୟ ଏହି ଘୋଷଣା ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ । ତେବେ ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟସେବାକୁ ସହଜ କରିବା ପାଇଁ ବୁର୍ଲା ଭିମ୍‌ସାରରୁ ହେଲିକପ୍ଟର ବା ଏୟାରଲିଫ୍ଟ ଯୋଗେ ସଙ୍କଟାପନ୍ନ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ସହଜରେ ଏବଂ ଖୁବ୍ କମ୍ ସମୟ ମଧ୍ୟରେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନୂତନ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏଥିପାଇଁ ହେଲିପ୍ୟାଡ୍ ଏମର୍ଜେନ୍ସି ମେଡିକାଲ ସର୍ଭିସ୍ ସେବା ପ୍ରଦାନ କରାଯିବ। ଏହାକୁ କାର୍ଯ୍ୟକାରୀ କରିବାକୁ ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ସମ୍ପର୍କରେ ସମ୍ବଲପୁର ସଦର ତହସିଲଦାର ଅଦାଲତଙ୍କ ଜମି ହସ୍ତାନ୍ତର ମାମଲା ନଂ ୫/୨୦୨୫ ଏବଂ ସର୍ବସାଧାରଣ ଇସ୍ତାହାରର ପି.ଆର୍ ନଂ.୭୩/ତା୪ା୪ା୨୦୨୫ ଅନୁଯାୟୀ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି ଯେ, ବୁର୍ଲା ଟାଉନ୍ ୟୁନିଟ୍ ନଂ-୩ ଅନ୍ତର୍ଗତ ୮ଟି ସରକାରୀ ପ୍ଲଟ୍‌ର ୪.୨୪୦ ଏକର ଜମିକୁ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ଏନ୍‌ଇଏମ୍‌ଏସ୍ (ହେଲିକପ୍ଟର ଏମର୍ଜେନ୍ସି ମେଡିକାଲ ସର୍ଭିସ୍) ପ୍ରତିଷ୍ଠା ପାଇଁ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦିଆଯାଇଛି। ଭିମ୍‌ସାର ଖେଳପଡିଆ ନିକଟରେ ଏହି ଜମି ରହିଥିବା ସମ୍ବଲପୁର ତହସିଲଦାର ମନୋଜ ପ୍ରଭାକର କୁଜୁର ତଥା ରାଜସ୍ବ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜମି ହସ୍ତାନ୍ତର ପରେ ତୁରନ୍ତ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଏହି ହେଲିପ୍ୟାଡ୍ କାମ ଆରମ୍ଭ ହେବ ।ଏଠାରେ ହେଲିପ୍ୟାଡ୍ ହେଲେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଶ୍ଚିମ ଓଡ଼ିଶାବାସୀ ବିଶେଷ ଉପକୃତ ହେବେ ବୋଲି କୁହାଯାଉଛି। ତେବେ ପରିତାପର ବିଷୟ, ବର୍ତ୍ତମାନ ସୁଦ୍ଧା ଭିମ୍‌ସାରରେ ସାଧାରଣ ଆମ୍ବୁଲାନ୍ସ ଠାରୁ ଆଇସିୟୁ ଆମ୍ବୁଲାନ୍ସ ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ତେବେ ଏୟାର ଆମ୍ବୁଲାନ୍ସ ପାଇଁ ସରକାରୀ କଳର ତତ୍ପରତା ନିଶ୍ଚିତ ଭାବେ ରୋଗୀସେବାକୁ ଏକ ନୂତନ ସମୟ ଉପଯୋଗୀ ଚିକିତ୍ସା ବ୍ୟବସ୍ଥା ପ୍ରଦାନ କରିବାରେ ସହାୟକ ହେବ ବୋଲି ମତପ୍ରକାଶ ପାଉଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories